ନୂଆଦିଲ୍ଲୀ: ଇରାନରେ ସୁରକ୍ଷା ପରିସ୍ଥିତି ବିଗିଡ଼ିବା ଏବଂ ଜନଆକ୍ରୋଶ ବୃଦ୍ଧି ପାଇବା ମଧ୍ୟରେ, ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ମହାନ ଏୟାର ବିମାନର ବିମାନ ଡବ୍ଲୁ-୫-୦୭୧ ଯୋଗେ ପ୍ରଥମ ଭାରତୀୟ ଦଳ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି। ପରିବାର ସଦସ୍ୟମାନେ ବିମାନବନ୍ଦରରେ ସେମାନଙ୍କ ପ୍ରିୟଜନଙ୍କୁ ଭାବପ୍ରବଣ ଭାବରେ ସ୍ୱାଗତ କରିଥିଲେ। ଆର୍ଥିକ ସଙ୍କଟ ଏବଂ ସ୍ଥାନୀୟ ମୁଦ୍ରାର ମୂଲ୍ୟ ରେକର୍ଡ ସ୍ତରକୁ ଖସିବା ପରେ ଇରାନରେ ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନ ଏବେ ହିଂସାତ୍ମକ ରୂପ ନେଇଛି। ଯାହାକୁ ଦୃଷ୍ଟିରେ ରଖି ଭାରତ ସରକାର ନିଜ ନାଗରିକମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ପରାମର୍ଶ ଦେଇଥିଲେ।

Advertisment

ଇଣ୍ଟରନେଟ୍ ବନ୍ଦ, ରାସ୍ତାରେ ମୃତ୍ୟୁର ତାଣ୍ଡବ: ସ୍ବଦେଶ ଫେରିଥିବା ନାଗରିକ ବଖାଣିଲେ ଲୋମଟାଙ୍କୁରା ଦୃଶ୍ୟ
ଘରକୁ ଫେରିଥିବା ଭାରତୀୟମାନେ ଇରାନର ବର୍ତ୍ତମାନର ଭୟଙ୍କର ପରିସ୍ଥିତିକୁ ବଖାଣିଛନ୍ତି। ସେମାନଙ୍କ ଅନୁଯାୟୀ, ଗତ ଦୁଇ ସପ୍ତାହ ଧରି ଇରାନରେ ସମ୍ପୂର୍ଣ୍ଣ ଇଣ୍ଟରନେଟ୍ ବ୍ଲାକଆଉଟ୍ ହୋଇଯାଇଛି। ଏହି କାରଣରୁ ସେମାନେ ସେମାନଙ୍କ ପରିବାରକୁ ନିଜ ଭଲମନ୍ଦ ବିଷୟରେ ଜଣାଇ ପାରୁନଥିଲେ ଅବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିପାରୁ ନଥିଲେ। ଜମ୍ମୁ-କାଶ୍ମୀରର ଜଣେ ଛାତ୍ର କହିଛନ୍ତି, ପ୍ରତିବାଦ ଏତେ ହିଂସାତ୍ମକ ଥିଲା ଯେ, ବାହାରକୁ ବାହାରିଲେ ଜୀବନ ପାଇଁ ବିପଦପୂର୍ଣ୍ଣ ଥିଲା। ପ୍ରତିବାଦକାରୀମାନେ ଭଙ୍ଗାରୁଜା,ପୋଡ଼ାଜଳା କରୁଥିଲେ। କଷ୍ଟକର ପରିସ୍ଥିତି ସତ୍ତ୍ୱେ, ଯୋଗାଯୋଗ ସ୍ଥାପନ ହେବା ମାତ୍ରେ ଭାରତୀୟ ଦୂତାବାସ ନାଗରିକମାନଙ୍କୁ ସୂଚନା ଓ ସ୍ଥାନାନ୍ତର ବିକଳ୍ପ ପ୍ରଦାନ କରିଥିଲା। ଇରାନରେ ବର୍ତ୍ତମାନର ଅଶାନ୍ତି ଦେଶର ଭୁଶୁଡ଼ିପଡ଼ୁଥିବା ଅର୍ଥନୀତି ପାଇଁ ସୃଷ୍ଟି ହୋଇଛି। ଇରାନୀ ମୁଦ୍ରାର ମୂଲ୍ୟରେ ରେକର୍ଡସ୍ତରୀୟ ହ୍ରାସ ପରେ ଗତ ମାସରେ ମୁଦ୍ରାସ୍ଫୀତି ବିରୋଧରେ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ଦେଶର ସମସ୍ତ ୩୧ଟି ପ୍ରଦେଶକୁ ବ୍ୟାପିଛି। ପ୍ରତିବାଦକାରୀମାନେ ଅର୍ଥନୈତିକ ସଂସ୍କାର ସହିତ ରାଜନୈତିକ ପରିବର୍ତ୍ତନ ମଧ୍ୟ ଦାବି କରୁଛନ୍ତି। ମାନବାଧିକାର ସଂଗଠନ ଅନୁଯାୟୀ, ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ ଇଣ୍ଟରନେଟ୍ ବନ୍ଦ ହେବା ଦ୍ୱାରା ବାସ୍ତବତା ଏବଂ ସଠିକ୍ ସଂଖ୍ୟା ଯାଞ୍ଚ କରିବା କଷ୍ଟକର ହୋଇପଡ଼ିଛି।

ଆହୁରି ପଢନ୍ତୁ: Jubin Garg: ଜୁବିନ୍ ଗର୍ଗ ନିଶାଗ୍ରସ୍ତ ଥିଲେ, କିନ୍ତୁ ତାଙ୍କୁ ପ୍ରଚୁର ମଦ୍ୟପାନ କରାଇବାକୁ ବାଧ୍ୟ କରାଯାଇଥିଲା: ଆସାମ ପୁଲିସ କାହାକୁ କରୁଛି ଇଙ୍ଗିତ?

ଭାରତ ସରକାରଙ୍କ ରଣନୀତି ଏବଂ ପ୍ରସ୍ତୁତି
ଇରାନରେ ସୁରକ୍ଷା ପରିସ୍ଥିତି ବିଗିଡ଼ି ଯାଉଥିବା ବେଳେ, ଭାରତ ସରକାର ନିଜ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ତ୍ରିସ୍ତରୀୟ ରଣନୀତି ପ୍ରସ୍ତୁତ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ବର୍ତ୍ତମାନ ସେଠାରେ ରହୁଥିବା ପ୍ରାୟ ୯,୦୦୦ ରୁ ୧୦,୦୦୦ଭାରତୀୟଙ୍କ ଡାଟାବେସ୍ ଅପଡେଟ୍ କରୁଛନ୍ତି। ଫସି ରହିଥିବା ଭାରତୀୟଙ୍କ ମଧ୍ୟରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏବଂ ତୀର୍ଥଯାତ୍ରୀ ସାମିଲ ଅଛନ୍ତି। ପରିସ୍ଥିତି ଉପରେ ନଜର ରଖିବା ପାଇଁ ଏକ ଉତ୍ସର୍ଗୀକୃତ ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟା ସକ୍ରିୟ କରାଯାଇଛି।

ଆହୁରି ପଢନ୍ତୁ: Tourist Death: ଅରୁଣାଚଳ ପ୍ରଦେଶରେ ବରଫ ହ୍ରଦକୁ ଖସି ପଡ଼ିଲେ ୨ କେରଳ ପର୍ଯ୍ୟଟକ, ଜଣଙ୍କ ମୃତଦେହ ଉଦ୍ଧାର

ଅପରେସନ୍ ଗଙ୍ଗାରେ ଆବଶ୍ୟକ ହେଲେ ଯୋଗଦେବ ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର
ତେହେରାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ୯୮୯୧୨୮୧୦୯୧୧୫,୯୮୯୧୨୮୧୦୯୧୦୯ ଜାରି କରାଯାଇଛି। ନାଗରିକମାନଙ୍କୁ ବାଣିଜ୍ୟିକ ବିମାନ କିମ୍ବା ଅନ୍ୟାନ୍ୟ ଉପଲବ୍ଧ ରୁଟ୍ ମାଧ୍ୟମରେ ତୁରନ୍ତ ଇରାନଛାଡିବାକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସରକାର ଅପରେସନ୍ ଗଙ୍ଗା ପରି ଏକ ପ୍ରମୁଖ ଉଦ୍ଧାର ମିଶନର ରୂପରେଖା ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏହା ଅନ୍ତର୍ଗତ ଆବଶ୍ୟକ ହେଲେ, ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ଭଳି ସାମରିକ ବିମାନ ବ୍ୟବହାର କରି ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଭାବରେ ସ୍ବଦେଶ ଫେରାଇ ଅଣାଯିବ।