ନୂଆଦିଲ୍ଲୀ: ଚଢ଼ା ଶୁଳ୍କକୁ ନେଇ ଭାରତ ଓ ଆମେରିକା ସମ୍ପର୍କ ଭିତରେ ତିକ୍ତତା ସୃଷ୍ଟି ହୋଇଥିବା ବେଳେ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର ଓ ସିନେଟର ଷ୍ଟିଭ୍ ଡାଇନ୍ସଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ସାକ୍ଷାତ କରିଛନ୍ତି। ଆମେରିକା ସହ ବାଣିଜ୍ୟ ରାଜିନାମାକୁ ନେଇ ମୁଲଚାଲ ଜାରି ରହିଥିବାରୁ ଏହି ସାକ୍ଷାତକୁ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି। ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି।ସାକ୍ଷାତ ସମ୍ପର୍କରେ ସୋସିଆଲ ମିଡିଆ ସୂଚନା ଦେଇ ଗୋୟଲ ଲେଖିଛନ୍ତି ଯେ ପୁଣି ଥରେ ବନ୍ଧୁ ଡାଇନ୍ସ ଓ ଗୋରଙ୍କୁ ସାକ୍ଷାତ କରି ମୁଁ ଆନନ୍ଦିତ।
ଆମ ଭିତରେ ଦ୍ବିପାକ୍ଷିକ ସମ୍ପର୍କକୁ ନେଇ ମତ ବିନିମୟ ହୋଇଥିଲା। ଟ୍ରମ୍ପଙ୍କ ସହ ନିବିଡ଼ ସମ୍ପର୍କ ଥିବା କିଛି ଲୋକଙ୍କ ମଧ୍ୟରେ ଗୋରଙ୍କ ନାମ ରହିଛି। ଚଳିତ ମାସ ୧୨ରେ ଭାରତ ଆସିବା ପରେ ସେ ଦେଇଥିବା ଅଭିଭାଷଣରେ ଦୁଇ ପକ୍ଷ ବାଣିଜ୍ୟ ରାଜିନାମାକୁ ନେଇ ବ୍ୟାପକ ଆଲୋଚନା କରୁଥିବା କହିଥିଲେ। କିନ୍ତୁ ରିପବ୍ଲିକାନ ସିନେଟର ଡାଇନ୍ସ ବାଣିଜ୍ୟ ଆଲୋଚନାରେ ‘ଡାଲି’କୁ ପ୍ରସଙ୍ଗ କରିବାକୁ ପ୍ରସ୍ତାବ ଦେଇଛନ୍ତି।
ଆହୁରି ପଢନ୍ତୁ: Trump said about Nobel award: ନୋବେଲ ପୁରସ୍କାର ମିଳିଲେ ହିଁ ଶାନ୍ତି ଗ୍ୟାରେଣ୍ଟି : ଟ୍ରମ୍ପ
ସେ କହିଛନ୍ତି ଯେ ଭାରତର ଡାଲି ବଜାରରେ ଆମେରିକୀୟ ଉତ୍ପାଦନକାରୀମାନଙ୍କୁ ପ୍ରତିଯୋଗିତାର ସୁଯୋଗ ମିଳୁନାହିଁ। ଭାରତ ଲଗାଇଥିବା ଶୁଳ୍କକୁ ସେ ଅନୁଚିତ ବୋଲି କହିଥିଲେ। ଡାଇନ୍ସ ଓ ଅନ୍ୟ ଜଣେ ସିନେଟର କେଭିନ କ୍ରାମର ଚଳିତ ମାସ ୧୬ରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ ତାଙ୍କ ଅଞ୍ଚଳରେ ବିପୁଳ ପରିମାଣର ଡାଲି ଉତ୍ପାଦନ ହେଉଛି। ଭାରତ ହେଉଛି ବିଶ୍ବର ସର୍ବବୃହତ୍ ଡାଲି ବ୍ୟବହାରକାରୀ। ବିଶ୍ବର ୨୭ ପ୍ରତିଶତ ଡାଲି ଭାରତରେ ଉପଯୋଗ ହେଉଛି। ତେଣୁ ବାଣିଜ୍ୟ ଆଲୋଚନା ବେଳେ ଡାଲିକୁ ନେଇ ଉଚିତ୍ ମୁଲଚାଲ କରିବାକୁ ଉଭୟ ସିନେଟର ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଥିଲେ।
Follow Us