ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟର ୩ ଜଣ ମହିଳାଙ୍କ ପ୍ରତି ଜାତିଗତ ଆକ୍ଷେପ ଏବଂ ଏକ ଦମ୍ପତି ଦ୍ବାରା ଧମକ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ବୁଧବାର ରେଖା ଗୁପ୍ତା ସମ୍ପୃକ୍ତ ମହିଳାମାନଙ୍କୁ ଭେଟିଥି‌ଲେ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଭିଡିଓ ଜାରି କରି ରେଖା ଗୁପ୍ତା କହିଥିଲେ, ଦିଲ୍ଲୀ ସମସ୍ତଙ୍କର। ସମସ୍ତ ନାଗରିକଙ୍କ ମର୍ଯ୍ୟାଦା, ସମ୍ମାନ ଓ ସୁରକ୍ଷା ସର୍ବାଗ୍ରେ ରହିଛି। ଦୋଷୀଙ୍କ ବିରୋଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଥିଲେ। 

Advertisment

କୌଣସି ମହିଳାଙ୍କ ସହିତ ଭେଦଭାବ କରିବା, କିମ୍ବା ଅପମାନିତ କରାଯିବାକୁ ଗ୍ରହଣ କରାଯିବନି ବୋଲି ରେଖା ଗୁପ୍ତା କହିଛନ୍ତି। ଦିଲ୍ଲୀର ମାଲବ୍ୟ ନଗରରେ ଏକ ଦମ୍ପତି ଉତ୍ତରପୂର୍ବ ରାଜ୍ୟର ମହିଳାଙ୍କୁ ‘ଧନ୍ଦେ ବାଲି’ କହିବା ସହିତ ଧମକ ଦେବାର ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ଚର୍ଚ୍ଚାକୁ ଆସିଥିଲା।

ଆହୁରି ପଢନ୍ତୁ:OTT platforms: ଅଶ୍ଳୀଳ ବିଷୟବସ୍ତୁ ଦେଖାଉଥିବା ୫ ଓଟିଟି ପ୍ଲାଟଫର୍ମ ବନ୍ଦ କଲା କେନ୍ଦ୍ର

ପୁଲିସ ବୁଧବାର ଅଭିଯୁକ୍ତ ରୁବି ଜୈନ (୩୫) ଓ ତାଙ୍କ ସ୍ବାମୀ ହର୍ଷ ସିଂହଙ୍କୁ ଗିରଫ କରିଛି। ପୁଲିସ ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଦମ୍ପତିଙ୍କ ନାଁରେ ମାମଲା ରୁଜୁ କରିଛି। ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ଉତ୍ତର ପୂର୍ବ ରାଜ୍ୟ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉତ୍ତର-ପୂର୍ବ ରାଜ୍ୟ ମହିଳାଙ୍କ ପ୍ରତି ଏପରି ବ୍ୟବହାର ପ୍ରଦର୍ଶନ ଘଟଣାକୁ ନିନ୍ଦା କରିଥିଲେ।