ଲାଭ-କ୍ଷତିର ଅଙ୍କକଷା ତୁଟୁନି ! ବିଜେପିକୁ ଫେରିବା ନେଇ ନିଷ୍ପତ୍ତି କରିପାରୁ ନାହାନ୍ତି ବିଜୟ

Advertisment
ଲାଭ-କ୍ଷତିର ଅଙ୍କକଷା ତୁଟୁନି ! ବିଜେପିକୁ ଫେରିବା ନେଇ ନିଷ୍ପତ୍ତି କରିପାରୁ ନାହାନ୍ତି ବିଜୟ

ଭୁବନେଶ୍ୱର ( ସୁବ୍ରତ ଦାସ) : ବରିଷ୍ଠ ନେତା ବିଜୟ ମହାପାତ୍ର କେଉଁ ଦଳରେ ଯୋଗ ଦେବେ ତାହା ସ୍ଥିର କରିପାରୁନାହାନ୍ତି। ଗତକାଲି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଏବଂ ଦଳର ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଶ୍ରୀ ମହାପାତ୍ରଙ୍କୁ ତାଙ୍କୁ ତାଙ୍କ ବାସଭବନରେ ଭେଟି ଦଳକୁ ଫେରି ଆସିବା ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ଶ୍ରୀ ମହାପାତ୍ର ଭାରତୀୟ ଜନତା ପାର୍ଟିକୁ ଫେରିବା ପାଇଁ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିନାହାନ୍ତି। ବର୍ତ୍ତମାନ ପରିସ୍ଥିତିରେ କିଭଳି ନିଷ୍ପତ୍ତି ନେଲେ ତାହା ତାଙ୍କ ରାଜନୈତିକ କ୍ୟାରିୟରକୁ ସୁହାଇବ ସେ ନେଇ ଅଙ୍କକଷୁଛନ୍ତି ବରିଷ୍ଠ ରାଜନେତା ବିଜୟ।

ଉପକୂଳ ଓଡ଼ିଶାର ଜଣେ ଟାଣୁଆ ନେତା ଶ୍ରୀ ମହାପାତ୍ର ଗତ ୨୦୧୪ ବିଧାନସଭା ନିର୍ବାଚନରେ ମହାକାଳପଡ଼ା ଆସନରୁ ଭାରତୀୟ ଜନତା ପାର୍ଟି ଟିକେଟରେ ଲଢ଼ିଥିଲେ। ତେବେ ସେ ବିଜୁ ଜନତା ଦଳ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ଠାରୁ ହାରି ଯାଇଥିଲେ। କିନ୍ତୁ ଦଳରେ ତାଙ୍କୁ ସାଂଗଠନିକ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ତାଙ୍କୁ ଦଳର ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଥିଲା। କିନ୍ତୁ ଧୀରେ ଧୀରେ ମହାପାତ୍ର ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଦୂରତା ବଢ଼ିଥିଲା। ଶ୍ରୀ ମହାପାତ୍ର ଧୀରେ ଧୀରେ ଦଳୀୟ ଦାୟିତ୍ୱରୁ ଦୂରେଇ ଯାଇଥିଲେ। ପରେ ତାଙ୍କୁ କେନ୍ଦ୍ରାପଡ଼ା ଭାରତୀୟ ଜନତା ପାର୍ଟି ସଂଗଠନରୁ ମଧ୍ୟ ନିଲମ୍ବନ କରାଯାଇଥିଲା।

publive-image OST

ଶେଷରେ ଗତ ନଭେମ୍ବର ୩୦ ତାରିଖରେ ଶ୍ରୀ ମହାପାତ୍ର ଦଳର ଅନ୍ୟତମ ଟାଣୁଆ ନେତା ରାଉରକେଲା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସହିତ ଦଳରୁ ଇସ୍ତଫା ଦେଇଥିଲେ। ତା’ପରଠାରୁ ଶ୍ରୀ ମହାପାତ୍ର ତାଙ୍କର ରାଜନୈତିକ ବନ୍ଧୁ ଶ୍ରୀ ରାୟଙ୍କ ସହ ବିଜୁ ଜନତା ଦଳରେ ଯୋଗ ଦେଇପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଇତି ମଧ୍ୟରେ ଭାରତୀୟ ଜନତା ପାର୍ଟିରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତପଣ୍ଡା ଯୋଗ ଦେବା ପରେ ଶ୍ରୀ ମହାପାତ୍ରଙ୍କୁ ଦଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଦଳର ଜାତୀୟ ସ୍ତରୀୟ ନେତାମାନେ ମଧ୍ୟ ତାଙ୍କୁ ଦଳକୁ ଫେରାଇ ଆଣିବାକୁ ଚାହୁଁଛନ୍ତି।

ଶ୍ରୀ ପଣ୍ଡା ଓ ବିଜେପି ବିଧାୟମ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଶ୍ରୀ ମହାପାତ୍ରଙ୍କ ଘନିଷ୍ଠତା ରହିଛି। ସେମାନେ ଏବେ ଶ୍ରୀ ମହାପାତ୍ରଙ୍କୁ ଦଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe