ଲାଲୁ ଏବେ କଏଦୀ ନମ୍ବର ୩୩୫୧: ଅଧିକାଂଶ ସମୟରେ ନିରବ

ଲାଲୁ ଏବେ କଏଦୀ ନମ୍ବର ୩୩୫୧: ଅଧିକାଂଶ ସମୟରେ ନିରବ

ନୂଆଦିଲ୍ଲୀ: ରାଞ୍ଚିର ହଟଓ୍ଵାର କେନ୍ଦ୍ରୀୟ ଜେଲ୍‌ ଏବେ ତା’ର ପ୍ରସିଦ୍ଧ କଏଦୀଙ୍କୁ ନେଇ ଚର୍ଚ୍ଚାରେ ରହିଛି । ଗତ ଶନିବାର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଏବେ ଏକ ନୂଆ ପରିଚୟ ମିଳିଛି। ସେ ଏହି କେନ୍ଦ୍ରୀୟ ଜେଲ୍‌ରେ କଏଦୀ ନମ୍ବର ୩୩୫୧ ଭାବେ ରହିଛନ୍ତି। ଜେଲ୍‌ର ଅପର ଡିଭିଜନ୍‌ ଓ୍ଵାର୍ଡରେ ବନ୍ଦୀ ଥିବା ଲାଲୁଙ୍କ ସହ ଅନ୍ୟ ୬ ଜଣ ଭିଆଇପି କଏଦୀ ମଧ୍ୟ ରହୁଛନ୍ତି । ସେମାନେ ହେଉଛନ୍ତି ପୂର୍ବ କଂଗ୍ରେସ ବିଧାୟକ ସାଓ୍ଵନା ଲକଡ଼ା, ସଞ୍ଜୀବ ସିଂହ, ଧାନବାଦ୍‌ର ବିଜେପି ବିଧାୟକ କମଲ କିଶୋର ଭଗତ, ଲୋଧାର୍‌ଡାଗାର ପୂର୍ବତନ ବିଧାୟକ ରାଜା ପିଟର ଏବଂ ପୂର୍ବତନ ଝାଣ୍ଡଖଣ୍ଡ ମନ୍ତ୍ରୀ ଏନୋସ ଏକ୍କା।

ଲାଲୁଙ୍କ ପାଇଁ ଏକ ଭିନ୍ନ କୋଠରି ରହିଥିବା ବେଳେ ସେଥିରେ କାଠର ଏକ ଖଟ ରହିଛି ଏବଂ ମଶାରି ଓ ଟିଭି ସେଟ୍‌ ଦିଆଯାଇଛି। ଟିଭିରେ କେବଳ ଦୂରଦର୍ଶନ ନ୍ୟୁଜ୍‌ ଦେଖିବା ବ୍ୟବସ୍ଥା ରହିଛି। ଅନ୍ୟ ଏକ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୩ ଅକ୍ଟୋବରରେ ମଧ୍ୟ ଏହି ସମାନ ଜେଲ୍‌ରେ ବନ୍ଦୀ ଜୀବନ ଅତିବାହିତ କରିଥିବା ଲାଲୁ ଖୁବ୍‌ କମ୍‌ କଥା ହେଉଛନ୍ତି। ଅଧିକାଂଶ ସମୟରେ ସେ ନିରବ ରହୁଛନ୍ତି ଏବଂ ଜେଲ୍‌ କର୍ମଚାରୀମାନଙ୍କୁ ଟିଭି ବନ୍ଦ କରିବାକୁ କହିବା ସହ ତାଙ୍କ ପାଇଁ ସିଗାରେଟ୍‌ ଆଣିଦେବାକୁ କହୁଛନ୍ତି। ଲାଲୁ ଅଧିକାଂଶ ସମୟରେ ବିଷାଦଗ୍ରସ୍ତ ରହୁଛନ୍ତି ବୋଲି ଜଣେ ଜେଲ୍‌ କର୍ମଚାରୀ କହିଛନ୍ତି। କିନ୍ତୁ ସେ ସୁସ୍ଥ ଅଛନ୍ତି। ଡାକ୍ତରଙ୍କ ଦ୍ୱାରା ତାଙ୍କର ନିୟମିତ ସ୍ୱାସ୍ଥ୍ୟପରୀକ୍ଷା କରାଯାଉଛି।

ସୋମବାର ଲାଲୁ ଦଳୀୟ କର୍ମୀ ଏବଂ ଆଇନଜୀବୀଙ୍କୁ ଭେଟିଥିବା ବେଳେ ଦଳୀୟ କର୍ମୀମାନଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି। ଜେଲ ଅଧୀକ୍ଷକ ଅଶୋକ କୁମାର ଚୌଧୁରୀ କହିଛନ୍ତି ସପ୍ତାହରେ ଲାଲୁଙ୍କୁ କେବଳ ୩ ଜଣ ଭେଟିପାରିବେ ଏବଂ ତାହା ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ। ତେବେ ଆରଜେଡି ନେତାମାନେ ଏହାର ବିରୋଧ କରି କହିଛନ୍ତି ଯେ ଲାଲୁ ଜଣେ ପ୍ରମୁଖ ନେତା ହୋଇଥିବାରୁ ତାଙ୍କୁ ଅଧିକ ଲୋକଙ୍କୁ ଭେଟିବାର ସୁଯୋଗ ମିଳୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe