ଆସିକା: ଗଂଜାମ ଜିଲ୍ଲା ଆସିକା ପୋଲିସ ଉପଖଣ୍ଡରେ ଅପରେସନ ସାଇବର କବଚ ଅଧୀନରେ ୯ ଜଣ ଗିରଫ ହୋଇଛନ୍ତି | ଏମାନଙ୍କ ପାଖରୁ ଦୁଇଟି କାର, ୪୦ଟି ଏଟିଏମ କାର୍ଡ, ଚେକ ବହି ସହ ନଗଦ ୫୦ ହଜାର ଟଙ୍କା ଓ ୬ ମୋବାଇଲ ଜବତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସ ଡି ପି ଓ ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଭିନ୍ନ ଉପାୟରେ ଲୋକଙ୍କୁ ଠକି ସେମାନଙ୍କ ଆକାଉଣ୍ଟରୁ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ଉଡାଇ ନେଇ ସେହି ଟଙ୍କାରେ ବିଳାସପୂର୍ଣ୍ଣ ଜୀବନ କାଟୁଥିଲେ | ଗଞ୍ଜାମ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ନିର୍ଦ୍ଦେଶ ପ୍ରକାରେ ଆସିକା ଏସ ଡି ପି ଓ ଙ୍କ ନେତୃତ୍ୱରେ ଗଠିତ ଟିମ ସଫଳତା ହାସଲ କରିଛି। ପୋଲିସ ଏକ ମାମଲା ୬୯/୨୬ ରୁଜୁ କରି ଚିନିଶିଳ୍ପ ନୂଆଗାଁର ସୁମନ୍ତ ରାଉତ, ସାଗର ପ୍ରସାଦ ଜେନା, ଧରାକୋଟ ଥାନା କେ ରାମଚନ୍ଦ୍ରପୁରର ଏମ କାଳୁ ଚରଣ ରେଡ୍ଡୀ, ଛତ୍ରପୁର ଥାନାର ବଳିଆ ନାୟକକୁ ଗିରଫ କରିଛି।
ଏସଡିପିଓଙ୍କ ନେତୃତ୍ୱରେ ଗଠିତ ଟିମ ଗଂଜାମ ଜିଲାର ବହୁ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଆସିକା ଧରାକୋଟ, ବଡଗଡ଼, ହିଂଜିଲି, ପାଟପୁର, ଶେରଗଡ଼, ସୋରଡା ଥାନାରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଥିବାବେଳେ ଧରାକୋଟରୁ ଦୁଇ ଜଣ ଓ ହିଂଜିଲି ଥାନା ରେ ତିନି ଜଣ ଗିରଫ ହୋଇଛନ୍ତି। ଜାତୀୟ ସ୍ତରର ସାଇବର ଅପରାଧୀଙ୍କ ସହିତ ଯୋଗାଯୋଗରେ ରହି ସାଧାରଣ ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କ ନାମରେ ଆକାଉଣ୍ଟ ଖୋଲି ସେହି ଆକାଉଣ୍ଟକୁ ଟଙ୍କା ଆଣି ଖର୍ଚ୍ଚ କରନ୍ତି। ଆସିକାରେ ଥିବା ବହୁ ବ୍ୟାଙ୍କରେ ଥିବା ମ୍ୟୁଲ ଆକାଉଣ୍ଟକୁ ଯାଞ୍ଚ କରିବା ସହିତ ବଳିଆ ନାୟକ ଓ କାଳୁ ରେଡ୍ଡୀକୁ କାବୁ କରିବା ପରେ ପୋଲିସ ସୁମନ୍ତ ଓ ସାଗରକୁ ଗିରଫ କରିବାକୁ ସକ୍ଷମ ହୋଇଥିଲେ। ସାଗର ଓ ସୁମନ୍ତ ନିକଟରୁ ପୋଲିସ ଦୁଇଟି କାର ଜବତ କରିଛି। ଠକେଇ ଟଙ୍କାରେ ଏହି କାର କିଣାଯାଇଥିବା ପୋଲିସ ତଦନ୍ତରେ ଜାଣିବା ପରେ କାର ଜବତ କରିଛି।
Follow Us