ରାଉରକେଲା: ରେଳ ଷ୍ଟେସନ ମହାରାଜା ହୋଟେରୋଡ୍ଲ ରୁମ୍ରେ ପ୍ରେମିକାକୁ ଜାଳି ଦେଇଛି ପ୍ରେମିକ। ପ୍ଲାଣ୍ଟସାଇଟ୍ ଥାନାରେ ପରିବାର ଲୋକ ଏମିତି ସାଂଘାତିକ ଅଭିଯୋଗ କରିଛନ୍ତି। ପ୍ରେମିକ ବନ୍ଧପୋଷର ଅଜୟ ସା’କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି। ପୁଲିସ ମୃତ ଯୁବତୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସାନ୍ତର କରିଛି। ମୃତ ଯୁବତୀ ସ୍ବାଗତିକାଙ୍କ ପିତା ସ୍ବର୍ଣ୍ଣ ନାୟକଙ୍କ ଲିଖିତ ଏତଲା ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି।
ଶୁକ୍ରବାର ଡିଏସ୍ପି ନିର୍ମଳ ମହାପାତ୍ର ଓ ସାଣ୍ଟିଫିକ୍ ଟିମ୍ ହୋଟେଲରେ ପହଞ୍ଚି ସଂପୃକ୍ତ ପ୍ରକୋଷ୍ଠ, ଖାତା ଓ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ମୃତ ସ୍ବାଗିତକା ଓ ପ୍ରେମିକ ଅଜୟ ହୋଟେଲ ମହାରାଜାର ରୁମ୍ ନଂ ୪୦୨ରେ ରହିଥିବା ହୋଟେଲ ରେଜିଷ୍ଟର୍ରୁ ସ୍ପଷ୍ଟ ହୋଇଛି। ଏହି ଘଟଣା ସହରର ଚର୍ଚ୍ଚାର ବିଷୟ ପାଲଟିଛି। ଲାଠିକଟା ବିରକେରାର ମୂଳବାସିନ୍ଦା ସ୍ବର୍ଣ୍ଣ ନାୟକ ପ୍ଲାଣ୍ଟସାଇଟ୍ ଅଞ୍ଚଳରେ ପରିବାର ସହ ରହୁଥିଲେ। ତାଙ୍କ ଝିଅ ସ୍ବାଗତିକା ଯୁକ୍ତତିନି ଶେଷବର୍ଷର ଛାତ୍ରୀ। ଗୁରୁବାର ସକାଳ ପ୍ରାୟ ସାଢ଼େ ୯ଟାରେ ସେ ଘରୁ ସ୍କୁଟି ନେଇ କମ୍ପୁଟର କ୍ଲାସ୍ ବାହାରିଥିଲେ। ରାଉରକେଲା ଷ୍ଟେସନ ନିକଟରେ ପ୍ରେମିକ ଅଜୟ ସହ ତାଙ୍କର ଦେଖା ସାକ୍ଷାତ ହୋଇଥିଲା। ଦୁହେଁ ସେଠାରୁ ହୋଟେଲ ମହାରାଜାରେ ପହଞ୍ଚିଥିଲେ। ପ୍ରେମିକ ଅଜୟ ନିଜ ପରିଚୟପତ୍ର ଦେଇ ମହରାଜା ହୋଟେଲ୍ର ରୁମ୍ ନଂ ୪୦୨ ବୁକ୍ କରିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ପ୍ରେମିକ ଅଜୟ ହୋଟେଲ ରୁମ୍ରୁ ବାହାରିଥିଲା। ସେ ଯିବାର କିଛି ସମୟ ପରେ ରହୁଥିବା ରୁମ୍ ଭିତରୁ ଧୂଆଁ ବାହାରିଥିଲା। ସ୍ବାଗତିକା ଚିତ୍କାର କରୁଥିବା ଶୁଣାଯାଇଥିଲା। ସ୍ବାଗତିକାର ଚିତ୍କାର ଶୁଣି ହୋଟେଲ କର୍ମଚାରୀ ଓ ପ୍ରେମିକ ଅଜୟ ରୁମ୍ ଭିତରକୁ ପଶିଥିଲେ। ଗୁରୁତର ଅବସ୍ଥାରେ ସ୍ବାଗତିକାଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ର ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି କରିଥିଲେ। ସେଠାରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)କୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତି ପ୍ରାୟ ୧୦ଟାରେ ସ୍ବାଗତିକାଙ୍କ ମୃତ୍ୟୁ ହୋଇଥିଲା। ସ୍ବାଗତିକାଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରେମିକ ଅଜୟ ଫେରାର ହୋଇଯାଇଥିଲା।
ସ୍ବାଗତିକାଙ୍କ ପିତା ସ୍ବର୍ଣ୍ଣ ନାୟକ ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ପ୍ରେମିକ ଅଜୟକୁ ଥାନାକୁ ଉଠାଇ ଆଣିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ବାଗତିକାଙ୍କୁ ହତ୍ୟା କରାଯାଇଛି କି ନାହିଁ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
Follow Us