ନବରଙ୍ଗପୁର: ୨ ଜଣ ବିବାହିତା ମହିଳାଙ୍କୁ ନିର୍ଯାତନା ଦେଇ ପୃଥକ ପୃଥକ ହତ୍ୟା ମାମଲାରେ ୨ ଜଣ ସ୍ବାମୀଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଓ ଦୌରା ଜଜ୍। ଜଣେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଅନ୍ୟ ଜଣେ ସ୍ବାମୀଙ୍କୁ ୮ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ନବରଙ୍ଗପୁର କୋର୍ଟର ଜିଲ୍ଲା ଓ ଦୌରା ଜଜ୍ ସୁବ୍ରତ ମହାନ୍ତି।
ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା କୋଡିଗାଁ ଗ୍ରାମର ସନ୍ତୋଷ କୁମାର ପ୍ରଧାନଙ୍କ ଭଉଣୀ ଅନିତା ପ୍ରଧାନ ୨୦୧୧ ମସିହାରେ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଗୁମିଧରା ଗ୍ରାମର ଗୋବିନ୍ଦ ନାୟକଙ୍କୁ ବିବାହ କରିଥିଲେ। ସନ୍ତୋଷ ପ୍ରଧାନ କରିଥିବା ଅଭିଯୋଗ ଅନୁଯାଇ ତାଙ୍କ ଭଉଣୀ ଅନିତାଙ୍କୁ ଗୋବିନ୍ଦ ଓ ତାଙ୍କ ପରିବାର ବର୍ଗ ବାରମ୍ବାର ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। ଥାନା ଓ ଭଦ୍ରଲୋକଙ୍କ ଉପସ୍ଥିତିରେ ବାରମ୍ବାର ସମାଧାନ କରାଯାଉଥିଲା। ପରବର୍ତ୍ତୀ ସମୟରେ ଗୋବିନ୍ଦ ନାୟକ ସେମଲା ହାଇସ୍କୁଲରେ ଶିକ୍ଷକ ହୋଇଥିବାରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ସେମଲାରେ ରହୁଥିଲେ। ଗତ ୨୫-୦୯-୨୦୧୫ରେ ଅନିତାଙ୍କ ମୃତ୍ୟୁ ହୋଇଥିଲା। ଝୁଲନ୍ତା ଅବସ୍ଥାରେ ଅନିତାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ପ୍ରଥମେ ପାପଡାହାଣ୍ଡି ଥାନା ପକ୍ଷରୁ ଏକ ଆତ୍ମହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ପରେ ପରବର୍ତ୍ତୀ ସମୟରେ କେସ ନଂ ୧୫୧/୧୫ ରେ ଏକ ହତ୍ୟା ମାମଲା ପରିଣତ ହୋଇଥିଲା। ଥାନା ପକ୍ଷରୁ ଶିକ୍ଷକ ସ୍ବାମୀ ଗୋବିନ୍ଦ ନାୟକ, ଶ୍ବଶୁର କାଶିନାଥ ନାୟକ, ଶାଶୁ ଅନ୍ନପୂର୍ଣ୍ଣା ନାୟକ ଓ ଦେଢ଼ଶୁର ଲମ୍ବୋଦର ନାୟକଙ୍କ ନାମରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଏହି ମାମଲା ନବରଙ୍ଗପୁର କୋର୍ଟ ରେ ସିଟି କେସ ନଂ ୨୫୨/୧୬ ରେ ମାମଲା ବିଚାରାଧୀନ ରହିଥିଲା। ନବରଙ୍ଗପୁର କୋର୍ଟର ଜିଲ୍ଲା ଓ ଦୌରା ଜଜ୍ ସୁବ୍ରତ ମହାନ୍ତି ଏହି ମାମଲା ରେ ୩୩ ଜଣ ସାକ୍ଷ ପ୍ରମାଣକୁ ବିଚାର କରି ଅଭିଯୁକ୍ତ ଶିକ୍ଷକ ସ୍ବାମୀ ଗୋବିନ୍ଦ ନାୟକଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ୧ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି।
ସେହିଭଳି ଭାବେ କୋଷାଗୁମୁଡା ଥାନା ଅନ୍ତର୍ଗତ ବଜ୍ରଗଡ ଗ୍ରାମର ବିବାହିତା ମହିଳା ହିରାଦେଇ ଭତ୍ରା ସେହି ଗ୍ରାମର ସନସାଇ ରନ୍ଧାରୀଙ୍କୁ ବିବାହ କରିଥିଲେ। ହିରାଦେଇଙ୍କ ବାପା ବଳିରାମ ଭତ୍ରା କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କର କୌଣସି ପୁଅ ନଥିବାରୁ ସନସାଇ ଘର ଜ୍ବାଇଁ ଭାବେ ସ୍ତ୍ରୀ ଘରେ ରହୁଥିଲା। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସନସାଇ ରନ୍ଧାରୀ ଗତ ୨୫-୧-୨୦୧୭ରେ ଏକ ଲୁହା ଛଡରେ ନିଜ ସ୍ତ୍ରୀ ହିରାଦେଇ ଭତ୍ରାଙ୍କୁ ମାଡ ମାରିଥିଲା। ହିରାଦେଇଙ୍କୁ ଗୁରୁତର ଅବସ୍ଥାରେ କୋଷାଗୁମୁଡା ଡାକ୍ତରଖାନା ପରବର୍ତ୍ତୀ ସମୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କୋରାପୁଟ ବଡ ମେଡିକାଲ ନେବା ରାସ୍ତାରେ ମୃତ୍ୟୁ ବରଣ କରିଥିଲେ। ଏ ନେଇ ମୃତକ ମହିଳା ହିରାଦେଇଙ୍କ ବାପା ବଳିରାମ ଭତରା କୋଷାଗୁମୁଡା ଥାନାରେ ଏତଲା ଦେଇଥିଲେ। କୋଷାଗୁମୁଡା ଥାନାରେ କେସ ନଂ ୧୭୦/୧୭ ରେ ମାମଲା ରୁଜୁ କରି ସନସାଇ ରନ୍ଧାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲା ନବରଙ୍ଗପୁର ଜିଲ୍ଲା ଓ ସେସନସ୍ କୋର୍ଟ ରେ ସିଟି କେସ ନଂ ୨୪/୧୮ ରେ ମାମଲା ବିଚାରଧିନ ରହିଥିଲେ। ଜିଲ୍ଲା ଓ ସେସନସ୍ ଜଜ୍ ସୁବ୍ରତ ମହାନ୍ତି ୨୦ ଜଣ ସାକ୍ଷ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ସ୍ବାମୀ ସନସାଇ ରନ୍ଧାରୀଙ୍କୁ ୮ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଉଭୟ ହତ୍ୟା ମାମଲା କୁ ସରକାରୀ ପବ୍ଲିକ ପ୍ରସିକ୍ୟୁଟର ମନୋଜ କୁମାର ଏକ୍କା ପରିଚାଳନା କରୁଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us