ଭୁବନେଶ୍ୱର: ମାସେ ବି ପୂରିନି ଆଗ ପଛ ହୋଇ ଚାଲିଗଲେ ଗୁରୁ ଆଉ ଶିଷ୍ୟ | ଶିଷ୍ୟ ଚାଲିଯାଇଥିଲେ ୭ ତାରିଖରେ ଆଉ ଗୁରୁ ଚାଲିଗଲେ ଠିକ ଏହାର ୨୦ ଦିନ ପରେ | ଆମେ କହୁଛୁ ଗୁରୁ ପୃଷ୍ଟି ଓ ବୁଧିଆ ନନାଙ୍କ କଥା | ଆଜି କଳିଙ୍ଗ ଗଣନାଟ୍ୟର ହାସ୍ୟ କଳାକାର ବୁଧିଆ ନନା ଚାଲିଯାଇଥିବାବେଳେ ଠିକ ଏହାର ୨୦ ଦିନ ତଳେ ଦୁର୍ଘଟଣାରେ ଚାଲିଯାଇଥିଲେ ହାସ୍ୟ କଳାକାର ଗୁରୁ ପୃଷ୍ଟି | ଗୁରୁଙ୍କ ଚାଲିଯିବା ପରେ ବୁଧିଆ ବି ବେଶ ଭାଙ୍ଗିପଡିଥିଲେ | କାରଣ ଅନେକ ସମୟରେ ଗୁରୁ ଓ ବୁଧିଆଙ୍କୁ ଏକାଠି ଦେଖିବାକୁ ମିଳିଥିଲା |

Advertisment

 ବିଶେଷ କରି ନୂଆ ନୂଆ ଗୁରୁ ପୃଷ୍ଟି ଯେତେବେଳେ ଯାତ୍ରା ଜଗତକୁ ଆସିଲେ ଆଉ କମେଡିଆନ ହେବା ପାଇଁ ସଂଘର୍ଷ କରୁଥିଲେ ସେତେବେଳେ ବୁଧିଆ ନନା ବାପା ଭଳି ତାଙ୍କୁ ସହଯୋଗ କରିଥିଲେ | କେବଳ ନିଜର କମେଡି ଚରିତ୍ରରେ ସହ ଅଭିନେତା କରିନଥିଲେ ବରଂ ଗୁରୁଙ୍କୁ ସେ ତିଆରି କରିଥିଲେ | ସେଥିପାଇଁ ତା ଯାତ୍ରା ରଙ୍ଗମହଲରେ ଦୁଇ ଜଣ ମିଶିକି ଅଭିନୟ କରୁଥିଲେ ଓ ସେତେବେଳେ ସେମାନଙ୍କ କମେଡି ଅଭିନୟ ଦର୍ଶକଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ ତାହା ଏବେ ବି ସମସ୍ତଙ୍କ ମନରେ ଅଛି |

ଆହୁରି ପଢନ୍ତୁ: Budhia Nana: ଆରପାରିକୁ ଚାଲିଗଲେ ଆପଣଙ୍କୁ ହସେଇ ହସେଇ ବେଦମ କରୁଥିବା ବୁଧିଆ ନନା

ଏହାପରେ ଯଦିଓ ଗୁରୁ ପୃଷ୍ଟି ଇନ୍ଦ୍ର ଭୁବନ ଓ ବୁଧିଆ ନନା କଳିଙ୍ଗ ଗଣନାଟ୍ୟରେ ଯୋଗ ଦେଇଥିଲେ କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ସବୁବେଳେ ନିବିଡ ଥିଲା | ଅନେକ ସାକ୍ଷାତକାରରେ ଗୁରୁ ବି କହିଥିଲେ ଯେ ବୁଧିଆ ନନାଙ୍କ ପାଇଁ ସେ ଆଜି କିଛି ଅଭିନୟ କରିପାରୁଛନ୍ତି | ସେହିପରି ବୁଧିଆ ନନା ବି ଅନେକ ସାକ୍ଷାତକାରରେ ଗୁରୁ ତାଙ୍କ ପୁଅ ଭଳି ହେବେ ଆଉ ନୂଆ ନୂଆ ବି ସେ ବେଶ ସୁନ୍ଦର ଭାବେ ଚରିତ୍ର ଚିତ୍ରଣ କରିପାରୁଛନ୍ତି କହି ଉତ୍ସାହିତ କରିଥିଲେ |

କେମିତି ହେଲା ବୁଧିଆ ନନାଙ୍କ ମୃତ୍ୟୁ?
ଆଜ୍ମା ବା ଶ୍ୱାସରେ ପୀଡିତ ଥିବା ବୁଧିଆ ନନାଙ୍କର ଗତକାଲି ମୃତ୍ୟୁ ହୋଇଯାଇଥିଲା | ଅସତ୍ୟ ସହର, ବଦନାମ ଗଳିର ଝିଅ ଭଳି ସୁପରହିଟ ଯାତ୍ରାରେ ଅଭିନୟ କରିଥିଲେ | ରଙ୍ଗମହଲ, ବିଶ୍ୱ ଦରବାର, କଳିଙ୍ଗ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ ଭଳି ନାମିଦାମୀ ପାର୍ଟିରେ ଅଭିନୟ କରିଥିଲେ | ଦୀର୍ଘ ୫୦ ବର୍ଷର ଯାତ୍ରା କ୍ୟାରିୟରରେ ହସର ଫୁଆରା ଫୁଟେଇଥିବା ବୁଧିଆଙ୍କ ମୃତ୍ୟୁ ବେଳକୁ ୬୩ ବର୍ଷ ହୋଇଥିଲା |

ଆହୁରି ପଢନ୍ତୁ: Jatra Artist Died: ଅକାଳରେ ଚାଲିଗଲେ 'ନଳୀ': ଯାତ୍ରା ଭିଲିଆନ ନରେନ୍ଦ୍ର ଦାସଙ୍କ ହୃଦଘାତରେ ମୃତ୍ୟୁ

କେମିତି ହୋଇଥିଲା ଗୁରୁଙ୍କ ମୃତ୍ୟୁ?
ଗତ ୭ ତାରିଖରେ ଇନ୍ଦ୍ରଭୁବନ ଅପେରାର ମୁଖ୍ୟ ହାସ୍ୟକଳାକାର ଗୁରୁ ପୃଷ୍ଟିଙ୍କର ଏକ ସଡକ ଦୁର୍ଘଟଣାରେ ଜୀବନ ଚାଲିଯାଇଥିଲା | ଅଜଣା ଗାଡ଼ି ଧକ୍କାରେ ଯୁବ ଯାତ୍ରା ହାସ୍ୟାଭିନେତା ଗୁରୁ ପୃଷ୍ଟି(୩୩)ଙ୍କ ମୃତ୍ୟୁ ଘଟିଥିଲା । ଗତ ୭ ତାରିଖରେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଚିଙ୍ଗୁଡିପୁର ନିକଟରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା