ନୂଆଦିଲ୍ଲୀ: ସରକାରୀ ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ପୁନରୁଦ୍ଧାର କରିବାକୁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆର୍ଥିକ ସ୍ତରରେ କମ୍ପାନି ଅତ୍ୟନ୍ତ ଚାପରେ ଥିଲେ ମଧ୍ୟ କମ୍ପାନିର କେତେକ ବାବୁଙ୍କୁ କିଛି ଫରକ ପଡ଼ୁନାହିଁ। କମ୍ପାନି ବୁଡ଼ିଯାଉପଛେ ଆମେ ଭିଆଇପି ଠାଣି ଛାଡ଼ିବୁନି। କିଛି ଅଧିକାରୀଙ୍କ ଏଭଳି ଆଭିମୁଖ୍ୟ ଉଭୟ କମ୍ପାନି ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସେଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ବିଏସ୍‌ଏନ୍‌ଏଲ୍‌ର ଜଣେ ନିର୍ଦ୍ଦେଶକଙ୍କ ଗସ୍ତ ସୂଚୀ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। କମ୍ପାନି କାମରେ ନୁହେଁ, ତାଙ୍କ ବ୍ୟକ୍ତିଗତ ଗସ୍ତ ପାଇଁ ପ୍ରସ୍ତୁତ ହୋଇଥିବା ସୂଚୀରେ ଯେଉଁ ସବୁ ବ୍ୟବସ୍ଥା କରିବାକୁ କୁହାଯାଇଛି ତାହା ଜଣାପଡ଼ିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। 

Advertisment

ଆହୁରି ପଢନ୍ତୁ: Industries In Odsiha: ଜୁନ୍ ସୁଦ୍ଧା ୩ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶର ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଏଭଳି ଅଧିକାରୀ ଜଣଙ୍କୁ କଡ଼ା ନିନ୍ଦା କରାଯାଇଛି। ଘଟଣା ସମ୍ପର୍କରେ ଜାଣିବା ପରେ ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କ ଗସ୍ତକୁ ବାତିଲ କରାଯାଇଛି। ଟେଲିକମ୍‌ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଘଟଣାକୁ ଅଜବ ଓ ଅଗ୍ରହଣୀୟ କହିଛନ୍ତି। ଘଟଣାଟି ହେଉଛି ଏହିଭଳି। ବିଏସ୍‌ଏନ୍‌ଏଲ୍‌ର ନିର୍ଦ୍ଦେଶକ ବିବେକ ବନଜଲ ନିଜ ବ୍ୟକ୍ତିଗତ କାମରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଗସ୍ତ କରିବାର ଥିଲା। ସେଠାରେ ସେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ସହ ଆଖପାଖର ମନ୍ଦିର ବୁଲିବା ପାଇଁ ଗସ୍ତ ସୂଚୀ ପ୍ରସ୍ତୁତ ହୋଇଥିଲା।

ତାଙ୍କ ଗସ୍ତ ସୂଚୀକୁ ନେଇ ମହାପ୍ରବନ୍ଧକ ସ୍ତରରେ ଜାରି ହୋଇଥିବା ନିର୍ଦ୍ଦେଶ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ସେଥିରେ ତାଙ୍କ ଗସ୍ତ ପାଇଁ ଯେଉଁଭଳି ରାଜକୀୟ ବ୍ୟବସ୍ଥା କରିବାର ନିର୍ଦ୍ଦେଶ ଥିଲା ତାହାକୁ ଦେଖି ଲୋକମାନଙ୍କ ଚକିତ ହୋଇପଡ଼ିଥିଲେ। ନିଜର ବ୍ୟକ୍ତିଗତ ଧାର୍ମିକ ଯାତ୍ରା ପାଇଁ ସରକାରୀ କର୍ମଚାରୀ ଓ ସମ୍ବଳର ଅପବ୍ୟହାର ଉଦ୍ୟମକୁ ଲୋକମାନେ କଡ଼ା ନିନ୍ଦା କରିଛନ୍ତି।

ଆହୁରି ପଢନ୍ତୁ: Transformation Fund: ସହର ଉପକଣ୍ଠ ରୂପାନ୍ତରଣ ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି

ଚଳିତ ମାସ ୨୫-୨୬‌ରେ ବନଜଲ ପ୍ରୟାଗରାଜ ଗସ୍ତ କରିବାର ଥିଲା। ସେଥିପାଇଁ ୧୯ ତାରିଖରେ ଏକ ଗସ୍ତ ସୂଚର ଜାରି ହୋଇଥିଲା। ତାଙ୍କ ଗସ୍ତ ସଫଳ କରିବାକୁ ୫୦ରୁ ଅଧିକ ଅଧିକାରୀ ଓ କର୍ମଚାରୀଙ୍କୁ ୨୦ ପ୍ରକାର କାମ କରିବାକୁ କୁହାଯାଇଥିଲା। ରେଳ ଷ୍ଟେସନରୁ ସ୍ବାଗତ କରିବାଠାରୁ ଆରମ୍ଭ କରି ବଡେ ହନୁମାନ ମନ୍ଦିର, ଅକ୍ଷୟବତ ଓ ପାତାଳପୁରୀ ମନ୍ଦିରରେ ଦର୍ଶନ, ତ୍ରିବେଣୀ ସଙ୍ଗମରେ ବୁଡ଼, ଡଙ୍ଗାରେ ବୁଲିବା, ଭୋଜନ, ପରିବହନ ଓ ତାଙ୍କ ଅନ୍ୟାନ୍ୟ କାମର ପରିଚାଳନା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଥିଲା। ତାଙ୍କ ଗତିବିଧି ପରିଚାଳନା, ଆତିଥ୍ୟ, ଖାଦ୍ୟପେୟ ଓ ଗସ୍ତ ପରବର୍ତ୍ତୀ ସମନ୍ବୟ ପାଇଁ ପୃଥକ ପୃଥକ ଦଳ ଗଠନ କରିବାକୁ କୁହାଯାଇଥିଲା।ତାଙ୍କ ସମ୍ପୂର୍ଣ୍ଣ ଗସ୍ତ ପାଇଁ ଜଳପାନ, ଗମନାଗମନ ବ୍ୟବସ୍ଥା ସହ ଗାମୁଛା, ଅନ୍ତବସ୍ତ୍ର, ଚପଲ, ପାନିଆ, ଦର୍ପଣ, କେଶ ତୈଳ ଓ ବ୍ୟକ୍ତିଗତ ଯତ୍ନ ସାମଗ୍ରୀ ଓ ଅନ୍ୟାନ୍ୟ ସ୍ନାନ ସାମଗ୍ରୀ ଭଳି ଟିକିନିଖି ଜିନିଷ ପ୍ରସ୍ତୁତ ରଖିବାକୁ କମ୍ପାନିର ସ୍ଥାନୀୟ ଅଧିକାରୀମାନଙ୍କୁ କୁହାଯାଇଥିଲା। 

ଆହୁରି ପଢନ୍ତୁ: 🔴 LIVE News Updates 2026 February 25: ୨୫ କୋଟିର ଅଫିମ ଚାଷ ନଷ୍ଟ; ମାଓବାଦୀଙ୍କୁ ହତ୍ୟା କଲେ ମାଓବାଦୀ

ଘାଟରେ ବସିବା ପାଇଁ ବେଡ୍‌ସିଟ୍‌ ରଖିବାକୁ କୁହାଯାଇଥିଲା। ତାଙ୍କ ଗସ୍ତରେ ବ୍ୟବହାର ହେବାକୁ ଥିବା ଗାଡ଼ିରେ ପାଣି ବୋତଲ, ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ବନଜଲଙ୍କ ସ୍ନାନ ପୂଜା ପରେ ଫଟୋ ଉଠାଇବା ସହିତ ତାଙ୍କ ବ୍ୟକ୍ତିଗତ ଜିନିଷର ପରିଚାଳନା କରିବାକୁ ମଧ୍ୟ ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା। ହୋଟେଲ୍‌ ଓ ସର୍କିଟ୍‌ ହାଉସ୍‌ ରହଣୀ ପାଇଁ ଡ୍ରାଏ ଫ୍ରୁଟ୍‌ସ, ଫଳ, ସେଭିଂ କିଟ୍‌, ଗୋଟିଏ ମାଗୁଛା, ଟୁଥ୍‌ପେଷ୍ଟ୍‌, ସାବୁନ, ସାମ୍ପୁ, ପାନିଆ ଓ ତେଲ ରଖିବାକୁ କୁହାଯାଇଥିଲା।

ଆହୁରି ପଢନ୍ତୁ: Destruction of Nehru's statue: ଆସାମରେ ନେହରୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା: ଏତଲା ରୁଜୁ କଲା କଂଗ୍ରେସ

ବନଜଲଙ୍କ ଗସ୍ତ ସୂଚୀକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ସାତଦିନ ଭିତରେ କାରଣ ଦର୍ଶାଅ ‌ନୋଟିସ୍‌ର ଉତ୍ତର ଦେବାକୁ ତାଙ୍କୁ କୁହାଯାଇଛି। ତାଙ୍କୁ ସହଜରେ ଛଡ଼ାଯିବ ନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ କୁହାଯାଇଛି ଯେ ଅଧିକାରୀଙ୍କ ଗସ୍ତକୁ ନେଇ କମ୍ପାନିରେ ନିର୍ଦ୍ଦିଷ୍ଟ ନିୟମ ରହିଛି। ତାହାର ଉଲ୍ଲଂଘନ ହେଲେ ଘଟଣାକୁ ବିଚାରକୁ ନିଆଯିବ। ଯେଉଁ ଘଟଣା ସମ୍ପର୍କରେ ଚର୍ଚ୍ଚା ହେଉଛି ତାହା ବିଏସ୍‌ଏନ୍‌ଏଲ୍‌ ପେସାଦାର ମାନକ ଓ ମୂଲ୍ୟବୋଧର ପରିପନ୍ଥି ବୋଲି କମ୍ପାନି କହିଛି। 

ନିର୍ଧାରିତ ନିୟମକୁ ଠିକ୍‌ ଭାବେ ପାଳନ କରିବାକୁ କର୍ମଚାରୀମାନଙ୍କୁ କମ୍ପାନି କର୍ତ୍ତୃପକ୍ଷ ସତର୍କ କରାଇଛନ୍ତି। ବିଏସଏନଏଲର ଜନସମ୍ପର୍କ ଅଧିକାରୀ ଆଶିଷ ଗୁପ୍ତା ନିର୍ଦ୍ଦେଶକଙ୍କ ପ୍ରୟାଗରାଜ କାର୍ଯ୍ୟକ୍ରମକୁ ପ୍ରତ୍ୟାହାର କରାଯାଇଥିବା ନିଶ୍ଚିତ କରିଛନ୍ତି। ସରକାରୀ ସ୍ତରରେ ଏହି ଘଟଣାକୁ ପ୍ରଶାସନିକ ସ୍ତରରେ ଅନୁଶୀଳନ ଓ ଯାଞ୍ଚ କରାଯାଉଛି।