ଓଡ଼ିଶା ଇନଫ୍ରାଟେକର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଢ଼ଙ୍ଗୀ

Advertisment
ଓଡ଼ିଶା ଇନଫ୍ରାଟେକର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଢ଼ଙ୍ଗୀ

The Outlook

ଭୁବନେଶ୍ବର : ବହୁଚର୍ଚ୍ଚିତ ସାରୁଅ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ସଂସ୍ଥା ଓଡ଼ିଶା ଇନଫ୍ରାଟେକର ନିର୍ଦ୍ଦେଶକ ଏବଂ ଓଟିଭିର ସିଏଫଓ ପଦରୁ ଇସ୍ତଫା ଦେଇଛନ୍ତି ମନୋରଞ୍ଜନ ଷଢ଼ଙ୍ଗୀ। ବେଆଇନ୍ ଜମି କାରବାର ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଦ୍ବାରା ଗିରଫ ହୋଇ ଜେଲ ଯିବା ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ୁ ଥିବାରୁ ଓ ଏଥିସହ ପରିବାର କଥା ବୁଝିବା ଲାଗି ଅନ୍ୟ କେହି ନ ଥିବାରୁ ସେ ଇସ୍ତଫା ଦେଉଥିବା ସୂଚନା ମିଳିଛି। ମନୋରଞ୍ଜନ ଷଢ଼ଙ୍ଗୀ ଦୀର୍ଘ ଦିନ ହେଲା ମଧୁମେହ ଓ ଉଚ୍ଚରକ୍ତଚାପରେ ପୀଡ଼ିତ ଥିବା ଜଣାପଡ଼ିଛି।  ସେ ଏକ ପତ୍ର ଲେଖି ସ୍ବାସ୍ଥ୍ୟଗତ ଓ ପାରିବାରିକ କାରଣରୁ ଇସ୍ତଫା ଦେଉଥିବା ଜଣାଇଛନ୍ତି। ଅନ୍ୟ ପକ୍ଷରେ ତାଙ୍କ ନିକଟ ସଂପର୍କୀୟ ଅଭିଯୋଗ କରିଛନ୍ତି କି ମନୋରଞ୍ଜନ ଷଢ଼ଙ୍ଗୀ କମ୍ପାନିର ଜଣେ କର୍ମଚାରୀ ଭାବେ ତାଙ୍କ କାର୍ଯ୍ୟ କରିଛନ୍ତି। ସେ ଅସଲ ଦୋଷୀ ନୁହନ୍ତି। ଯେଉଁମାନେ ଏହି ଦୁର୍ନୀତିରେ ଅସଲ ଦୋଷୀ ସେମାନଙ୍କୁ ଧରାଯାଉ।

ତେଣେ ସାରୁଅ ଜମି ଦୁର୍ନୀତି ମାମଲା ଆଜି ନୂଆ ମୋଡ଼ ନେଇଛି। ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଠାରୁ ଚଞ୍ଚକତା କରି ଯେଉଁ ଜମି କିଣାଯାଇଛି ସେଥିରେ ବେନାମୀ ଅର୍ଥ କାରବାର ହୋଇଛି। କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଏହି କେଳେଙ୍କାରୀର ତଦନ୍ତ କରୁ କରୁ ଏହି କାରବାର ବାବଦରେ ପ୍ରମାଣ ପାଇଛି। ଏଣୁ ଏହି ବେନାମୀ ଅର୍ଥ କାରବାରର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଇଓଡବ୍ଲୁ ଇତିମଧ୍ୟରେ ଆୟକର ବିଭାଗକୁ ଚିଠି ଲେଖିଛି ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଗତକାଲି ସୂଚନା ଦେଇଥିଲେ।

ସେହିପରି ଏହି ମାମଲାରେ ପୂର୍ବରୁ ଇଓଡବ୍ଲୁ ଓଡ଼ିଶା ଇନ୍ଫ୍ରାଟେକ ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀ ଓ ଏଜେଣ୍ଟ ଶିବ ପ୍ରସାଦ ଶ୍ରୀଚନ୍ଦନକୁ ଗିରଫ କରିଥିଲା । ଇଓଡବ୍ଲୁ ଏହାର ତଦନ୍ତ କରୁଛି। ଆଉ କେଉଁମାନେ ଏହାର ଭାଗିଦାରୀ ଅଛନ୍ତି ତାହା ଖୋଜା ଚାଲିଛି। ‌ତେବେ କେବଳ ବେନାମୀ ଅର୍ଥ କାରବାରର ତଦନ୍ତ ଆୟକର ବିଭାଗ କରିବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe