ଏଣିକି ଖାଦ୍ୟ ବ୍ୟବସାୟୀଙ୍କ ପାଇଁ ‘ଫୋଷ୍ଟାକ୍‌’ ଜରୁରୀ, ସାର୍ଟିଫିକେଟ୍‌ ନ ଥିଲେ ମିଳିବନି ଫୁଡ୍‌ ଲାଇସେନ୍‌ସ

Advertisment
ଏଣିକି ଖାଦ୍ୟ ବ୍ୟବସାୟୀଙ୍କ ପାଇଁ ‘ଫୋଷ୍ଟାକ୍‌’ ଜରୁରୀ, ସାର୍ଟିଫିକେଟ୍‌ ନ ଥିଲେ ମିଳିବନି ଫୁଡ୍‌ ଲାଇସେନ୍‌ସ

କଟକ: ସିଏମ୍‌ସି ଅଞ୍ଚଳରେ ଖାଦ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଇଁ ‘ଫୁଡ୍‌ ସେଫ୍ଟି ଟ୍ରେନିଂ ଆଣ୍ଡ ସାର୍ଟିଫିକେସନ୍‌’ (ଫୋଷ୍ଟାକ) ବାଧ୍ୟତାମୂଳକ ହେବାକୁ ଯାଉଛି। ଯେଉଁ ବ୍ୟବସାୟୀ ଫୋଷ୍ଟାକ ଯୋଜନାରେ ତାଲିମ ନେଇ ନଥିବେ ସେମାନଙ୍କୁ ଫୁଡ୍‌ ଲାଇସେନ୍ସ ମିଳିବ ନାହିଁ। ଅନ୍ୟପଟେ ଯେଉଁ ମାନଙ୍କ ପାଖରେ ଲାଇସେନ୍ସ ରହିଛି, ସେମାନଙ୍କୁ ବି ଏହି ସାର୍ଟିଫିକେଟ ହାସଲ କରିବାକୁ ପଡିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିୟମକୁ ସାରା ଦେଶରେ ଲାଗୁ କରାଯାଇଥିବା ବେଳେ ସିଏମ୍‌ସିରେ ୨୦୧୫ ପରେ ଏହାକୁ କଡ଼ାକଡି ଭାବେ ଲାଗୁ କରାଯିବ। ଉକ୍ତ ନିୟମକୁ ଦୃଷ୍ଟିରେ ରଖି ନିଗମର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ସହରର ଖାଦ୍ୟ ବ୍ୟବସାୟୀଙ୍କୁ ଫୋଷ୍ଟାକ ପୋଗ୍ରାମରେ ସାମିଲ ହେବାକୁ ଉତ୍ସାହିତ କରାଯାଉଛି। ମହାନଗର ନିଗମ ପକ୍ଷରୁ ସହରର ରାସ୍ତାକଡ଼ର ଖାଦ୍ୟ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବଡ ବଡ ହୋଟେଲ ବ୍ୟବସାୟୀ, ଖାଦ୍ୟ ପଦାର୍ଥ ଓ ଥଣ୍ଡା ପାନୀୟ ପ୍ରସ୍ତୁତକାରୀ କମ୍ପାନିଙ୍କ ସହିତ ଅଟା, ପାଉଁରୁଟି, କ୍ଷୀର, ଆଇସକ୍ରିମ୍‌, ମସଲା ଆଦି କମ୍ପାନିର ବ୍ୟବସାୟୀ ଓ କର୍ମଚାରୀଙ୍କୁ ଏହି ତାଲିମ ଦିଆଯିବ। ଏଥିରେ ବିଭିନ୍ନ ବର୍ଗର ବ୍ୟବସାୟୀଙ୍କୁ ଖାଦ୍ୟ ପ୍ରସ୍ତୁତି ପାଇଁ ସାମଗ୍ରୀ କିଣା ଠାରୁ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରି କରିବା ଉପରେ ପ୍ରଶିକ୍ଷଣ ସହିତ ସଚେତନ କରାଯିବ।

ଯୋଜନାରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ଫୁଡ୍‌ ସେଫ୍ଟି ସୁପରଭାଇଜର(ଏଫଏସ୍‌ଏସ୍‌) ସାର୍ଟିଫିକେଟ୍ ମିଳିବ। ଯୋଜନାରେ ୩ ପ୍ରକାରର ତାଲିମ, ଯଥା ବେସିକ୍‌, ଆଡ୍‌ଭାନ୍ସ ଓ ସୁପର ଆଡ୍‌ଭାନ୍ସ ଥିବା ବେଳେ ସିଏମ୍‌ସିରେ ‌କେବଳ ବେସିକ୍ ଟ୍ରେନିଂ ପ୍ରୋଗ୍ରାମ ଚାଲିଛି। ଏଥିରେ ସ୍ବଚ୍ଛ ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତି, ଖାଦ୍ୟ ପରିବେଷଣର ପ୍ରଣାଳୀ, ଫୁଡ୍‌ ଲାଇସେନ୍ସ ପାଇଁ ଆବେଦନ, ଫୁଡ୍‌ ଲାଇସେନ୍ସ, ଫୁଡ୍‌ ସେଫ୍ଟି ଟ୍ରେନିଂ ଆଦି ବିଷୟରେ ତାଲିମ ଦିଆଯିବ। ଯୋଜନାର ପରିଚାଳନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘରୋଇ ସଂସ୍ଥାଙ୍କୁ ଦାୟିତ୍ବ ଦିଆଯାଇଛି। ଓଡ଼ିଶାରେ ଏଥିପାଇଁ ୧୪ଟି ସଂସ୍ଥା କାମ କରୁଥିବା ବେଳେ ସିଏମ୍‌ସିରେ ୩ଟି ସଂସ୍ଥା କାମ କରୁଛନ୍ତି। ୨୦୨୫ ସୁଦ୍ଧା ଯେଉଁ ଖାଦ୍ୟ ବ୍ୟବସାୟୀଙ୍କ ନିକଟରେ ଫୋଷ୍ଟାକ ସାର୍ଟିଫିକେଟ୍‌ ନଥିବ ସେମାନଙ୍କ ଫୁଡ୍‌ ଲାଇସେନ୍ସକୁ ରଦ୍ଦ କରି ଦିଆଯିବ ଓ ନୂଆ ଫୁଡ୍‌ ଲାଇସେନ୍ସ ପାଇଁ ଏହାକୁ ବାଧ୍ୟତାମୂଳକ କରାଯିବ। ସିଏମ୍‌ସିରେ ଏହି ଯୋଜନା ଗତବର୍ଷ ଆରମ୍ଭ ହୋଇଥିବା ବେଳେ ଇତିମଧ୍ୟରେ ୮ଶହ ଖାଦ୍ୟ ବ୍ୟବସାୟୀଙ୍କୁ ଏଥିରେ ସାମିଲ କରାଯାଇଛି ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe