ଶୂନ୍ୟକାଳ ଆରମ୍ଭରୁ ଗୃହରେ ବୈଷ୍ଣବ ଝଡ଼: ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲା କଂଗ୍ରେସ

Advertisment
ଶୂନ୍ୟକାଳ ଆରମ୍ଭରୁ ଗୃହରେ ବୈଷ୍ଣବ ଝଡ଼: ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲା କଂଗ୍ରେସ

News Nation

ଭୁବନେଶ୍ୱର: ଓଡ଼ିଶାରୁ ରାଜ୍ୟସଭା ଉପନିର୍ବାଚନ ପ୍ରାର୍ଥୀ ହୋଇଥିବା ପୂର୍ବତନ ଆଇଏଏସ୍‌ ଅଫିସର୍‌ ଅଶ୍ୱିନୀ ବୈଷ୍ଣବଙ୍କ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏକ ବିବୃତି ଦେବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ସେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ନିବେଦନ କରିଛନ୍ତି।

ଆଜି ବିଧାନସଭାରେ ଶୂନ୍ୟକାଳରେ ଏକ ବୈଧାନିକ ପ୍ରଶ୍ନ ମାଧ୍ୟମରେ ଶ୍ରୀ ମିଶ୍ର କହିଲେ ଯେ, ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଇଚ୍ଛାଧୀନ କୋଟାରେ ଏକାଧିକ ବାସଗୃହ ଆବଣ୍ଟନ ସଂପର୍କରେ ବରିଷ୍ଠ ଆଇଏଏସ୍‌ ଅଫିସର ତାରା ଦତ୍ତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟରେ ଶ୍ରୀ ବୈଷ୍ଣବଙ୍କ ନାମ ରହିଛି। ତାଙ୍କ ନାମରେ ମଧ୍ୟ ଭିଜିଲାନ୍ସ ମାମଲା ରୁଜୁ କରାଯାଇଥିଲା। ଶ୍ରୀ ବୈଷ୍ଣବଙ୍କ ନାମରେ ଥିବା ଏହି ସବୁ ଅଭିଯୋଗରୁ ତାଙ୍କୁ ମୁକ୍ତ କରାଯାଇଛି କି ନାହିଁ ତାହା ମୁଖ୍ୟମନ୍ତ୍ରୀ ଗୃହକୁ ସ୍ପଷ୍ଟୀକରଣ ଦିଅନ୍ତୁ।

publive-image Odisha Bytes

ସେହିପରି ଶ୍ରୀ ବୈଷ୍ଣବ ବହୁ ଖଣି କଂପାନୀର ନିର୍ଦ୍ଦେଶକ ଥିବାର ତଥ୍ୟ ପ୍ରମାଣ ତାଙ୍କ ପାଖରେ ରହିଛି ଏବଂ ଖଣି ଦୁର୍ନୀତି ସଂପର୍କରେ ଜଷ୍ଟିସ୍‌ ଏମ୍‌.ବି.ଶାହ କମିଶନଙ୍କ ରିପୋର୍ଟରେ ଉଲ୍ଲଖିତ ବହୁ ଖିଲାପକାରୀ କଂପାନୀ ସହିତ ଶ୍ରୀ ବୈଷ୍ଣବ ସଂପୃକ୍ତ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ଏଥିପାଇଁ ଖଣି ଦୁର୍ନୀତି ସଂପର୍କରେ ସିବିଆଇ ତଦନ୍ତ ଲାଗି ଏନ୍‌ଡିଏ ସରକାର ନିର୍ଦ୍ଦେଶ ଦେଲେ ନାହିଁ ବୋଲି ସେ କହିଥିଲେ।

ଶ୍ରୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇଲେ ଓଡ଼ିଶାର କି ସ୍ୱାର୍ଥ ସାଧିତ ହେବ ବୋଲି ଗୃହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ଦାବି କରିଥିଲେ। ବିଜୁ ଜନତା ଦଳ ରାଜ୍ୟର ସ୍ୱାର୍ଥ ପାଇଁ ଲଢ଼ି ଚାଲିଛି ବୋଲି କହୁଥିବା ବେଳେ ଓଡ଼ିଶାର ଅଧିବାସୀ ହୋଇ ନ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ କାହିଁକି ଦଳ ସମର୍ଥନ କରୁଛି ତାହା ଗୃହ ଜାଣିବା ଦରକାର ବୋଲି କହିଥିଲେ ଶ୍ରୀ ମିଶ୍ର। ଏହି ଦାବିକୁ ସମର୍ଥନ କରି କଂଗ୍ରେସ ଦଳର ଉପନେତା ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଥିଲେ କି ଶ୍ରୀ ବୈଷ୍ଣବଙ୍କର ଖଣି ମାଲିକ ପ୍ରଭାକରନ୍‌ ଏବଂ ଅମିତ ଶାହଙ୍କ ପୁଅଙ୍କ ସହ ସଂପର୍କ ରହିଛି। ଏହାର ତଦନ୍ତ କରାଯାଉ।

ତେବେ କଂଗ୍ରେସର ଅଭିଯୋଗ ସଂପର୍କରେ ରାଜ୍ୟସଭା ପ୍ରାର୍ଥୀ ଶ୍ରୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏସବୁ ମିଥ୍ୟା ଓ ଅମୂଳକ ବୋଲି କହିଥିଲେ। କଂଗ୍ରେସ ଏହି ସବୁ ଅଭିଯୋଗ ସଂପର୍କରେ ତଦନ୍ତ କରାଉ ବୋଲି ସେ ଆହ୍ଵାନ ଦେଇଥିଲେ। ରାଜ୍ୟସଭା ନିର୍ବାଚନ ସରିଯାଉ, ତା’ପରେ ମୁଁ ସବୁକଥା କହିବି ବୋଲି ଶ୍ରୀ ବୈଷ୍ଣବ ବିଧାନସଭା ଗୃହ ବାହାରେ ଗଣମାଧ୍ୟମକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe