The Financial Express
ନୂଆଦିଲ୍ଲୀ: କରୋନା ଭାଇରସ୍କୁ ନେଇ ସଚେତନତା ବାର୍ତ୍ତା ଦେବା ପାଇଁ ପୂର୍ବରୁ କେନ୍ଦ୍ର ସରକାର ‘ମାଇଁଗଭ୍ଆପ୍’ ଲଞ୍ଚ୍ କରି ସାରିଥିବା ବେଳେ ଏବେ ଆଉ ଏକ ଆପ୍ ଲଞ୍ଚ୍ କରିଛନ୍ତି। କରୋନା ଭାଇରସ୍ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ଲଞ୍ଚ୍ ହୋଇଥିବା ଏହି ନୂଆ ଆପ୍ର ନାମ ‘ଆରୋଗ୍ୟ ସେତୁ’। ସ୍ମାର୍ଟଫୋନ୍ରେ ଏହି ଆପ୍ ରହିଲେ ଆଖପାଖରେ କେହି କରୋନା ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ଜଣାପଡ଼ିବ।
ଏଥିରେ ଲୋକେସନ୍ ଡାଟା ବ୍ୟବହାର କରାଯିବ। ଫଳରେ ସ୍ମାର୍ଟଫୋନ ବ୍ୟବହାରକାରୀ ଜଣକ କେଉଁ ସ୍ଥାନରେ ଅଛନ୍ତି ତାହା ଜାଣିବା ସହ ସେ କେତେ ସୁରକ୍ଷିତ ତାହା ମଧ୍ୟ ଜଣାପଡ଼ିବ। ବ୍ଲଟୁଥ୍ ସଂଯୋଗ ଦ୍ବାରା ଆପ୍ରେ ନିଜଠାରୁ ୬ ଫୁଟ୍ ଦୂରତ୍ବ ମଧ୍ୟରେ ଥିବା କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବାରେ ସହାୟ ହେବ ଏହି ଆପ୍।
ଆପଣ ସୁରକ୍ଷିତ ଅଛନ୍ତି କି ନାହିଁ ତାହା ଏହି ଆପ୍ ସୂଚାଇ ଦେବ। ଯଦି ଆପଣ ଅସୁରକ୍ଷିତ ଥିବେ ତେବେ ଆପ୍ ତାହା ଜଣାଇଦେବା ସହ ଟୋଲ୍ଫ୍ରି ନମ୍ବର ୧୦୭୫କୁ କଲ୍ କରି ଟେଷ୍ଟ୍ ପାଇଁ ଯିବାକୁ ପରାମର୍ଶ ଦେବ।
କେବଳ ସେତିକି ନୁହେଁ, ଏହି ‘ଆରୋଗ୍ୟ ସେତୁ’ ଆପଣଙ୍କୁ କିପରି କରୋନା ଭାଇରସ୍ ପ୍ରଭାବରୁ ନିଜକୁ ଦୂରେଇ ରଖିପାରିବେ ସେନେଇ ପରାମର୍ଶ ମଧ୍ୟ ପ୍ରଦାନ କରିବ।
ପରୀକ୍ଷା ପରେ ଯଦି ଆପଣ କରୋନା ପଜିଟିଭ୍ ହେଉଛନ୍ତି ତେବେ ଆପ୍ଟି ସରକାରଙ୍କୁ ଏ ନେଇ ତଥ୍ୟ ପ୍ରଦାନ କରିବ। କେଉଁ କେଉଁ ଲୋକଙ୍କୁ ସଂସ୍ପର୍ଶରେ ଆସିଛନ୍ତି ତାହାର ବି ଏକ ତାଲିକା ଦେବ ବୋଲି ଜାଣିବାକୁ ମିଳିଛି।
କରୋନା ଭାଇରସ୍କୁ ନେଇ ଆପଣଙ୍କ ମନରେ କିଛି ସନ୍ଦେହ ଥିଲେ ଆପଣ ଆପ୍ର ଚାଟ୍ବକ୍ସରେ ଚାଟ କରି ପଚାରି ପାରିବେ। ଦେଶର ପ୍ରତ୍ୟେକ ରାଜ୍ୟ ପାଇଁ ହେଲ୍ପଲାଇନ୍ ନମ୍ବର ଏହି ଆପ୍ରୁ ମିଳିପାରିବ।
Follow Us