ବ୍ୟାଙ୍କରେ ଗୁଳି ଫୁଟିଲା

Advertisment

ମହିଳା ଅଧିକାରୀ ଗୁରୁତର, ସୁରକ୍ଷାକର୍ମୀ ଗିରଫ

ମହିଳା ଅଧିକାରୀ ଗୁରୁତର, ସୁରକ୍ଷାକର୍ମୀ ଗିରଫ

ବ୍ୟାଙ୍କରେ ଗୁଳି ଫୁଟିଲା

ଖଣ୍ଡଗିରି : ସୋମବାର ସ୍ଥାନୀୟ ଗଣ୍ଡମୁଣ୍ଡାଛକସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସିକ୍ୟୁରିଟି ଗାର୍ଡଙ୍କ ଗୁଳିରେ ସେହି ବ୍ୟାଙ୍କର ଜଣେ ମହିଳା ଆଇଟି ଅଧିକାରୀ ଗୁରୁତର ହୋଇଛନ୍ତି। ଆହତ ଅଧିକାରୀ ହେଲେ ଆଦିତି ସିଂ(୩୦)। ଘର ବିହାର ପାଟ୍‌ନା। ତାଙ୍କ ଡାହାଣ ଗୋଡ଼ ଆଣ୍ଠୁ ତଳକୁ ୩ଟି ଗୁଳି ଲାଗିଛି ଓ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି। ଖଣ୍ଡଗିରି ଥାନା ପୁଲିସ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ କରୁଣାକର ସେଠୀଙ୍କୁ ଗିରଫ କରିବା ସହ ବନ୍ଧୁକ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। କରୁଣାକରଙ୍କ ଘର ଡୁମୁଡୁମା ହାଉସିଂ ବୋର୍ଡ ଫେଜ୍‌-୧ରେ।

publive-imageସୂଚନାନୁସାରେ ସୋମବାର ପୂର୍ବାହ୍ଣ ପ୍ରାୟ ୧୧ଟା ସମୟରେ ଏହି ଅଘଟଣ ଘଟିଥିଲା। ଏହି ସମୟରେ ବ୍ୟାଙ୍କର କର୍ମଚାରୀମାନେ ଆସି ସାରିଥିଲେ ଓ ଅଳ୍ପ କେତେଜଣ ଗ୍ରାହକ କାଉଣ୍ଟ୍‌ରରେ ଥିଲେ। ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ କରୁଣାକର ନିଜ ବନ୍ଧୁକ ସଫା କରୁଥିଲେ। ଅସାବଧାନତାବଶତଃ କରୁଣାକରଙ୍କ ହାତ ବନ୍ଧୁକର ଟ୍ରିଗର୍‌ରେ ପଡ଼ି ଯାଇଥିଲା। ଫଳରେ ଅଚାନକ ଗୁଳି ଫୁଟି ଯାଇଥିଲା। ସୌଭାଗ୍ୟକୁ ବନ୍ଧୁକଟି ତଳମୁହାଁ ହୋଇଥିବା ସହ କୌଣସି କାଉଣ୍ଟର୍‌ ଆଡ଼କୁ ମୁହଁ କରି ନଥିଲା। ତେଣୁ କୌଣସି ଗ୍ରାହକ ଏଥିରେ କ୍ଷତିଗ୍ରସ୍ତ ହୋଇ ନଥିଲେ। କିନ୍ତୁ ବନ୍ଧୁକଟି ଆଦିତିଙ୍କ ଟେବୁଲ ଆଡ଼କୁ ମୁହାଁଇଥିବାରୁ ଗୁଳିଗୁଡ଼ିକ ତାଙ୍କ ଟେବୁଲ ତଳକୁ ଚାଲି ଯାଇଥିଲା ଓ ତାଙ୍କ ଡାହାଣ ଗୋଡ଼ରେ ୩ଟି ଗୁଳି ବାଜିଥିଲା। ଗୁଳି ଶବ୍ଦରେ କିଛି ସମୟ ପାଇଁ ବ୍ୟାଙ୍କ ଭିତରେ ଆତଙ୍କ ଖେଳି ଯାଇଥିଲା। ମାତ୍ର ଘଟଣା ଜଣାପଡ଼ିବା ପରେ ସଙ୍ଗେ ସଙ୍ଗେ ଅନ୍ୟ କର୍ମଚାରୀମାନେ ଆଦିତିଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ବ୍ୟାଙ୍କରେ ପହଞ୍ଚି ସିକ୍ୟୁରିଟି ଗାର୍ଡ କରୁଣାକରଙ୍କୁ ଧରି ଥାନାକୁ ଆଣିଥିଲା। ଅଘଟଣ ବାବଦରେ ବ୍ୟାଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲେ ବି ଆଇଟି ଅଧିକାରୀ ଆଦିତି କରୁଣାକରଙ୍କ ବିରୋଧରେ ଅଭିଯୋଗ କରିନାହାନ୍ତି। କରୁଣାକର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। କିଛି ବର୍ଷ ହେଲା ଏହି ବ୍ୟାଙ୍କରେ କାମ କରିଆସୁଛନ୍ତି। ସେ ଜଣେ ବିଶ୍ୱସ୍ତ କର୍ମଚାରୀ ବୋଲି କୁହାଯାଉଛି। ବନ୍ଧୁକ ସଫା କରୁ କରୁ ଅସାବଧାନତାବଶତଃଏଭଳି ଅଘଟଣ ଘଟିଛି ବୋଲି ସ୍ପଷ୍ଟ ହୋଇଥିଲେ ବି ଖଣ୍ଡଗିରି ଥାନା ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe