ଭବିଷ୍ୟତ ମହାମେଣ୍ଟ ଯୋଜନା, ମମତା-ନାଇଡ଼ୁ ରୁଦ୍ଧଦ୍ବାର ବୈଠକ

ଭବିଷ୍ୟତ ମହାମେଣ୍ଟ ଯୋଜନା, ମମତା-ନାଇଡ଼ୁ ରୁଦ୍ଧଦ୍ବାର ବୈଠକ

କୋଲକାତା: ଆନ୍ଧ୍ରପ୍ରଦେଶ ମୁ୍ଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଖଡ଼ଗପୁରରେ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ନିର୍ବାଚନ ପରବର୍ତ୍ତୀ ମହାମେଣ୍ଟର ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବାପାଇଁ ଏହି ରୁଦ୍ଧଦ୍ବାର ବୈଠକ ହୋଇଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ମମତା ଏବଂ ନାଇଡ଼ୁ ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ରୁଦ୍ଧଦ୍ବାର ବୈଠକ କରିଥିବା ଟିଏମ୍‌ସିର ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଜଣେ ବରିଷ୍ଠ ଟିଏମ୍‌ସି ନେତାଙ୍କ କହିବା‌ ଅନୁଯାୟୀ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ କିଛି ଟିଡିପି ନେତା ଭେଟିଥିବା ନେଇ ଆଲୋଚନା‌ ହୋଇଥିଲା। ଅନ୍ୟପକ୍ଷେ ଚଳିତ ମାସ ୨୧ ତାରିଖରେ ମମତା ବିରୋଧୀ ଦଳମାନଙ୍କୁ ନେଇ ବୈଠକ କରିବା ପ୍ରସ୍ତାବ ରଖିଛନ୍ତି। ତେବେ ବୈଠକ ୨୧ ତାରିଖରେ ହେବ କି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହେବ ସେନେଇ କିଛି ନିଷ୍ପତ୍ତି ନିଆଯାଇ ନାହିଁ।

ମମତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଉପସ୍ଥାପିତ କରି ମେଣ୍ଟ ଗଠନ କରିବା ସପକ୍ଷରେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ନିକଟରେ ବୟାନ ଦେଇଥିଲେ। ଏହାପରେ ଚନ୍ଦ୍ରବାବୁଙ୍କ ପଶ୍ଚିମବଂଗ ଗସ୍ତ ଏବଂ ମମତାଙ୍କ ସହ ରୁଦ୍ଧଦ୍ବାର ବୈଠକ ନେଇ ନାନା କଳ୍ପନାଜଳ୍ପନା ଚାଲିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ମଧ୍ୟ ମମତାଙ୍କ ସହ ଆଉ ଏକ ପର୍ଯ୍ୟାୟରେ ବିସ୍ତୃତ ଆଲୋଚନା ପାଇଁ ପ୍ରସ୍ତୁତ ହେଉଛନ୍ତି। ଅଣ କଂଗ୍ରେସ ଏବଂ ଅଣ ବିଜେପି ସରକାର ଗଠନ ପାଇଁ ପ୍ରୟାସ ଜାରି ରଖିଥିବା କେସିଆର୍‌ ଏବେ ତାଙ୍କ ରଣନୀତି ବଦଳାଇ କଂଗ୍ରେସକୁ ବିକଳ୍ପ ମୋର୍ଚ୍ଚାରେ ସାମିଲ କରିବା ପାଇଁ ସଙ୍କେତ ଦେଇଥିବାରୁ ବିରୋଧୀ ଦଳଙ୍କ ରାଜନୀତି ଏବେ ରୋଚକ ମୋଡ଼ରେ ପହଞ୍ଚିଛି। ତେବେ ବିଏସ୍‌ପି ସୁପ୍ରିମୋ ମାୟାବତୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବାପାଇଁ ତାଙ୍କ ଇଚ୍ଛା ଜାହିର କରିଥିବା ଏବଂ ତାଙ୍କୁ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ସମର୍ଥନ ମିଳିଥିବାରୁ ବିକଳ୍ପ ସାମ୍ମୁଖ୍ୟ ଗଠନ କିଭଳି ହେବ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe