ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଚାଲିଥିବା ମହିଳା ଦିନିକିଆ ବିଶ୍ବକପ୍ରେ ରବିବାର ଭାରତ ବଡ଼ ବ୍ୟବଧାନରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଗତଥରର ଉପବିଜୟିନୀ ଭାରତ ଚଳିତ ବିଶ୍ବକପ୍ରେ ତା’ର ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ୧୦୭ ରନ୍ରେ ଧୂଳି ଚଟାଇଛି।
ଏହି ଖେଳ ପରେ ଉଭୟ ଦଳ ପରସ୍ପର ସହିତ ହୃଦୟ ସ୍ପର୍ଶକାତର ମୁହୂର୍ତ୍ତ ବାଣ୍ଟିଥିଲେ । ଭାରତୀୟ ମହିଳା ଖେଳାଳିଙ୍କ ଦଳ ପାକିସ୍ତାନ ଖେଳାଳିଙ୍କ ଡ୍ରେସିଂ ରୁମରେ ପଶି ପାକିସ୍ତାନ ଅଧିନାୟକ ବିସ୍ମାହ ମାରୁଫଙ୍କ ସାତ ମାସର ଝିଅ ଫାତିମାଙ୍କ ନିକଟରେ ଏକତ୍ରିତ ହୋଇଥିଲେ ଏବଂ ତାଙ୍କୁ ବହୁତ ସ୍ନେହ କରିଥିଲେ। ବିସ୍ମାଙ୍କ ସହ ଭାରତର ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା ଉଭୟ ଦେଶରେ ଅନେକ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟ ଜିତିଛି।
କିଛି ଭାରତୀୟ ଖେଳାଳିଙ୍କ ଫାତିମାଙ୍କ ସହ ସମୟ ବିତାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏଥିସହ ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ଆଇସିସି) ହ୍ୟାଣ୍ଡେଲରେ ମଧ୍ୟ ଏହି ଭିଡିଓ ପୋଷ୍ଟ କରାଯାଇଛି।
ତେବେ ଟସ୍ ଜିତି ବ୍ୟାଟିଂ ନେଇଥିବା ଭାରତ ତିନିଟି ଅର୍ଦ୍ଧଶତକ ସହାୟତାରେ ୭ ୱିକେଟ୍ ବିନିମୟରେ ୨୪୪ ରନ୍ କରିଥିଲା। ଜବାବରେ ବୋଲରଙ୍କ ଦମ୍ଦାର ପ୍ରଦର୍ଶନ ବଳରେ ପାକିସ୍ତାନ ପାଳି ୧୩୭ (୪୩ ଓଭର)ରେ ସଫା ହୋଇଯାଇଥିଲା। ପୂଜା ଭସ୍ତ୍ରକାରଙ୍କ ଧୂଆଁଧାର ବ୍ୟାଟିଂ ପରେ ରାଜେଶ୍ବରୀ ଗାଏକ୍ବାଡଙ୍କ ମାରାତ୍ମକ ବୋଲିଂ ବଳରେ ଭାରତ ଚମତ୍କାର ବିଜୟ ହାସଲ କରିଛି।
ପୂଜା ଭସ୍ତ୍ରକାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଏଥିସହିତ ବିଶ୍ବକପ୍ରେ ଏପର୍ଯ୍ୟନ୍ତ ଦୁଇ ପଡୋଶୀ ପ୍ରତିଦ୍ବନ୍ଦ୍ବୀ ୧୧ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ଶତକ ପ୍ରତିଶତ ସଫଳତା ସହ ଅପରାଜେୟ ରହିଛି। ପାକିସ୍ତାନ ୧୧ ମ୍ୟାଚ୍ ଖେଳି ଭାରତଠୁ ସବୁଥର ହାର୍ ମାନିଛି।
Follow Us