ଭୁବନେଶ୍ୱର: ରାଜ୍ୟ ବିଜେପି ସରକାରଙ୍କର ଟେଟ୍ରା ପ୍ୟାକରେ ମଦ ବିକ୍ରିର ନିଷ୍ପତ୍ତିକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି । ନିକଟରେ ଓଡ଼ିଶା ବିଧାନସଭାରେ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଥିଲେ ଯେ, ମଦ କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକରେ ବିକ୍ରି କରାଯିବ । ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏବଂ ବିଜୁ ମହିଳା ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ସୁମିତ୍ରା ଜେନା ଏହି ନିଷ୍ପତ୍ତିକୁ ଅନୈତିକ ଓ ଯୁବ ବିରୋଧୀ ବୋଲି କହିବା ସହିତ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ।
ଶ୍ରୀମତୀ ମଲ୍ଲିକ କହିଛନ୍ତି, ନିର୍ବାଚନ ସମୟରେ ବିଜେପି ଓଡ଼ିଶାକୁ ମଦମୁକ୍ତ କରିବାର ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏବେ ଟେଟ୍ରା ପ୍ୟାକ୍ ପ୍ୟାକେଜିଂ ପ୍ରଚଳନ କରି ଓଡ଼ିଶାକୁ ମଦଯୁକ୍ତ ରାଜ୍ୟରେ ପରିଣତ କରିବାକୁ ଯାଉଛନ୍ତି । ମଦ ବିରୋଧରେ ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଏବେ ମଦକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି, ଯେଉଁଥିପାଇଁ ପ୍ରଥମଥର ପାଇଁ ମଦରୁ ରାଜସ୍ୱ ଆୟ ୧୦,୦୦୦ କୋଟି ଟଙ୍କା ଅତିକ୍ରମ କରିଛି । ପୂର୍ବ ସରକାରଙ୍କ ଦ୍ୱାରା ବନ୍ଦ ହୋଇଥିବା ୭୦ଟି ମଦ ଦୋକାନ ଗୁଡ଼ିକୁ ପୁନର୍ବାର ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଏକ ଲଜ୍ଜାଜନକ କଥା ।
ରାଜ୍ୟ ସରକାର ଲୋକଙ୍କ କଲ୍ୟାଣ ଅପେକ୍ଷା, ରାଜସ୍ୱ ଉପରେ ପ୍ରାଥମିକତା ଦେଉଛନ୍ତି । ମହୁଲିରୁ ମଦ, ମାଣ୍ଡିଆରୁ ମଦ ଓ ଗନ୍ଧହୀନ ମଦ, ନୂତନ ପ୍ରକାରର ମଦ ପ୍ରଚଳନ ପାଇଁ ସରକାର ଉଦ୍ୟମ କରୁଛନ୍ତି । ପୂର୍ବ ସରକାରଙ୍କ ଦ୍ୱାରା ପ୍ରଚଳିତ ଯୋଜନା ଗୁଡ଼ିକର ନାମ ଓ ରଙ୍ଗ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ବିଜେପି ସରକାରଙ୍କ ନିଜସ୍ୱ ଯୋଜନା ବୋଲି କିଛି ନାହିଁ । ସରକାରଙ୍କର ଏହି ନିଷ୍ପତ୍ତି ଛାତ୍ର ଓ ଯୁବକ ଯୁବତୀ ମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ । ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେ ଦୃଢ ଦାବି କରିଥିଲେ ।
ଶ୍ରୀମତୀ ସୁମିତ୍ରା ଜେନା କହିଥିଲେ ଯେ, ଟେଟ୍ରା ପ୍ୟାକ୍ରେ ମଦ ବିକ୍ରି ଛାତ୍ରମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ । କୌଣସି ଦାୟିତ୍ୱସମ୍ପନ୍ନ ସରକାର ଏହିଭଳି ନୀତିକୁ ପ୍ରୋତ୍ସାହନ ଦେବା ଅତ୍ୟନ୍ତ ନିନ୍ଦନୀୟ । ଏହା ଆଶ୍ଚର୍ଯ୍ୟଜନକ ଯେ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏଭଳି ଅନୈତିକ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି । ଗୁଟଖା ନିଷେଧ ଉପରେ ବିଜେପିର ୟୁ-ଟର୍ଣ୍ଣ ସେମାନଙ୍କର ଦୋମୁହାଁ ନୀତିକୁ ପ୍ରଦର୍ଶିତ କରୁଛି । ଟେଟ୍ରା ପ୍ୟାକରେ ମଦ ବିକ୍ରି ପାଇଁ ସରକାର ନେଇଥିବା ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ବିଜେଡି ଦାବି କରୁଛି । ଏହି ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।
Follow Us