ମେଲ୍ବର୍ଣ୍ଣ: ୬ ଗ୍ରାଣ୍ଡ ସ୍ଲାମ୍ ବିଜୟନୀ ପୋଲାଣ୍ଡର ଇଗା ସ୍ବିତେକ ୪ଥର ୟୁଏସ୍ ଓପନ୍ ଜିତିଥିଲା ବେଳେ ଥରେ ଲେଖାଏଁ ୱିମ୍ବଲଡନ୍ ଓ ୟୁଏସ୍ ଓପନ୍ ଟ୍ରଫି କରାୟତ୍ତ କରିଛନ୍ତି। ହେଲେ ୨ ଥର ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲ୍ ପହଞ୍ଚିଥିଲେ ମଧ୍ୟ ସେ ଟ୍ରଫି ବିଜୟର ସ୍ବପ୍ନ ପୂରଣ କରିପାରି ନାହାନ୍ତି। ଏହି ଲକ୍ଷ୍ୟ ନେଇ ଖେଳୁଥିବା ବିଶ୍ବର ଏହି ଦୁଇ ନମ୍ବର ଖେଳାଳି ସୋମବାର ମହିଳା ଏକକ ପ୍ରଥମ ରାଉଣ୍ଡ ମୁକାବିଲାରେ ଚୀନ୍ର ୟୁଆନ୍ ୟୁଏଙ୍କୁ ୭-୬, ୬-୩ ସେଟ୍ରେ ହରାଇ ଅଷ୍ଟ୍ରେଲିଅନ୍ ଓପନ୍ ଟ୍ରଫି ସ୍ବପ୍ନ ସାକାର ଦିଗରେ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି।
ତାଙ୍କ ବାଦ୍ ମହିଳା ଏକକ ଦ୍ବିତୀୟ ରାଉଣ୍ଡରେ ଆମେରିକାର ୪ ତାରକା ଖେଳାଳି କୋକୋ ଗୌଫ, ଆମନ୍ଦା ଆନିସିମୋଭା, ଜେସିକା ପେଗୁଲା ଓ ସୋଫିଆ କେନିନଙ୍କ ସହ ରୁଷିଆର ମୀରା ଆନ୍ଦ୍ରିଭା ପହଞ୍ଚି ଯାଇଛନ୍ତି।ଫ୍ରେଞ୍ଚ ଓପନ୍ ବିଜୟିନୀ ବିଶ୍ବର ୩ ନମ୍ବର ଗୌଫ ୬-୨, ୬-୩ ସେଟ୍ରେ ଉଜ୍ବେକିସ୍ତାନର କାମିଲା ରାଖିମୋଭାଙ୍କୁ, ୱିମ୍ବଲଡନ୍ ଓ ୟୁଏସ୍ ଓପନ୍ ଫାଇନାଲିଷ୍ଟ୍ ଚତୁର୍ଥ ମାନ୍ୟତାପ୍ରାପ୍ତ ଆନିସିମୋଭା ୬-୩, ୬-୨ ସେଟ୍ରେ ସ୍ବିଜରଲାଣ୍ଡର ସିମୋନା ୱାଲଟର୍ଟଙ୍କୁ, ୬ ନମ୍ବର ପେଗୁଲା ୬-୨, ୬-୧ ସେଟ୍ରେ ରୁଷିଆର ଆନାସ୍ତାସିଆ ଜାଖାରୋଭାଙ୍କୁ, ଏଠାରେ ୨୦୨୦ରେ ଟ୍ରଫି ଜିତିଥିବା କେନିନ ୬-୩, ୬-୨ ସେଟ୍ରେ ନିଜ ଦେଶର ପେଟନ ଷ୍ଟିଅର୍ନ୍ସଙ୍କୁ ଏବଂ ୮ ନମ୍ବର ଆନ୍ଦ୍ରିଭା ୪-୬, ୬-୩, ୬-୦ ସେଟ୍ରେ କ୍ରୋଏସିଆର ଡୋନା ଭେକିକ୍ଙ୍କୁ ହରାଇଛନ୍ତି।
ଅଷ୍ଟ୍ରେଲିଆନ୍ ଓପନ୍: ଅଧାରୁ ଓହରିଲେ ଫେଲିକ୍ସ; ୨୫ତମ ଗ୍ରାଣ୍ଡ ସ୍ଲାମ୍ ମୁକୁଟ ଦିଗରେ ଜୋକୋଭିକ୍
ୟୁଏସ୍ ଓପନ୍ ସେମିଫାଇନାଲିଷ୍ଟ ସପ୍ତମ ମାନ୍ୟତାପ୍ରାପ୍ତ ଫେଲିକ୍ସ ଅଗର-ଆଲିଆସିମେଙ୍କ ଅଷ୍ଟ୍ରେଲିଆନ୍ ଓପନ୍ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ସୋମବାର ପର୍ତ୍ତୁଗାଲ୍ର ନୁନୋ ବୋର୍ଗେସଙ୍କ ବିପକ୍ଷ ମ୍ୟାଚ୍ ଅଧାରୁ ଏହି କାନାଡ଼ା ଖେଳାଳି ଆହତ ଯୋଗୁଁ ଓହରି ଯାଇଛନ୍ତି। ଫଳରେ ବୋର୍ଗେସ ୱାକ୍ଓଭର ପାଇ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍ର ପ୍ରଥମ ରାଉଣ୍ଡକୁ ୬-୩ରେ ଫେଲିକ୍ସ ଜିତିଥିଲେ। ହେଲେ ପରବର୍ତ୍ତୀ ଦୁଇ ରାଉଣ୍ଡରେ ୪-୬, ୪-୬ ସେଟ୍ରେ ପଛୁଆ ଥିଲା ବେଳେ ଫେଲିକ୍ସଙ୍କ ଗୋଡ଼ ମାଂସପେସୀ ଟାଣି ହେବାରୁ ଖେଳିବାକୁ ସକ୍ଷମ ହୋଇ ନଥିଲେ। ଫଳରେ ସେ କୋର୍ଟ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଅନ୍ୟ ପୁରୁଷ ଏକକ ମ୍ୟାଚ୍ଗୁଡ଼ିକରେ ତାରକା ଖେଳାଳି ନୋଭାକ ଜୋକୋଭିକ୍ଙ୍କ ସହ ୨୦୨୧ ୟୁଏସ୍ ଓପନ୍ ବିଜେତା ଡାନିଲ ମେଦଭେଦେଭ, ଷଷ୍ଠ ମାନ୍ୟତାପ୍ରାପ୍ତ ଆଲେକ୍ସ ଡି’ମିନୌର, ନରୱେର କାସ୍ପର ରୁଡ୍, ରୁଷିଆର ଆନ୍ଦ୍ରେ ରୁବଲେଭ ନିଜ ନିଜ ମ୍ୟାଚ୍ ଜିତି ଆଗକୁ ବଢ଼ିଛନ୍ତି।
ସର୍ବିୟା ତରାକା ଚତୁର୍ଥ ମାନ୍ୟତାପ୍ରାପ୍ତ ଜୋକୋଭିକ୍ ସିଧାସଳଖ ୬-୩, ୬-୨, ୬-୨ ସେଟ୍ରେ ସ୍ପେନ୍ର ପେଡ୍ରୋ ମାର୍ଟିନେଜ୍ଙ୍କୁ ହରାଇ ୨୫ତମ ଗ୍ରାଣ୍ଡ ସ୍ଲାମ୍ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ରୁଷିଆର ମେଦେଭେଦେଭ ୭-୫, ୬-୨, ୭-୬ ସେଟ୍ରେ ନେଦରଲାଣ୍ଡ୍ସର ଜେସପର ଡି’ଜୋଙ୍ଗଙ୍କୁ, ଷଷ୍ଠ ମାନ୍ୟତାପ୍ରାପ୍ତ ମିନୌର ୬-୨, ୬-୨, ୬-୩ ସେଟ୍ରେ ଆମେରିକାର ମାକାଞ୍ଜି ଡୋନାଲ୍ଡଙ୍କୁ, ଦ୍ବାଦଶ ମାନ୍ୟତାପ୍ରାପ୍ତ ରୁଡ୍ ୬-୧, ୬-୨, ୬-୪ ସେଟ୍ରେ ଇଟାଲିର ମାତିଆ ବେଲୁସିଙ୍କୁ ଏବଂ ୧୩ ନମ୍ବର ରୁବଲେଭ ୬-୪, ୬-୨, ୬-୨ ସେଟ୍ରେ ଇଟାଲିର ମାତିଓ ଅର୍ନାଲ୍ଡିଙ୍କୁ ପରାସ୍ତ କରିଛନ୍ତି।
Follow Us