ପାରଳାଖେମୁଣ୍ଡି: କଳା ତାଲିକାଭୁକ୍ତ ହେଲା ଠକ ଠିକା ସଂସ୍ଥା, ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ କାମ ହାତେଇବା ଘଟଣାରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ପ୍ରବେଶ ପଥରେ ରହିଥିବା ବୃହତ ରାମ ସାଗରର ପୁନରୁଦ୍ଧାର ନିମନ୍ତେ ଟେଣ୍ଡର ପାଇ ୨୦୨୪ ଜାନୁଆରୀ ୩୦ରେ କାର୍ଯ୍ୟ ଆରମ୍ଭ କରିଥିଲେ ଠିକାଦାର ଚିନ୍ମୟ ରଞ୍ଜନ ସାହୁ । ସାଗରର ପଙ୍କୋଦ୍ଧାର ସହ ହିଡ ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ ଠିକାଦାର, ଡିସେମ୍ବର ୨୦୨୪ ସୁଧା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ସାଗରର ମଧ୍ୟ ଭାଗରେ ଠାଏଁ ଠାଏଁ ପାହାଡ଼ ପରି ମାଟି ଜମା କରି ଫେରାର ହୋଇଗଲେ ଠିକାଦାର, କିନ୍ତୁ ଇତି ମଧ୍ୟରେ କାର୍ଯ୍ୟ ବାବଦକୁ ୨ କୋଟି ୪୦ ଲକ୍ଷ ୭୯ ହଜାର ଟଙ୍କା ବିଲ କରି ଚଳୁ ହୋଇଥିବା ସଭିଙ୍କୁ ଚକିତ କରିଥିଲା ।
ପରବର୍ତ୍ତୀ ସମୟରେ ଠିକା ସସ୍ଥା ସିକ୍ୟୁରିଟି ବାବଦକୁ ୭୬ ଲକ୍ଷ ଟଙ୍କାର ନକଲି ଜାଲ ବଣ୍ଡ ଦେଇଥିବା ଜଣାପଡିଥିଲା । ବିଭାଗ ଯୋଗାଯୋଗ କରି ବିଫଳ ହେବାପରେ କାର୍ଯ୍ୟନୁଷ୍ଠାନ ପାଇଁ ବିଭାଗକୁ ଚିଠି ଲେଖିଥିଲେ ଅଧିକ୍ଷଣ ଯନ୍ତ୍ରୀ । ଫଳରେ ଘଟଣାର ଯାଞ୍ଚ କରି ବିଭାଗ ସମ୍ପୃକ୍ତ ଠିକା ସଂସ୍ଥାକୁ କଳା ତାଲିକା ଭୁକ୍ତ କରିଛି । କିନ୍ତୁ ରାମସାଗର ପୁନରୁଦ୍ଧାର କାର୍ଯ୍ୟ ଅଧାରେ ସେହିଭଳି ଅବସ୍ଥାରେ ପଡିରହିଛି । ଫଳରେ ସରକାରଙ୍କର ଲକ୍ଷ୍ୟ ବାଟବଣା ହୋଇଥିବାବେଳେ ଚାଷୀ ତଥା ପାରଳାବାସୀଙ୍କ ଆଶା ମଉଳି ଯାଇଛି। ଦୀର୍ଘଦିନ ପରେ ରାମ ସାଗରର ପୁନରୁଦ୍ଧାର ହୋଇ ସୋନ୍ଦର୍ଯ୍ୟକରଣ ହେବ, ନୌବିହାର ସହ ଶିଶୁ ଉଦ୍ୟାନ ଆଦି ନିର୍ମାଣ କରି ଏକ ଆକର୍ଷଣୀୟ ପରିବେଶ ସୃଷ୍ଟି କରିବା ନେଇ ଯୋଜନା କରିଥିଲେ ସରକାର ।
ସମ୍ପୃକ୍ତ ଠିକାଦାରଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁଁ ଯୋଜନା କାର୍ଯ୍ୟକାରୀ ହେବା ବଦଳରେ ଅଧାରେ ଅଟକିଗଲା । ଏଥିରେ ନା ହୋଇଛି ପଙ୍କୋଦ୍ଧାର ନା ହୋଇଛି ହିଡ ମରାମତି । ତେବେ ଏହି ସାଗର ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଆସୁଥିବା ବେଳେ ସମ୍ପୃକ୍ତ ଠିକାଦାର ଦେଇଥିବା ବ୍ୟାଙ୍କ ଗ୍ୟାରେଣ୍ଟିକୁ ଯାଞ୍ଚ ନକରି ଆଖିବୁଜି କିଭଳି ଗ୍ରହଣ କରିଥିଲେ ତତ୍କାଳୀନ ଅଧିକାରୀ। ଠିକାଦାର ପ୍ରତି ଅନୁକମ୍ପା ଦେଖାଇ ଏତେ ପରିମାଣରେ ବିଲ କଲେ କିପରି । ଯାହା ଠିକାଦାର ଓ ଯନ୍ତ୍ରୀଙ୍କ ଭିତିରିଆ ସମ୍ପର୍କକୁ ପଦାରେ ପକାଉଥିବା ବେଳେ କାର୍ଯ୍ୟ ଆରମ୍ଭରୁ ସଠିକ ଢଙ୍ଗରେ କାର୍ଯ୍ୟ ହେଉନଥିବା ଏବଂ ନିମ୍ନ ମାନର ବୋଲି ଅଭିଯୋଗ ଆଣିଥିଲେ ମଧ୍ୟ ଅଭିଯୋଗକୁ ଗୁରୁତ୍ଵ ଦେଇ ନଥିଲା ବିଭାଗ ।
Follow Us