ଚୁଆ ପାଣିରେ ବଞ୍ଚିଛନ୍ତି ଗୟଲଯୋଡି ଗ୍ରାମବାସୀ

Advertisment
ଚୁଆ ପାଣିରେ ବଞ୍ଚିଛନ୍ତି ଗୟଲଯୋଡି ଗ୍ରାମବାସୀ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କାଠପଡା ପଞ୍ଚାୟତର ଗୟଲଯୋଡି ଗ୍ରାମବାସୀଙ୍କର ବଞ୍ଚିବା ଆଧାର ପାଲଟିଛି ବିଲ ଭିତରେ ଥିବା ଚୁଆ। ଚୁଆ ପାଣିରେ ଗ୍ରାମବାସୀଙ୍କର ଜୀବନ ବଞ୍ଚୁଛି। ୭୦ ଘର ବିଶିଷ୍ଟ ଗ୍ରାମର ଜନସଂଖ୍ୟା ତିନି ଶହରୁ ଅଧିକ ହୋଇଥିବାବେଳେ ଆବଶ୍ୟକ ଅନୁଯାୟୀ ପିଇବା ପାଣିର ବ୍ୟବସ୍ଥା ନାହିଁ। ଗ୍ରାମରେ ରହିଥିବା ଦୁଇଟି ନଳକୂପ ମଧ୍ୟରୁ ସ୍କୁଲ ପରିସର ମଧ୍ୟରେ ରହିଥିବା ନଳକୂପଟି ଏକ ପ୍ରକାର ଅଚଳ। ଗୋଟିଏ ମାଠିଆ ପାଣି ପାଇଁ ଘଣ୍ଟା ଘଣ୍ଟା ଧରି କସରତ କରିବାକୁ ପଡୁଥିବା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି।

ଜଳସ୍ତର ତଳକୁ ଚାଲିଯାଇଥିବାରୁ ପାଣି ଉପରକୁ ଉଠିବାରେ ଅସୁବିଧା ହେଉଥିବା ପ୍ରକାଶ। ଅନ୍ୟ ନଳକୂପଟି ଉପରେ ଗ୍ରାମବାସୀ ନିର୍ଭର କରୁଥିବା ବେଳେ ସମସ୍ତଙ୍କୁ ଆବଶ୍ୟକ ଅନୁଯାୟୀ ପାଣି ମିଳୁନଥିବାରୁ ସେମାନେ ବାଧ୍ୟ ହୋଇ ନିକଟ ଚୁଆରୁ ପାଣି ଆଣି ଯାବତୀୟ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଗ୍ରାମକୁ ଲାଗି ରହିଥିବା ବିଲରେ ବର୍ଷସାରା ପାଣିର ଝର ସୃଷ୍ଟି ହେଉଥିବାରୁ ଲୋକେ ମିଳିମିଶି ସିମେଣ୍ଟ ନନ୍ଦ ତିଆରି କରି ପାଣିକୁ ସଂଚୟ କରି ରଖିବା ସହ ବ୍ୟବହାର କରୁଛନ୍ତି। ଅଧିକା ନଳକୂପ ପାଇଁ ବାରମ୍ବାର ଲିଖିତ ଭାବେ ଦାବି କରିଥିବା ପରେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଏହାର ମୁଖ୍ୟ କାରଣ ରାସ୍ତା ନଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ନଳକୂପ ଖୋଳିବା ପାଇଁ ଦୁଇ ବର୍ଷ ତଳେ ଗାଡିଟିଏ ଯାଇଥିଲା। କିନ୍ତୁ ଗ୍ରାମ ଯାଏଁ ରାସ୍ତା ନଥିବାରୁ ଗାଡ଼ିଟି ଫେରିଯାଇଥିଲା।

ବର୍ଷକ ତଳେ ପଞ୍ଚାୟତ ସଦର ମହକୁମା କାଠପଡା ଠାରୁ ଗୟଲଯୋଡି ଯାଏ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ମଂଜୁର ହୋଇଥିଲେ ମଧ୍ୟ ଆଜିଯାଏ ରାସ୍ତା କାହିଁକି ହୋଇପାରୁନାହିଁ ସେ ସମ୍ପର୍କରେ ଗ୍ରାମବାସୀମାନେ ଏବେ ମଧ୍ୟ ସନ୍ତୋଷଜନକ ଉତ୍ତର ପାଇ ପାରିନାହାଁନ୍ତି। ବର୍ଷା ଦିନେ ଚୁଆ ପାଣିର ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ମଧ୍ୟ ସମସ୍ତେ ଅଭିଯୋଗ କରିଛନ୍ତି। ପାନୀୟ ଜଳର କଷ୍ଟରୁ ରକ୍ଷା କରିବା ପାଇଁ ଗ୍ରାମବାସୀମାନେ ଦାବି କରିଥିବା ସହ ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବକୁ ପୂର୍ବତନ ସରପଂଚ ସୁନିତା ଖିଲଙ୍କ ସହ ରୁକୁମଣୀ କିର୍ସାନି, ବାସନ୍ତୀ ଗୋଲରୀ, ପୁର୍ଣି ପାଙ୍ଗି, ସୁନ୍ଦେଇ ପାଙ୍ଗି,ଡାଲିମ ସିସା, ବଳଭଦ୍ର ସିସା, ଦଶରଥ ସିସା, ମନୋଜ ପାଙ୍ଗି, ଭିମ ସିସା, ବଳରାମ ଗଲରୀ ତଥା ଗ୍ରାମବାସୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe