ରାଉରକେଲା: ଘରୋଇ ପଡ଼ିଆରେ ପ୍ରୋଲିଗ୍ରେ ଭାରତୀୟ ଦଳ କ୍ରମାଗତ ଦ୍ବିତୀୟ ପରାଜୟ ଭୋଗିଛି। ପ୍ରଥମ ମ୍ୟାଚ୍ରେ ବେଲଜିୟମଠାରୁ ହାରିଥିବା ଭାରତ ଆଜି ଆର୍ଜେଣ୍ଟିନାଠାରୁ ଲଜ୍ଜାଜନୟକ ପରାଜୟ ବରଣ କରିଛି। ତୃତୀୟ ଦିନରେ ଭାରତ ତା’ର ଦ୍ବିତୀୟ ମ୍ୟାଚ୍ ଆର୍ଜେଣ୍ଟିନା ବିପକ୍ଷରେ ପଡ଼ିଆକୁ ଓହ୍ଲାଇଥିଲା। ପ୍ରଥମ ମ୍ୟାଚ୍ ଭଳି ଆଜି ମଧ୍ୟ ଦର୍ଶକଙ୍କ ଉପସ୍ଥିତିରେ ଷ୍ଟାଡିୟମ ପୁରି ଉଠିଥିଲା। ପାଖାପାଖି ୧୫ ହଜାର ଦର୍ଶକ ଆଜିର ମ୍ୟାଚ୍କୁ ମନଭରି ଉପଭୋଗ କରିଥିଲେ। ସମସ୍ତ ୪ଟି ଷ୍ଟାଣ୍ଡ୍ରେ ଦର୍ଶକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। କେବଳ ଦକ୍ଷିଣ ଓ ଉତ୍ତର ଷ୍ଟାଣ୍ଟ୍ର ଗ୍ରାଉଣ୍ଡ୍ ଫ୍ଲୋର୍ରେ ଅପେକ୍ଷାକୃତ କମ୍ ଦର୍ଶକ ଥିଲେ। କିଏ ଭାରତୀୟ ଦଳର ଜର୍ସି ପିନ୍ଧି ଆସିଥିଲା ତ ପୁଣି କିଏ ଗାଲ, କପାଳରେ ତ୍ରିରଙ୍ଗା ଚିତ୍ର ଆଙ୍କି ଆସିଥିଲେ। ତେବେ ବହୁସଂଖ୍ୟକ ଦର୍ଶକ ଜାତୀୟ ପତାକା ଧରି ମ୍ୟାଚ୍କୁ ଉପଭୋଗ କରିଥିଲେ।
ଦୁଇ ପେନାଲ୍ଟି ଷ୍ଟ୍ରୋକ୍ ହାତଛଡ଼ାକଲେ ସରପଞ୍ଚ
ସରପଞ୍ଚଭାବେ ପରିଚିତ ଭାରତୀୟ ହକି ଦଳର ଅଧିନାୟକ ହର୍ମନ୍ପ୍ରୀତ ସିଂହ ଆଜିର ମ୍ୟାଚ୍ରେ ଏକ ପେନାଲ୍ଟି ଷ୍ଟ୍ରୋକ୍ ସୁଯୋଗକୁ ହାତଛଡ଼ା କରିଥିଲେ। ଦୁଇଥର ପ୍ରୟାସ କରିଥିଲେ ମଧ୍ୟ ଉଭୟ ପ୍ରୟାସ ବିଫଳ ଯାଇଥିଲା। ମ୍ୟାଚ୍ର ପ୍ରଥମ କ୍ବାର୍ଟର୍ରେ ଭାରତକୁ ପେନାଲ୍ଟି ସୁଯୋଗ ମିଳିଥିଲା। ହର୍ମନପ୍ରୀତ ଗୋଲ୍ ଦେବାକୁ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତେବେ ଆର୍ଜେଣ୍ଟିନା ଗୋଲ୍କିପରଙ୍କ ତ୍ରୁଟି ଯୋଗୁ ଆଉଥରେ ଷ୍ଟ୍ରାଇକ୍ କରିବାକୁ ସୁଯୋଗ ମିଳିଥିଲା। କିନ୍ତୁ ଏଥର ମଧ୍ୟ ଅଧିନାୟକ ଗୋଲ୍ ଦେବାରେ ବିଫଳ ହୋଇଥିଲେ।
ଆର୍ଜେଣ୍ଟିନା ଖେଳାଳିଙ୍କ ମୁଣ୍ଡ ଫାଟିଲା
