The New Nation
ଭୁବନେଶ୍ୱର : ଧୀରେଧୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଶୀତ କମିଛି। ୨ ଦିନ ତଳେ ରାଜଧାନୀର ତାପମାତ୍ରା ୧୭ ଡିଗ୍ରି ପାଖାପାଖି ରହୁଥିବା ବେଳେ ଆଜି ୨୦ଡିଗ୍ରି ଅତିକ୍ରମ କରିଛି। ସେହିପରି କଟକର ରାତ୍ରି ତାପମାତ୍ରା ୧୫ରୁ ୧୬ଡିଗ୍ରି ମଧ୍ୟରେ ରହୁଥିବା ବେଳେ ଆଜି ୧୭.୫ ଡିଗ୍ରି ରହିଥିଲା। ରାଜ୍ୟର ପ୍ରାୟ ସ୍ଥାନରେ ଶୀତ କମିଥିବା ବେଳେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଆସନ୍ତାକାଲିଠାରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ଦେଖାଯିବ। ଫଳରେ ଯାତାୟାତରେ ସମସ୍ୟା ଉପୁଜିବା ସହ ଦୁର୍ଘଟଣାର ସମ୍ଭାବନା ରହିଥିବାରୁ ଏନେଇ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି।
ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୫ଦିନରେ ରାଜ୍ୟରେ ପାଗ ଶୁଖିଲା ରହିବ। ଉପକୂଳ ଓ ସଂଲଗ୍ନ ଓଡ଼ିଶା ଯଥା କଟକ, ଜଗତସିଂହପୁର, ଖୋର୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଆଦି ଜିଲ୍ଲାର ଅନେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବାର ଆଶଙ୍କା ବି ରହିଛି। ଏହାଛଡ଼ା ଉପକୂଳ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଓଡ଼ିଶା ଯଥା କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ୧୨ ଓ ୧୩ ତାରିଖ ସକାଳୁ ମଧ୍ୟ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ଦେଖିବାକୁ ମିଳିବ।
ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଅଧିକାଂଶ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିଥିବା ବେଳେ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିଛି। ସର୍ବନିମ୍ନ ତାପମାତ୍ରା ଭବାନୀପାଟଣାଠାରେ ୧୧.୨ଡିଗ୍ରି ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୨ରୁ ୧୪ଡିଗ୍ରି ମଧ୍ୟରେ ରହିଥିବା ବେଳେ ଉପକୂଳରେ ୧୬ରୁ ୧୯ଡିଗ୍ରି ଭିତରେ ରହିଛି। ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୨୦.୨ ଡିଗ୍ରି ରହିଥିଲା।
Follow Us