ଜଳେଶ୍ୱର: ଖରସ୍ରୋତା ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡ ଫେକଘାଟ,ଘାଟଶୀଳା, ଜାମସେଦପୁର, ଜାମଶୋଳାଘାଟ ଆଦି ସ୍ଥାନରେ ଗତ ୭୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଛି। ଫଳରେ ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜରେ ହଠାତ୍ ଜଳପତ୍ତନ ବୃଦ୍ଧି ପାଇଛି। ବ୍ୟାରେଜର ଜଳପତ୍ତନକୁ ହ୍ରାସ କରିବା ପାଇଁ କର୍ତ୍ତୃପକ୍ଷ ଗତକାଲି ୮ଟି ଗେଟ ଖୋଲି ଦେଇଥିଲେ। ଫଳରେ ଏହି ୮ଟି ଗେଟ ଦେଇ ୨.୭୦ ଲକ୍ଷ କ୍ୟୁସେକ ପାଣି ସୁବର୍ଣ୍ଣରେଖା ନଦୀକୁ ନିଷ୍କାସିତ ହେଉଛି।
ବ୍ୟାରେଜ ପାଣି ନଦୀକୁ ପ୍ରଭାବିତ ହେଉଥିବାରୁ ଗତକାଲି ରାତିରୁ ସୁବର୍ଣ୍ଣରେଖା ନଦୀର ତଳିଆ ଅଞ୍ଚଳ କୁହାଯାଉଥିବା ଉତ୍ତର ବାଲେଶ୍ଵର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୁବର୍ଣ୍ଣରେଖାରେ ଏହା ଚଳିତବର୍ଷର ପ୍ରଥମ ବନ୍ୟା ବୋଲି କୁହାଯାଇଛି। ବନ୍ୟା ପରିସ୍ଥିତି ପାଇଁ ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକର ନଦୀକୂଳିଆ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡିଛନ୍ତି। ଆଜି ପୂର୍ବାହ୍ନ ୯ଟା ସୁଦ୍ଧା ରାଜଘାଟଠାରେ ନଦୀର ଜଳପତ୍ତନ ୮.୦୦ ମିଟରରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଂଙ୍କେତ ୧୦.୩୬ ଓ ସତର୍କ ସଙ୍କେତ ୯.୪୫ ମିଟର ରହିଛି।
Follow Us