କନେଷ୍ଟବଳ ସ୍ବାମୀଙ୍କ ଆକ୍ରମଣରେ କନେଷ୍ଟବଳ ସ୍ତ୍ରୀ ଗୁରୁତର

ବିବାହ ଭୋଜିରୁ ଫେରୁଥିବା ସମୟରେ କନେଷ୍ଟବଳ ସ୍ତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି କନେଷ୍ଟବଳ ସ୍ବାମୀ ଫେରାର ମାରିଥିବା ତୁଷୁରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

attempt

ତୁଷୁରା: ବିବାହ ଭୋଜିରୁ ଫେରୁଥିବା ସମୟରେ କନେଷ୍ଟବଳ ସ୍ତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି କନେଷ୍ଟବଳ ସ୍ବାମୀ ଫେରାର ମାରିଥିବା ତୁଷୁରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବଲାଙ୍ଗୀର ରିଜର୍ଭ ପୁଲିସରେ କାମ କରୁଥିବା ସମରା ଗ୍ରାମର କନେଷ୍ଟବଳ ଜ୍ୟୋତିରଂଜନ ପ୍ରଧାନ ତାଙ୍କ କନେଷ୍ଟବଳ ସ୍ତ୍ରୀ ଦେଓଗାଁ ବ୍ଲକ୍‌ କୁନ୍ଦେମାଲ ଗାଁର ନୂପୁର ବିଶ୍ବାଳଙ୍କ ସହିତ ସମରା ଗ୍ରାମକୁ ବିବାହ ଭୋଜି ଖାଇବାକୁ ଆସିଥିଲେ। ସାଙ୍ଗରେ ତାଙ୍କ ବାପା ଓ ମା’ ମଧ୍ୟ ଥିଲେ। ଭୋଜି ଖାଇସାରି ସନ୍ଧ୍ୟାରେ ସମରା- ବଡ଼ଙ୍ଗୋମୁଣ୍ତା ରାସ୍ତା ଦେଇ ତାଙ୍କ ବାପା, ମା’ ଓ ଝିଅଙ୍କୁ କାର୍‌ରେ ପଠାଇ ଦେଇଥିଲେ।

 ଏକ ବାଇକ୍‌ରେ ଜ୍ୟୋତିରଞ୍ଜନ ତାଙ୍କ ସ୍ତ୍ରୀ ନୂପୁରଙ୍କ ସହିତ ବଲାଙ୍ଗୀର ଅଭିମୁଖେ ବାହାରିଥିଲେ। ରାସ୍ତାରେ ଏକ ପୋଖରୀ ପାଖରେ ପରିସ୍ରା କରିବା ବାହାନାରେ ପୂର୍ବ ଯୋଜନା ମୁତାବକ ଜ୍ୟୋତିରଞ୍ଜନ ବାଇକ୍‌ରୁ ଓହ୍ଲାଇ ପଛପଟୁ ନୂପୁରଙ୍କୁ ଏକ ପଥର ସାହାଯ୍ୟରେ ଅତର୍କିତ ଭାବେ ମୁଣ୍ତରେ ଆକ୍ରମଣ କରିଥିଲେ। ପଛପଟେ ଅନ୍ୟ ଏକ ବାଇକ୍‌ରେ ଆସୁଥିବା ଜ୍ୟୋତିରଞ୍ଜନଙ୍କ ସହଯୋଗୀ ଜଗା ପ୍ରଧାନ ମଧ୍ୟ ଆକ୍ରମଣ କରିଥିଲେ। ଏହି ସମୟରେ ନୂପୁର ଚିତ୍କାର କରିବାରୁ ପାଖ ବିଲରେ ଥିବା କିଛି ଗ୍ରାମବାସୀ ଘଟଣାସ୍ଥଳକୁ ଆସିଯାଇଥିଲେ। ଫଳରେ ଜ୍ୟୋତିରଞ୍ଜନ ଓ ଜଗା ଘଟଣାସ୍ଥଳରୁ ଫେରାର୍‌ ହୋଇଥିଲେ। ଏହାପରେ ଉକ୍ତ ଗ୍ରାମବାସୀ ନୂପୁରଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ପଠାଇଥିଲେ।

ଏବେ ନୂପୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ମୁଣ୍ତରେ ୬ଟି ସ୍ଥାନରେ ଗଭୀର ଆଘାତ ଲାଗିଥିବାରୁ ଅସ୍ତ୍ରୋପଚାର କରାଯାଇଛି। ତାଙ୍କ ବାପା ସତ୍ୟବାନ ବିଶ୍ବାଳ ଝିଅକୁ ଆକ୍ରମଣ କରିଥିବା ନେଇ ଜ୍ୟୋତିରଞ୍ଜନ ଓ ଜଗାଙ୍କ ନାମରେ ତୁଷୁରା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଜଗାଙ୍କୁ ଅଟକ ରଖାଯାଇଛି ଓ ଜ୍ୟୋତିରଞ୍ଜନ ଫେରାର ଅଛନ୍ତି। ଆକ୍ରମଣର କାରଣ ଜଣାପଡ଼ି ନାହିଁ ବୋଲି ଥାନାଧିକାରୀ ମନୋଜ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe