କଡ଼ା ସୁରକ୍ଷା ବଳୟରେ କନ୍ଧମାଳ ଜିଲ୍ଲା: ୨୬ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ

ଆସନ୍ତାକାଲି (ଅଗଷ୍ଟ ୨୬) ପାଳିତ ହେଉଛି ଜନ୍ମାଷ୍ଟମୀ। ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ତଥା ୧୬ତମ ବଳିଦାନ ଦିବସ ଭାବେ ମଧ୍ୟ ଉକ୍ତ ଦିବସକୁ ପାଳନ କରାଯାଉଛି।

afaaf

ଫୁଲବାଣୀ/ତୁମୁଡ଼ିବନ୍ଧ: ଆସନ୍ତାକାଲି (ଅଗଷ୍ଟ ୨୬) ପାଳିତ ହେଉଛି ଜନ୍ମାଷ୍ଟମୀ। ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ତଥା ୧୬ତମ ବଳିଦାନ ଦିବସ ଭାବେ ମଧ୍ୟ ଉକ୍ତ ଦିବସକୁ ପାଳନ କରାଯାଉଛି। ଏଥିପାଇଁ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜିଲ୍ଲାରେ ୨୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ବୋଲି କନ୍ଧମାଳ ଏସ୍‌ପି ଶୁ‌ଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି।  ଜିଲ୍ଲାର ବିଭିନ୍ନ ଚର୍ଚ୍ଚ ଏବଂ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜିଲ୍ଲାକୁ ସଂଯୋଗ କରୁଥିବା ବିଭିନ୍ନ ପ୍ରବେଶ ଓ ପ୍ରସ୍ଥାନପଥରେ ପୁଲିସ ଫୋର୍ସ କଡ଼ାକଡ଼ି ଯାଞ୍ଚ କରୁଥିବା ଏସ୍‌ପି କହିଛନ୍ତି। 

ସେହିପରି ଜଲେଶପଟ୍ଟ‌ା ଆଶ୍ରମରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ ଓ କନ୍ଧମାଳ ଏସପି ଶ୍ରୀ ପାତ୍ର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ପରିସରରେ ଜନ୍ମାଷ୍ଟମୀ ସହ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ। ଏଥିପାଇଁ ଆଶ୍ରମ ଭିତରେ ଓ ବାହାରେ ବନ୍ଧୁକଧାରୀ ଯବାନ ମୁତୟନ ହୋଇଥିବା ବେଳେ ସେଠାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଦକ୍ଷିଣାଞ୍ଚଳ ଆଇଜି ଆଶ୍ରମକୁ ଯାଇ ସୁରକ୍ଷା ସ୍ଥିତିର ଯାଞ୍ଚ କରିଛନ୍ତି। ଅପ୍ରୀତିକର ଘଟଣାକୁ ଏଡ଼ାଇବାକୁ ପୁଲିସ ବିଭାଗ ତୀକ୍ଷ୍ଣ ନଜର ରଖିଛି। ଆଇଜିଙ୍କ ଗସ୍ତ ବେଳେ ବାଲିଗୁଡ଼ା ଏସ୍‌ଡିପିଓ ରାହୁଲ ଗୋଏଲ, ଡିଏସ୍‌ପି ପିକେ ରାଉତ ଓ ତୁମୁଡ଼ିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଆଶ୍ରମ ପରିସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଯୋଗ ଦେବେ।

ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ଯୋଗ ଦେବେ। ଆସନ୍ତାକାଲି ସକାଳେ ଅନ୍ତୋବାସିନୀମାନଙ୍କ ଉପସ୍ଥିତିରେ କଳସପୂଜା, ସୂର୍ଯ୍ୟପୂଜା, ବଳିଦାନ ଭୂମିପୂଜା, ଯଜ୍ଞପୂଜା, ଆଳତି ଓ ପୂର୍ଣ୍ଣାହତି ଆଦି ଅନୁଷ୍ଠିତ ହେବ ବୋଲି ଆଶ୍ରମ ପରିଚାଳକ ସ୍ୱାମୀ  ଜୀବନ ମୁକ୍ତାମୁନନ୍ଦପୁରୀ ସୂଚନା ଦେଇଛନ୍ତି। ଜିଲ୍ଲାରେ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ, ଜିଲ୍ଲା ପ୍ରଶାସନ ଏବଂ ଶାନ୍ତିକମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ଶାନ୍ତି କମିଟି ବୈଠକ ଆୟୋଜିତ ହୋଇଛି। ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲାପାଳ ଅମ୍ରିତ୍‌ ଋତୁରାଜ ଲୋକମାନଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ରାତିରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସମେତ ଅନ୍ୟ ୪ ଜଣଙ୍କୁ ଜଲେଶପଟା ଆଶ୍ରମରେ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ସମଗ୍ର ଜିଲ୍ଲାରେ ଦଙ୍ଗା ବ୍ୟାପିଯାଇଥିଲା। ସ୍ବାମୀଜୀଙ୍କ ହତ୍ୟା ଏବଂ ଏହାପରେ ଜିଲ୍ଲାରେ ସୃଷ୍ଟି ହୋଇଥିବା ଦଙ୍ଗା ଘଟଣାର ତଦନ୍ତ କରିବା ପାଇଁ ସରକାର ତିନୋଟି ତଦନ୍ତ କମିସନ ବସାଇଥିଲେ। କମିସନ ସରକାରଙ୍କୁ ନିଜର ରିପୋର୍ଟ ପ୍ରଦାନ କରି ସାରିଥିଲେ ମଧ୍ୟ ଏହା ଆଜିଯାଏ ସାର୍ବଜନୀନ କରାଯାଉ ନଥିବାରୁ ହିନ୍ଦୁ ସଂଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe