ବିଏମ୍‌ସିକୁ ଦୟା ୱେଷ୍ଟ୍‌ କେନାଲ୍‌ ଚିନ୍ତା: କେନାଲ୍‌କୁ ଯିବନି ଆବର୍ଜନା ଜଳ

ଦୟାୱେଷ୍ଟ୍‌ କେନାଲର ପୁନରୁଦ୍ଧାର ପାଇଁ ବାରମ୍ବାର ଯୋଜନା ହୋଇ ବିଫଳ ହୋଇଛି। ପାଣି ପରିଷ୍କାର କରି ଏଥିରେ ନୌବିହାର ଯୋଜନା ଫେଲ୍‌ ମାରିଥିବା ବେଳେ ଉଭୟ ପାର୍ଶ୍ବରେ ୬ ଥାକିଆ ରାସ୍ତା ସହ କେନାଲ୍‌ର ଉନ୍ନତୀକରଣ ଯୋଜନା ମଧ୍ୟ ଫଳବତୀ ହୋଇ ପାରିନାହିଁ।

affaf

ଭୁବନେଶ୍ୱର: ଦୟାୱେଷ୍ଟ୍‌ କେନାଲର ପୁନରୁଦ୍ଧାର ପାଇଁ ବାରମ୍ବାର ଯୋଜନା ହୋଇ ବିଫଳ ହୋଇଛି। ପାଣି ପରିଷ୍କାର କରି ଏଥିରେ ନୌବିହାର ଯୋଜନା ଫେଲ୍‌ ମାରିଥିବା ବେଳେ ଉଭୟ ପାର୍ଶ୍ବରେ ୬ ଥାକିଆ ରାସ୍ତା ସହ କେନାଲ୍‌ର ଉନ୍ନତୀକରଣ ଯୋଜନା ମଧ୍ୟ ଫଳବତୀ ହୋଇ ପାରିନାହିଁ। ଫଳରେ ବର୍ଷ ବର୍ଷ ଧରି ଜମା ହୋଇଥିବା ଆବର୍ଜନା ଜଳ ଭୂତଳ ଜଳକୁ ପ୍ରଭାବିତ କଲାଣି। ଏଣେ ପୋତି ହୋଇ ରହିଥିବାରୁ ସହରର ବର୍ଷା ଜଳ ନିଷ୍କାସନ କରିପାରୁ ନାହିଁ। ଏଭଳି ସ୍ଥିତି‌ରେ ଏହାକୁ ନେଇ ବିଏମ୍‌ସି କଠୋର ହୋଇଛି। ଏହାକୁ କିଭଳି ପ୍ରଦୂଷଣମୁକ୍ତ ରଖାଯିବ ସେ ନେଇ ଅଣ୍ଟା ଭିଡ଼ିଛି। ବିଶେଷକରି ବାୟୋମେଡିକାଲ୍‌ ୱେଷ୍ଟ ଓ ଗ୍ୟାରେଜ୍‌ରୁ ବାହାରୁଥିବା ଗାଡ଼ିଧୁଆ ମୋବିଲ ମିଶା ପାଣି ଓ ସିଧାସଳଖ ଦୟାରେ ମିଶୁଥିବା ପାଇଖାନା ଆବର୍ଜନାକୁ ବିଏମ୍‌ସି ଟାର୍ଗେଟ୍‌ କରିଛି। ଆଗକୁ କୌଣସି ପରିସ୍ଥିତିରେ ଏହି ସବୁ ଆବର୍ଜନା ଦୟାକୁ ଯିବ ନାହିଁ। କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ ହୋଇଛି। 

ପ୍ରଥମ କାର୍ଯ୍ୟାନୁଷ୍ଠାନ ଭାବରେ ‘ସାନିକ୍ଲିନ୍‌’ରେ ପଞ୍ଜୀକରଣ ନଥିବାରୁ ସିଡିଏମ୍‌ଓଙ୍କ ଜରିଆରେ ୨୪ ନର୍ସିଂ ହୋମ୍‌/ପାଥୋଲ୍ୟାବ୍‌କୁ ନୋଟିସ୍‌ ଦିଆଯାଇଛି। ଏମାନେ ସିଧାସଳଖ ବାୟୋମେଡିକାଲ୍‌ ୱେଷ୍ଟ ନଳାକୁ ଛାଡ଼ୁଥିବା ପ୍ରମାଣ ମିଳିବା ପରେ ସିଡିଏମ୍‌ଓ ସେମାନଙ୍କୁ ନୋଟିସ୍‌ କରିଛନ୍ତି। ବିଏମ୍‌ସି କରିଥିବା ସର୍ଭେ ମୁତାବକ, ୫୩୭ ଟି ନର୍ସିଂ ହୋମ୍‌ ଓ ପାଥୋଲ୍ୟାବ୍‌ ‌ବାୟୋମେଡିକାଲ୍‌ ୱେଷ୍ଟ ସୃଷ୍ଟି କରୁଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୨୨୭ଟି ସାନିକ୍ଲିନ୍‌ରେ ପଞ୍ଜିକୃତ ଅଛନ୍ତି। ବାକି ୩୧୦ ନିଜର ବର୍ଜ୍ୟ ପରିଚାଳନା ପାଇଁ ବ୍ୟବସ୍ଥା କରିନାହାନ୍ତି। ନିୟମ ମୁତବାକ ୩୦ ଶଜ୍ୟା ବିଶିଷ୍ଟ ହସ୍‌ପିଟାଲ୍‌ ହେଲେ ସେମାନେ ଆବର୍ଜନା ପରିଚାଳନା ପାଇଁ ଆବର୍ଜନା ପରିଚାଳନା ପ୍ଲାଣ୍ଟ(ଇଟିପି) ସ୍ଥାପନ କରିବେ। ଅନ୍ୟମାନେ ସାନି କ୍ଲିନ୍‌ରେ ପଞ୍ଜୀକରଣ କରି ନିଜର ବର୍ଜ୍ୟବସ୍ତୁ ପ୍ରଦାନ କରିବେ। କିନ୍ତୁ ଏମାନେ ଇଟିପି କରିନାହାନ୍ତି କି ସାନିକ୍ଲିନ୍‌କୁ ବର୍ଜ୍ୟ ଦେଉ ନାହାନ୍ତି। ଏବେ ୨୭ଙ୍କୁ ନୋଟିସ ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ଚିହ୍ନଟ କରାଯାଉଛି। କ୍ରମାନ୍ବୟରେ ସେମାନଙ୍କୁ ମଧ୍ୟ ନୋଟିସ୍‌ ଦିଆଯିବ।

ଏହା ପରେ ମଧ୍ୟ ସେମାନେ ଯଦି ନିଜର ଇଟିପି ସ୍ଥାପନ ନ କରିବେ ସେମାନଙ୍କୁ ବିଏମ୍‌ସି ଜରିମାନା କରିବ। ଏଥିପାଇଁ ଜରିମାନା ଅର୍ଥ ୫୦ ହଜାର ଟଙ୍କା ରଖାଯାଇଛି। ଏଭଳି ଘଟଣାର ତନାଘନା ହେବା ବେଳେ ଆଉ ଏକ ବିଚିତ୍ର ତଥ୍ୟ ପଦାକୁ ଆସିଥିଲା। ବିଭିନ୍ନ ଔଷଧ ଦୋକାନୀ ଏକ୍ସପାରି ଔଷଧକୁ ଦୟା ୱେଷ୍ଟ କେନାଲ ଓ ନଳାରେ ଫିଙ୍ଗି ଦେଉଛନ୍ତି। ଏ ସବୁକୁ ଯୋଗାଉଥିବା ହୋଲ୍‌ସେଲର ନେଇ ପରିଚାଳନା କରିବା କଥା। ଏଭଳି ହେଉନଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଡିଏମ୍‌ଓଙ୍କୁ ଅବଗତ କରାଯାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବିଏମ୍‌ସି ଜରିମାନା ଆଦାୟ କରିବ। ଏଥିପାଇଁ ୫୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି। 

ସେହିଭଳି ଶହ ଶହ ଗ୍ୟାରେଜ୍‌ ସୋକ୍‌ପିଟ୍‌ କରିନାହାନ୍ତି। ଅଧିକାଂଶ ସରକାରୀ ଜାଗାରେ ଥିବାରୁ ଏହି ସୋକ୍‌ପିଟ୍‌ର ସୁଯୋଗ ମଧ୍ୟ ନାହିଁ। ଏଣୁ ଏହି ଗାଡ଼ିଧୁଆ ମୋବିଲ୍‌ ମିଶା ପାଣି ସିଧାସଳଖ ନଳାରେ ମିଶୁଛି। କେତେକ ଗ୍ୟାରେଜ୍‌ ନଳା ଉପରେ ତିଆରି କରିଛନ୍ତି। ପାଣି ସିଧା ନଳାରେ ପଡ଼ୁଛି। ଆଗକୁ ଏଭଳି ପାଣି ନଳାକୁ ଯିବାକୁ ଦିଆଯିବ ନାହିଁ। ବିଏମ୍‌ସି ଏଭଳି ଗ୍ୟାରେଜ୍‌କୁ ଚିହ୍ନଟ କରି ଜରିମାନା କରିବ। ଦୁଇ ଚକିଆ ଯାନ ଧୋଉଥିବା ଗ୍ୟାରେଜ୍‌କୁ ୫ହଜାର ଓ ୪ଚକିଆ ଯାନ ଧୋଉଥିବା ଗ୍ୟାରେଜ୍‌କୁ ୧୦ହଜାର ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି। ୩ଶହରୁ ଊର୍ଦ୍ଧ୍ବ ଗ୍ୟାରେଜ୍‌ ରହିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୮୦ ଗ୍ୟାରେଜ୍‌ ମାଲିକଙ୍କୁ ନୋଟିସ୍‌ ହୋଇଛି। ଏଥିରେ କେତେକ ବ୍ରାଣ୍ଡେଡ୍‌ ସଂସ୍ଥାର ଅଥରାଇଜ୍‌ଡ୍‌ ସର୍ଭିସ ‌ସେଣ୍ଟର ମଧ୍ୟ ରହିଛନ୍ତି। ଆଗକୁ ଅନ୍ୟ ସମସ୍ତଙ୍କୁ ‌ନୋଟିସ୍‌ ହେବ ବୋଲି ବିଏମ୍‌ସି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe