elephant attacks Photograph: (sambad.in)
ଯୁଯୁମୁରା: ସମ୍ବଲପୁର ଜିଲ୍ଲାରେ ପୁଣି ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପଡ଼ିଆବାହାଲ ରେଞ୍ଜର ପଡ଼ିଆବାହାଲ ସେକ୍ସନ ଅନ୍ତର୍ଗତ ଯୁଯୁମୁରା ବ୍ଲକ ଜୟନ୍ତପୁର ପଞ୍ଚାୟତର ହପ୍ରିଆବାହାଲ ମହାଲିଙ୍ଗପଡ଼ା ଗ୍ରାମର ପ୍ରେମାନନ୍ଦ ଓରାମ (୩୯) ଆଜି ଭୋର ପ୍ରାୟ ୫ଟା ସମୟରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ।
ମିଳିଥିବା ସୂଚନା ଅନୁସାରେ, ପ୍ରେମାନନ୍ଦ ଗାଁ ନିକଟସ୍ଥ ବିଲକୁ ଶୌଚ କାର୍ଯ୍ୟ ପାଇଁ ଯାଇଥିବା ବେଳେ ଅଚାନକ ହାତୀ ସାମ୍ନାକୁ ପଡ଼ିଥିଲେ। ହାତୀ ଆକ୍ରମଣରେ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀମାନେ ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଛନ୍ତି। ନିୟମାନୁସାରେ ପୀଡ଼ିତ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଉଲ୍ଲେଖନୀୟ ଯେ, ଗତ ସୋମବାର ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ଝାଙ୍କରପାଲି ସେକ୍ସନର ଡୁମେରଚୁଆଁ–ମୁଣ୍ଢେର ସଂରକ୍ଷିତ ଜଙ୍ଗଲ ପାଦଦେଶରେ ମଧ୍ୟ ଦନ୍ତା ହାତୀ ଆକ୍ରମଣ ଘଟିଥିଲା। ଏହି ଘଟଣାରେ ହାଲିପାଲି ଗ୍ରାମର ପଞ୍ଚାନନ ପାଇକ (୩୮)ଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଝାଙ୍କରପାଲି ପଞ୍ଚାୟତର ରସିଆପାଲି ଗ୍ରାମର ସୁକାନ୍ତି ପ୍ରଧାନ (୬୬) ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଏହି ଲଗାତାର ହାତୀ ଆକ୍ରମଣ ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି କରିଛି।
Follow Us