ଆଜିର ମ୍ୟାଚ୍ରେ ଆର୍ଜେଣ୍ଟିନାର ତାରକା ଖେଳାଳି ଜୋଆକ୍ବିନ ଟସ୍କାନି ଆଘାତପ୍ରାପ୍ତ ହୋଇଛନ୍ତି। ମିଡ୍ଫିଲ୍ଡର ଟସ୍କାନି ଗୋଲ୍ ରକ୍ଷା କରିବାକୁ ଯାଉଥିବାବେଳେ ତାଙ୍କ ମୁଣ୍ଡରେ ହକି ଷ୍ଟିକ୍ ବାଜିଥିଲା। ଫଳରେ ତାଙ୍କର ମୁଣ୍ଡ ଫାଟିଯାଇଥିଲା। ତୁରନ୍ତ ଆହତ ଟସ୍କାନିଙ୍କୁ ପଡ଼ିଆ ବାହାରକୁ ଆଣି ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା। ତେବେ ସେ ଗୁରୁତର ହୋଇନଥିବା ଜଣାପଡ଼ିଛି।
ମନମୀତଙ୍କ ପଦାର୍ପଣ
ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍ରେ ବରିଷ୍ଠ ଭାରତୀୟ ଦଳରେ ଡେବ୍ୟୁ କରିଛନ୍ତି ମିଡ୍ଫିଲଡର ମନମୀତ ସିଂହ। ଭାରତୀୟ ସୈନ୍ୟ ବାହିନୀରେ ହକି ଖେଳିଥିବା ବାପା ମନମୀତଙ୍କୁ ହକି ପାଇଁ ପ୍ରୋତ୍ସାହିତ କରିଥିଲେ। ମାତ୍ର ୧୧ ବର୍ଷ ବୟସରେ ମନମୀତ ହକି ଖେଳିବା ଆରମ୍ଭ କରିଥିଲେ। ଏବେ ମାତ୍ର ୨୦ ବର୍ଷ ବୟସରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହି ଯୁବ ଖେଳାଳି ତାମିଲନାଡୁରେ ଅନୁଷ୍ଠିତ ହକି ପୁରୁଷ କନିଷ୍ଠ ବିଶ୍ୱକପ୍-୨୦୨୫ରେ ଉନ୍ନତ ପ୍ରଦର୍ଶନ ଯୋଗୁ ଚର୍ଚ୍ଚାର ପରିସରକୁ ଆସିଥିଲେ। ବିଶ୍ବକପରେ ସେ ସର୍ବାଧିକ ୬ଟି ଗୋଲ୍ ଦେଇ ଦଳ ପାଇଁ ସର୍ବାଧିକ ସ୍କୋରର୍ ହେବାସହ ଭାରତକୁ ବ୍ରୋଞ୍ଜ ପଦକ ହାସଲ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍)ର ଶେଷ ଦୁଇଟି ସଂସ୍କରଣରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏନେଇ ମନମୀତ କହିଛନ୍ତି, ନୀଳ ଜର୍ସି ପିନ୍ଧିବା ମୋ’ର ପିଲାଟି ଦିନରୁ ସ୍ବପ୍ନ ରହିଥିଲା, ଆଜି ତାହା ପୂରଣ ହୋଇଛି। ଏହା ନିଶ୍ଚିତଭାବେ ଗର୍ବ ଓ ଗୌରବର ବିଷୟ। କନିଷ୍ଠ ଦଳରେ ବି ଖେଳିଛି, କିନ୍ତୁ ବରିଷ୍ଠ ଦଳରେ ସାମିଲ ହେବାପରେ ମୋ’ର ଦାୟିତ୍ବ ବଢ଼ିଯାଇଛି।
ଆର୍ଜେଣ୍ଟିନାର ସର୍ବବୃହତ ବିଜୟ
ଆଜି ଭାରତ ବିପକ୍ଷରେ ସର୍ବବୃହତ ବିଜୟ ହାସଲ କରିଛି ଆର୍ଜେଣ୍ଟିନା। ପୂର୍ବରୁ ହକି ପ୍ରୋ-ଲିଗ୍ ରେକର୍ଡ ଭାରତ ସପକ୍ଷରେ ରହିଥିଲା। ତେବେ ଆଜିର ମ୍ୟାଚ୍ରେ ଆର୍ଜେଣ୍ଟିନା ତା’ର ସମସ୍ତ ରେକର୍ଡକୁ ଭାଙ୍ଗିଛି। ଆଜି ଭାରତକୁ ସିଧାସଳଖ ୮-୦ ଗୋଲ୍ରେ ପରାସ୍ତକରି ଇତିହାସରେ ପ୍ରଥମଥର ପାଇଁ ଏଭଳି ବିଶାଳ ବିଜୟ ହାସଲ କରିଛି। ଏହା ପୂର୍ବରୁ ଆର୍ଜେଣ୍ଟିନା ୧୯୯୦ ମସିହା ଆର୍ଜେଣ୍ଟିନା ଶେଷଥର ପାଇଁ ଭାରତ ବିପକ୍ଷରେ ବୃହତ୍ ବିଜୟ ହାସଲ କରିଥିଲା। ୧୯୯୦ ପୁରୁଷ ବିଶ୍ବକପ୍ ମ୍ୟାଚ୍ରେ ଆର୍ଜେଣ୍ଟିନା ୫-୩ ଗୋଲରେ ଭାରତକୁ ହରାଇଥିଲା। ଏତଦ୍ବ୍ୟତୀତ ମୋଟ୍ ଚାରିଥର ୪ଟି ଗୋଲ୍ ଦେଇ ବିଜୟ ଲାଭ କରିଥିଲା। ଗତ ୨୦୨୫ ହକି ପ୍ରୋଲିଗ୍ରେ ୪-୩ ଗୋଲ୍ରେ ବିଜୟୀ ହୋଇଥିବାବେଳେ ୨୦୦୩ ଚାମ୍ପିଅନ୍ସ ଟ୍ରଫିରେ ୪-୨ ଗୋଲ୍, ୨୦୧୦ ବିଶ୍ବକପ୍ରେ ୪-୨ ଗୋଲ୍ ଓ ୨୦୧୪ ଚାମ୍ପିଅନ୍ସ ଟ୍ରଫିରେ ୪-୨ ଗୋଲ୍ରେ ବିଜୟୀ ହୋଇଥିଲା। ଶେଷଥର ପାଇଁ ୧୯୮୮ ମସିହାରେ ଆର୍ଜେଣ୍ଟିନା ଓ ଭାରତ ମଧ୍ୟରେ ସର୍ବାଧିକ ୧୨ଟି ଗୋଲ୍ ଦେଖିବାକୁ ମିଳିଥିଲା। ୧୯୮୮ ଅଲିମ୍ପିକ୍ ଗେମ୍ସରେ ଦୁଇ ଦଳ ମୋଟ ୬ଟି ଲେଖାଏ ଗୋଲ୍ ଦେଇଥିବାବେଳେ ମ୍ୟାଚ୍ ଅମୀମାଂସିତ ରହିଥିଲା।
ତ୍ରୁଟିରେ ସୁଧାର କରିବୁ: ହର୍ମନପ୍ରୀତ
ପ୍ରଥମ ଦୁଇ କ୍ବାର୍ଟର୍ରେ ଆମେ ଢେର୍ ପଛେଇ ଯାଇଥିଲୁ। ଆମର ଆରମ୍ଭ ଆଶାନୁରୂପ ହୋଇନଥିଲା। ମ୍ୟାଚ୍ରେ ଆମର ଏକାଧିକ ଛୋଟଛୋଟ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଖୁବଶୀଘ୍ର ଏଥିରେ ସୁଧାର ଆଣିବୁ। ଆଗାମୀ ଦୁଇ ମ୍ୟାଚ୍ରେ ସଫଳ ପ୍ରତ୍ୟାବର୍ତ୍ତନ କରିବୁ।
ବୁଝାମଣାରେ ସମସ୍ୟା ରହିଲା: ଅମିତ ରୋହିଦାସ
ମ୍ୟାଚ୍ ଆରମ୍ଭରୁ ଆମର ଉନ୍ନତ ପ୍ରଦର୍ଶନ ହୋଇନଥିଲା। ଆରମ୍ଭରୁ ଯଦିଓ ଆମକୁ ସୁଯୋଗ ମିଳିଥିଲା, କିନ୍ତୁ ତାହା ହାତଛଡ଼ା ହୋଇଯାଇଥିଲା। ଆମର ପାସ୍କୁ ସେମାନେ ସହଜରେ ଛଡ଼ାଇ ନେଇଯାଉଥିଲେ, ଯାହାକି ସେମାଙ୍କୁ ଗୋଲ୍ ସ୍କୋର୍ କରିବାରେ ସହାୟକ ହୋଇଥିଲା। ଆଉ ଦୁଇଟି ମ୍ୟାଚ୍ ବାକି ଅଛି, ଏଥିରେ ନିଶ୍ଚିତଭାବେ ଉତ୍କର୍ଷ ପ୍ରଦର୍ଶନ କରିବୁ।
Follow Us