ବାରାନକିଲା: ମେକ୍ସିକୋର କୁଖ୍ୟାତ ଡ୍ରଗ୍ ମାଫିଆ ଏଲ୍ ମେଞ୍ଚୋର ହତ୍ୟା ପରଠାରୁ ସମଗ୍ର ଦେଶରେ ଗତ କିଛି ଦିନ ହେଲା ବ୍ୟାପକ ହିଂସା ଜାରି ରହିଛି। ଏହି ସଂଗଠନର ଅଜ୍ଞାତ ବନ୍ଧୁକଧାରୀମାନେ ରାଜରାସ୍ତା, ପେଟ୍ରୋଲ ପମ୍ପ, ଏୟାରପୋର୍ଟ ଓ ଅନ୍ୟାନ୍ୟ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ନିଆଁ ଲଗାଇବା ସହ ବ୍ୟାପକ ହିଂସାକାଣ୍ଡ ଚଳାଇଛନ୍ତି। ଏପରି ସ୍ଥିତିରେ ସେଠାରେ ବିଶ୍ବକପ୍ ଫୁଟ୍ବଲ୍ ଆୟୋଜନକୁ ନେଇ ଆଶଙ୍କା ଦେଖାଦେଇଛି। ତେବେ ଏ ସଂପର୍କରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ଫିଫା ମୁଖ୍ୟ ଗିଆନି ଇନଫାଣ୍ଟିନୋ। ସେ କହିଛନ୍ତି ଯେ ସେଠାରେ ବିଶ୍ବକପ୍ ଆୟୋଜନକୁ ନେଇ ସେ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ଅଛନ୍ତି, ସବୁକିଛି ଠିକ୍ ଅଛି । ସେଠାରେ ଏକ ଚମତ୍କାର ବିଶ୍ବକପ୍ ହେବ।
ଏହା ପୂର୍ବରୁ ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ସେନବାଅମ୍ କହିଥିଲେ ଯେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି ଓ ବିଶ୍ବକପ୍ ଓ ଏହାକ ପ୍ରଶଂସକମାନଙ୍କ ଉପରେ କୌଣସି ବିପଦର ଆଶଙ୍କା ନାହିଁ।ମେକ୍ସିକୋର ଗ୍ବାଡାଲାଜାରାରେ ସର୍ବାଧିକ ହିଂସା ଜାରି ରହିଛି। ଏହି ସହରରେ ହିଁ ୪ଟି ବିଶ୍ବକପ୍ ମ୍ୟାଚ୍ ଖେଳାଯିବାର ସୂଚୀ ରହିଛି। ଏସବୁ ମ୍ୟାଚ୍ ଦକ୍ଷିଣ କୋରିଆ, ମେକ୍ସିକୋ, ସ୍ପେନ୍, ଉରୁଗୁଏ ଓ କଲମ୍ବିଆ ମଧ୍ୟରେ ଖେଳାଯିବ। ଫଳରେ ଏହି ହିଂସା ଫିଫାର ଚିନ୍ତା ବଢାଇଦେଇଛି।
Follow Us