ମାଲକାନଗିରିରେ ବର୍ଷା: ବଞ୍ଚିଲା ଜୀବନ, ନଷ୍ଟ ହେଲା ଧନ

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଥମିଲା। କିନ୍ତୁ ଦୁର୍ଦଶା ବଢିଛି। ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ପୋଟେରୁ ନଦୀ ପୋଲ ଉପରେ ଚାରି ଫୁଟର ପାଣି ପ୍ରବାହିତ ହେଉଥିଲା।ବର୍ଷା ଥମିବାରୁ କେବଳ ପୋଟେରୁ ଗ୍ରାମରେ ପଶିଥିବା ପାଣି କମିଥିଲା।

malkangiri

ମାଲକାନଗିରି: ଜିଲ୍ଲାରେ ଲଗାଣ ବର୍ଷା ଥମିଲା। କିନ୍ତୁ ଦୁର୍ଦଶା ବଢିଛି। ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ପୋଟେରୁ ନଦୀ ପୋଲ ଉପରେ ଚାରି ଫୁଟର ପାଣି ପ୍ରବାହିତ ହେଉଥିଲା।ବର୍ଷା ଥମିବାରୁ କେବଳ ପୋଟେରୁ ଗ୍ରାମରେ ପଶିଥିବା ପାଣି କମିଥିଲା। ପୋଟେରେ ଗ୍ରାମରେ ପ୍ରାୟ ୧୦ ଫୁଟ ପାଣି ରହିଥିଲା। ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଘରକୁ ସଂପୂର୍ଣ୍ଣ ପାଣିରେ ବୁଡାଇ ରଖିଥିଲା। ଆଜି ସକାଳ ବର୍ଷା କମିବାରୁ ଧିରେ ଧିରେ ପୋଟେରୁ ଗ୍ରାମରୁ ମଧ୍ୟ ପାଣି କମିଥିଲା।

ଗତ ଦୁଇ ଦିନ ଧରି ପୋଟେରୁ ଗ୍ରାମରେ ବନ୍ୟା ପାଣି ରହିଥିଲା। ଲୋକେ ଜୀବନ ବଞ୍ଚାଇ ଉଚ୍ଚା ସ୍ଥାନକୁ ଚାଲିଗଲେ ସିନା ଘରର ସମସ୍ତ ଆସବାବପଦ୍ର, ବିଦ୍ୟୁତ ସରଞ୍ଜାମ ଇତ୍ୟାଦି ନଷ୍ଟ ହୋଇଗଲା।ଘରେ କାଦୁଅ ପଚ ପଚ ହୋଇଗଲା। ଘରର କୌଣସି ଜିନିଷ ଲୋକେ କାଢିପାରିନଥିଲେ। ରାତି ଗୋଟାଏରେ ହଠାତ୍ ପାଣି ଗାଁରେ ପଶିଆସିବାରୁ ଲୋକେ ଜୀବନ ବିକଳରେ ଦୌଡିବାକୁ ଲାଗିଥିଲେ। କିଛି ଲୋକ ଶୋଇଥିବା ବେଳେ ଘରେ ପାଣି ପଶିବାରୁ ସେମାନେ ଭୟରେ ପିଲାଛୁଆଙ୍କୁ ନେଇ ଅଣ୍ଟା ପର୍ଯ୍ୟନ୍ତ ପାଣିରେ ପଶି ଉଚ୍ଚା ସ୍ଥାନକୁ ଯାଇଥିଲେ।

Mkg after flood

ଆଜି ସକାଳୁ ଲୋକେ ଘରେ ପଶୁ ପଶୁ କୌଣସି ଜିନିଷ ଠିକ ନଥିବା ଦେଖିବାକୁ ପାଇଥିଲେ। ଘରର ସମସ୍ତ ଜିନିଷ ନଷ୍ଟ ହେବା ସହ ବହୁ ଜିନିଷ ପାଣିରେ ଭାସିଯାଇଥିଲା। ବିଶେଷକରି ଗରିବ ଲୋକଙ୍କ ଅବସ୍ଥା ସାଂଘାତିକ ହୋଇପଡିଛି। ପୋଟେରୁ ଗ୍ରାମରେ ବିଦ୍ୟୁତ ସେବା ଠପ୍ ହୋଇଥିବା ବେଳେ ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ନେଟୱର୍କ ସେବା ଠପ୍ ହୋଇଥିବାରୁ ଲୋକେ କାହାକୁ ମଧ୍ୟ ଯୋଗାଯୋଗ କରିପାରୁନାହାନ୍ତି।ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ଗାଁରେ ପାଣିର ବ୍ୟବସ୍ଥା କରିଥିବା ଜିଲ୍ଲାପାଳ କହିଥିଲେ। ବିଦ୍ୟୁତ ସେବାରେ ବିଳମ୍ବ ହେବ ବୋଲି କୁହାଯାଇଛି।

ସେହିପରି ନେଟୱର୍କ ମଧ୍ୟ ଆସିବାରେ ବିଳମ୍ବ ହେବ।ତେବେ ଜିଲ୍ଲାରେ ଆଜିର ବର୍ଷା ରେକର୍ଡ ଅନୁଯାୟୀ ମାଲକାନଗିରି ବ୍ଲକରେ ୧୦୦ ମିଲିମିଟର ବର୍ଷା ହୋଇଥିବା ବେଳେ ମାଥିଲି ବ୍ଲକରେ ୭୫ ମିଲିମିଟର, ଖଇରପୁଟ ବ୍ଲକରେ ୭୪ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୩୫ ମିଲିମିଟର, କୋରକୋଣ୍ଡା ବ୍ଲକରେ ୬୪ ମିଲିମିଟର, କାଲିମେଳା ବ୍ଲକରେ ୪୪ ମିଲିମିଟର ଏବଂ ପଡିଆ ବ୍ଲକରେ ୭୨ ମିଲିମିଟର ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe