ଗୁରୁଡ଼ିଝାଟିଆ: ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ଅଭିଯୁକ୍ତର ସମର୍ଥକ କୁହାଯାଉଥିବା କିଛି ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁମାରପୁର ଗ୍ରାମର ପୁରୁଷ ଓ ମହିଳା ପୁଲିସ ଓ ପୁଲିସ ଗାଡ଼ିକୁ ଆକ୍ରମଣ କରିବା ଘଟଣାରେ ପୁଲିସ ୫ ଜଣଙ୍କ ଥାନାରେ ଅଟକ ରଖିଛି। ଏହାକୁ ନେଇ ସେଠାରେ ଉତ୍ତେଜନାଲାଗି ରହିଥିବାରୁ ଗାଁରେ ପୁଲିସ ମୂତୟନ କରାଯାଇଛି। ଅପରପକ୍ଷେ ଗିରଫଦାରି ଏଡାଇବା ପାଇଁ ଗାଁ ପୁରୁଷଶୂନ୍ୟ ହୋଇଯାଇଥିିବା ବେଳେ ଗୁରୁଡ଼ିଝାଟିଆ ଥାନା ରେ ୨ ପ୍ଲାଟୁନ୍ ଫୋର୍ସ ସଜାଗ ରହିଛନ୍ତି।
ସୂଚନା ଅନୁଯାୟୀ ମାର୍ଚ୍ଚ ୧୧ ତାରିଖରେ କୁମାରପୁର ହରିଜନ ସାହିରେ ଏକ ଘର ପୋଡ଼ି ଘଟଣା ଘଟିଥିଲା। ଏଥିରେ ଅଭିଯୁକ୍ତ କୁହାଯାଉଥିବା ଅସୀମ ବେଉରା ପୁଲିସ ରେକର୍ଡରେ ଫେରାର ଥିଲା। ଅସୀମକୁ ଧରିବା ପାଇଁ ଗତକାଲି ରାତି ପ୍ରାୟ ସାଢେ ନଅଟା ବେଳେ ଥାନା ଆଇଆଇସି ବିଜୟ କେତନ ବିଶିଙ୍କ ନେତୃତ୍ୱରେ ୩ ଜଣ ପୁଲିସ କର୍ମଚାରୀ ଗାଁରେ ପହଞ୍ଚି ଥିଲେ। ସେମାନେ ଅସୀମକୁ ଧରି ଗାଡ଼ିରେ ବସାଇ ଆଣୁଥିବା ବେଳେ ଗାଁର ହନୁମାନ ମନ୍ଦିର ହମ୍ପ୍ସ ନିକଟରେ କେତେକ ପୁରୁଷ ଓ ମହିଳା ଏକାଠି ହୋଇ ପୁଲିସ ଗାଡି ଉପରକୁ ଆକ୍ରମଣ କରିଥିଲେ। ସେମାନେ ଠେଙ୍ଗାରେ ପୁଲିସ ଗାଡ଼ିର ଆଗ ଓ ପଛ କାଚ ଭାଙ୍ଗି ଦେଇଥିଲେ। ସେମାନଙ୍କ ଏଭଳି ଆକ୍ରମଣରେ ଶ୍ରୀ ବିଶିଙ୍କ ସମେତ ଅନ୍ୟ ୩ ଜଣ ପୁଲିସ ଆହତ ହୋଇଥିଲେ। ପୁଲିସ ଗ୍ରାମବାସୀଙ୍କୁ ପ୍ରତିରୋଧ କଲା ବେଳେ ସୁଯୋଗ ଉଣ୍ଡି ଅସୀମ ବେଉରା ସେଠାରୁ ଖସି ଯାଇଥିଲା। ଥାନା ଆଇଆଇସି ଅଧିକ ପୁଲିସ ଫୋର୍ସ ମଗାଇ ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ବି ଅନେକ ସମୟ ଯାଏ ସେଠାରେ ଫୋର୍ସ ପହଞ୍ଚି ପାରି ନଥିଲା। ଏ ସଂପର୍କରେ ସୂଚନା ଦେଇ ଆଇଆଇସି ଶ୍ରୀ ବିଶି କହିଛନ୍ତି ଯେ ଅଭିଯୁକ୍ତକୁ ଧରିବା ପାଇଁ ସେମାନେ ଯାଇଥିଲେ ବି ଅଭିଯୁକ୍ତ ଘରେ ନଥିଲା। କିନ୍ତୁ ସେମାନେ ଫେରିବା ସମୟରେ କିଛି ଲୋକ ପୁଲିସ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ।
ଅନ୍ୟପଟେ ସୂଚନା ଅନୁଯାୟୀ ପଞ୍ଚାୟତ ନିର୍ବାଚନ ସମୟରୁ ଏହି ଅଞ୍ଚଳରେ ରାଜନୈତିକ ବିବାଦ ହିଂସାତ୍ମକ ରୂପ ନେଇଛି। ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳ ଗୋଷ୍ଠୀର ସମର୍ଥନରେ ଏଭଳି ହିଂସାକାଣ୍ଡକୁ ପ୍ରୋତ୍ସାହନ ମିଳୁଥିବା ଅଭିଯୋଗ ହେଉଛି। ଘରପୋଡ଼ି ଘଟଣାରେ ପୁଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅସୀମ ଫେରାର ଥିଲା। ପୁଲିସକୁ ଆକ୍ରମଣ ପରେ କୁମାରପୁର ଗ୍ରାମରେ ୩ ଜଣଙ୍କ ଘରେ ଭଙ୍ଗାରୁଜା କରାଯିବା ସହ ସେମାନଙ୍କ ସଂପର୍କୀୟଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏ ନେଇ ପୁଲିସ ମଧ୍ୟ ମାମଲା ରୁଜୁ କରିଛି।
ଗୁରୁଡିଝାଟିଆ ଥାନା ପୁଲିସକୁ ଆକ୍ରମଣ ଘଟଣାରେ ୫ ଗିରଫ
Advertisment
Follow Us