ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ବ୍ଲିଙ୍କଇଟ୍‌, ଜେପ୍‌ଟୋ ଭଳି କ୍ବିକ୍‌ କମର୍ସ କମ୍ପାନି ୧୦ ମିନିଟ୍‌ ଡେଲିଭରି ଦାବିକୁ ପ୍ରତ୍ୟାହାର କରିଛନ୍ତି। ଯେଉଁ ଡେଲିଭରି ଏଜେଣ୍ଟମାନଙ୍କ ସୁରକ୍ଷାକୁ ନଜର ରଖି ଏହି ପଦକ୍ଷେପ ନିଆଯାଇଛି, ତାହା ସେମାନଙ୍କ ପାଇଁ ବିଶେଷ ସହାୟକ ହେବନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। କମ୍ପାନିଗୁଡ଼ିକ ଯଦିଓ ନିଜ ପ୍ରଚାର ଅଭିଯାନରୁ ୧୦ ମିନିଟ୍‌ ଡେଲିଭରି ଦାବିକୁ ହଟାଇଛନ୍ତି, କିନ୍ତୁ ନିଜ ବ୍ୟବସାୟ ମଡେଲ୍‌ରେ ସେମାନେ କୌଣସି ପରିବର୍ତ୍ତନ କରିନାହାନ୍ତି। ସେହି ମୂଳ ସମସ୍ୟା ଏବେବି ରହିଛି। ଯିଏ ଯେତେଶୀଘ୍ର ଜିନିଷ ପହଞ୍ଚାଇବେ ତାଙ୍କୁ ସେତେ ଅଧିକ ପ୍ରୋତ୍ସାହନ ରାଶି ମିଳିବ। ଅଳ୍ପ ରୋଜଗାର କରୁଥିବା ଡେଲିଭରି ଏଜେଣ୍ଟମାନେ ନିଜ ପ୍ରାପ୍ୟ ବଢ଼ାଇବା ଲାଗି ଶୀଘ୍ର ଜିନିଷ ପହଞ୍ଚାଇବାକୁ ଉଦ୍ୟମ ଜାରି ରଖିବେ।

Advertisment

ଆହୁରି ପଢନ୍ତୁ: Elephant: ଚିନ୍ତା ବଢ଼ାଇଲେଣି ୨ ଦନ୍ତା: ଜଙ୍ଗଲ ଛାଡ଼ି ଜନବସତିରେ ଘୂରି ବୁଲୁଛନ୍ତି

ଫଳରେ ସେମାନଙ୍କ ସୁରକ୍ଷାର ଯେଉଁ ମହତ୍‌ ଉଦ୍ଦେଶ୍ୟ ରଖି ୧୦ ମିନିଟ୍‌ ଡେଲିଭରିକୁ ବନ୍ଦ କରାଗଲା ତାହାର କୌଣସି ସୁଫଳ ମିଳିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏଲାରା କ୍ୟାପିଟାଲ୍‌ର କାର୍ଯ୍ୟନିର୍ବାହୀ ଉପସଭାପତି କରଣ ତୌରାନି କହିଛନ୍ତି ଯେ କ୍ବିକ୍‌ କମର୍ସର ମୁଳଦୁଆ ହେଉଛି ଶୀଘ୍ର, ସୁବିଧାରେ ଏବଂ ପାଖାପାଖି ଅଞ୍ଚଳ‌ରେ ସେବା ଯୋଗାଇବା। ତେଣୁ ୧୦ ମିନିଟ୍‌ ଡେଲିଭରି ପ୍ରଚାର ଶବ୍ଦକୁ ହଟାଇଦେଲେ ଏହି ମୂଳ ଢାଞ୍ଚା ବଦଳିଯିବ ନାହିଁ ବୋଲି ସେ କହିଛନ୍ତି। ଯଦିଓ ୧୦ ମିନିଟ୍‌ ଡେଲିଭରି ବନ୍ଦ ହୋଇଛି, କିନ୍ତୁ ଶୀଘ୍ର ଜିନିଷ ପହଞ୍ଚାଇବା ଲାଗି କ୍ବିକ୍‌ କମର୍ସ କମ୍ପାନିଗୁଡ଼ିକୁ ଅଟକାଇବାକୁ କୌଣସି ଆଇନଗତ ବାଧ୍ୟବାଧକତା ନାହିଁ।

ନୂଆଦିଲ୍ଲୀରେ କାମ କରୁଥିବା ଡେଲିଭରି ଏଜେଣ୍ଟମାନେ କହିଛନ୍ତି ଯେ ୧୦ ମିନିଟ୍‌ ଡେଲିଭରି ବନ୍ଦ ହେବାର କୌଣସି ପ୍ରଭାବ ସେମାନଙ୍କ କାମ ଉପରେ ପଡ଼ିବ ନାହିଁ। ଅଧିକ ଜିନିଷ ପହଞ୍ଚାଇବା ଲାଗି ଚାପ ସବୁବେଳେ ରହିବ। ତେବେ ଅଧିକ ରୋଜଗାର କରିବା ଲାଗି ଆମମାନଙ୍କୁ ଯଥା ସମ୍ଭବ ଶୀଘ୍ର ଓ ଅଧିକ ଜିନିଷ ପହଞ୍ଚାଇବାକୁ ଉଦ୍ୟମ କରିବାକୁ ହେବ। ଶୀଘ୍ର ଜିନିଷ ପହଞ୍ଚାଇବା ସହ ପ୍ରୋତ୍ସାହନ ରାଶିର ସିଧାସଳଖ ସମ୍ପର୍କ ରହିଥିବା ସେମାନେ କହିଛନ୍ତି।

ଆହୁରି ପଢନ୍ତୁ:Cricket: ରାଜକୋଟ ଦିନିକିଆକୁ ୭ ୱିକେଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

ଜଣେ ୨୦ ବର୍ଷୀୟ ଡେଲିଭରି ଏଜେଣ୍ଟ କହିଛନ୍ତି ଯେ ଯେତେ ଅଧିକ ଘଣ୍ଟା କାମ କରିବ ସେତେ ଅଧିକ ପ୍ରାପ୍ୟ ମିଳିବ। ସେଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ୁଛି। ୧୦ ମିନିଟ୍ ଡେଲିଭରି ବନ୍ଦ ହୋଇଥିବା ସମ୍ପର୍କରେ ଆମକୁ କେହି ଅବଗତ କରିନାହାନ୍ତି। ଯଦି ତାହା ହୋଇଥିବ ତେବେ ଭଲ କଥା। କିନ୍ତୁ ଆମ କାମ ଉପରେ ତାହାର କୌଣସି ପ୍ରଭାବ ରହିବନାହିଁ। ଆମ ପାଇଁ ସ୍ବର ଉତ୍ତୋଳନ କରାଯାଇଛି ଓ କିଛି ଭଲ କଥା ଘଟିଥିବା ଜାଣି ଖୁସି ଲାଗୁଛି। କିନ୍ତୁ ଏହା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି।