14 naxals killed in encounter today Photograph: (sambad.in)
ବିଶ୍ରା: ଝାଡ଼ଖଣ୍ଡରେ ନକ୍ସଲ ପ୍ରଭାବ କମିବାକୁ ନେଇ ଏକ ବଡ଼ ପରିବର୍ତ୍ତନ ସାମ୍ନାକୁ ଆସିଛି। ୨୦୧୬ ମସିହାରେ ଝାଡ଼ଖଣ୍ଡ ରାଜ୍ୟର ମୋଟ ୨୨ଟି ଜିଲ୍ଲା ନକ୍ସଲପ୍ରଭାବିତ ଥିଲା। ୨୦୧୮ରେ ସେହିସଂଖ୍ୟା ୧୯କୁ, ୨୦୨୧ରେ ୧୬ ଏବଂ ୨୦୨୪ରେ ୧୧କୁ ଖସିଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୦୨୬ ଫେବ୍ରୁଆରି ୯ରେ ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁସାରେ ନକ୍ସଲ ପ୍ରଭାବିତ ଜିଲ୍ଲାମାନଙ୍କର ପୁନଃ ଶ୍ରେଣୀକରଣ କରାଯାଇଛି।
ଏବେ ଦେଶରେ କେବଳ ଛତିଶଗଡ଼ର ବିଜାପୁର, ନାରାୟଣପୁର ଓ ସୁକମା ଜିଲ୍ଲା ‘ଅତି ନକ୍ସଲ ପ୍ରଭାବିତ’ ଶ୍ରେଣୀରେ ରହିଛନ୍ତି। ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଏବେ ‘ଅତି ନକ୍ସଲ ପ୍ରଭାବିତ’ ତାଲିକାରୁ ବାହାରିଛି। ଏହାକୁ ବର୍ତ୍ତମାନ ‘ଡିଷ୍ଟ୍ରିକ୍ଟ ଅଫ୍ କନ୍ସର୍ନ’(ପ୍ରଭାବିତ ଜିଲ୍ଲା) ଭାବେ ଶ୍ରେଣୀଭୁକ୍ତ କରାଯାଇଛି। ପୂର୍ବରୁ ଏହା ପାଞ୍ଚଟି ରାଜ୍ୟର ୧୨ଟି ଅତି ପ୍ରଭାବିତ ଜିଲ୍ଲା ମଧ୍ୟରେ ଆସୁଥିଲା। କେନ୍ଦ୍ର ସରକାରଙ୍କ ଦ୍ଵାରା ଜାରି ନୂଆତାଲିକାରେ ପଶ୍ଚିମ ସିଂହଭୂମ ଜିଲ୍ଲା ଅତି ନକ୍ସଲ ପ୍ରଭାବିତ ତାଲିକାରୁ ବାହାରିବା ପରେ ସରଣ୍ଡା ଜଙ୍ଗଲ ଏବେ ମାଓମୁକ୍ତ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ଯେ, ପଶ୍ଚିମ ସିଂହଭୂମରେ ପୂର୍ବରୁ ୩୨ଟି ଥାନା ଓ ଫାଣ୍ଡି ନକ୍ସଲ ପ୍ରଭାବିତ ଥିଲା। ବର୍ତ୍ତମାନ ଏଥିରେ ଉଲ୍ଲେଖନୀୟ ସୁଧାର ଦେଖାଯାଇଛି। ବର୍ତ୍ତମାନ ଛୋଟାନାଗରା ଓ ଜରାଇକେଲା ଥାନାର କିଛି ଅଞ୍ଚଳ ସାମାନ୍ୟ ମାଓ ପ୍ରଭାବିତ ରହିଛି। ତେବେ, ସୂତ୍ର ଅନୁଯାୟୀ ସରଣ୍ଡାରେ ଏବେ ପ୍ରାୟ ୫୦ ଜଣ ନକ୍ସଲ ସକ୍ରିୟ ଅଛନ୍ତି। ସେଥିରେ ୧ କୋଟି ଟଙ୍କାର ପୁରସ୍କାର ଥିବା ପଲିଟିବ୍ୟୁରୋ ସଦସ୍ୟ ମିସିର ବେସରା ଓ କେନ୍ଦ୍ରୀୟ କମିଟି ସଦସ୍ୟ ଅସୀମ ମଣ୍ଡଳଙ୍କ ନାମ ଉଲ୍ଲେଖନୀୟ।
ପଶ୍ଚିମ ସିଂହଭୂମ ପୁଲିସ ଅଧୀକ୍ଷକ ଅମିତ ରେଣୁ କହିଛନ୍ତି ଯେ, ‘ସଂଯୁକ୍ତ ଅଭିଯାନ, ସୁରକ୍ଷାବଳର କଠୋର କାର୍ଯ୍ୟାନୁଷ୍ଠାନ ଓ ବିକାଶ ଯୋଜନାର ବିସ୍ତାର ଫଳରେ ଏହି ପରିବର୍ତ୍ତନ ସମ୍ଭବ ହୋଇପାରିଛି। ଶୀଘ୍ର ଅବଶିଷ୍ଟ ପ୍ରଭାବିତ ଅଞ୍ଚଳମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରାଯିବ। ଏହି ପରିବର୍ତ୍ତନ ରାଜ୍ୟରେ ଶାନ୍ତି, ସୁରକ୍ଷା ଓ ବିକାଶ ଦିଗରେ ଏକ ସକାରାତ୍ମକ ପଦକ୍ଷେପ’ ବୋଲି ଶ୍ରୀ ରେଣୁ କହିଛନ୍ତି।
Follow Us