ମୁମ୍ବାଇ: ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାୟୁତି ସରକାରରେ ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୁନେତ୍ରାଙ୍କ ହାତରେ କ୍ଷମତା ଚାବିକାଠି ରହିବା ପରେ ଦୁଇ ଏନସିପି ମଧ୍ୟରେ କ୍ଷମତା ହାତେଇବାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ସୁନେତ୍ରା ଏତେ ଶୀଘ୍ର ଶପଥ ନେଇଥିବାରୁ କାକା ଶରଦ ପାୱାରଙ୍କ ଗୋଷ୍ଠୀ ସହ ଅଜିତ ପାୱାର ଗୋଷ୍ଠୀର ମିଳନ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶରଦ ପାୱାର କହିଥିଲେ, ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ବିଚାର ବିମର୍ଷ ଜାରି ରହିଛି। ତେବେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ନେତାମାନେ ଏପରି କୌଣସି ପ୍ରତିଶ୍ରୁତି ଅଜିତ ଦେଇଥିବା କଥାକୁ ଅସ୍ୱୀକାର କରିଛନ୍ତି। ଫଳରେ ଦୁଇ ଏନସିପି ଗୋଷ୍ଠୀ ମଧ୍ୟରେ ଟଣାଓଟରା ଜାରି ରହିଛି। ଏନ୍ସିପିର କିଛି ନେତାଙ୍କ ଅନୁସାରେ, ଅଜିତଙ୍କ ଅନ୍ତିମ ସଂସ୍କାରର ମାତ୍ର କିଛି ଘଣ୍ଟା ପରେ ଦଳର ଡୋର କାହା ହାତରେ ରହିବ ସେନେଇ ଛକାପଞ୍ଛା ଆରମ୍ଭ ହୋଇଥିଲା। ଅଜିତଙ୍କ ନିକଟତର ସହଯୋଗୀ ଥିବା ଦଳର ବରିଷ୍ଠ ନେତାମାନେ ଦଳର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ, ରାଜ୍ୟ ସଭାପତି ସୁନୀଲ ତଟକାରେ ଓ ଧନଞ୍ଜୟ ମୁଣ୍ଡେ ତାଙ୍କ ଉତ୍ତରାଧିକାରୀ ନିର୍ଣ୍ଣୟ କରିବା ପାଇଁ ଏକ ବୈଠକ କରିଥିଲେ। ତିନି ନେତା ସତର୍କ ଥିଲେ ଯେ ,୨୦୨୩ ମସିହାରେ ଅଜିତ ଦଳକୁ ବିଭାଜିତ କରିବା ସମୟରେ ଦଳର ସଂଖ୍ୟାଗରିଷ୍ଠତା ଉପରେ ନିୟନ୍ତ୍ରଣ ହରାଇଥିବା ବରିଷ୍ଠ ପାୱାର ଏବେ ଏହାକୁ ପୁଣି ଥରେ ହାତେଇବାକୁ ଚେଷ୍ଟା କରିବେ।
ଜୟନ୍ତ ପାଟିଲ ଓ ଶଶିକାନ୍ତ ସିନ୍ଦେଙ୍କ ଭଳି ବରିଷ୍ଠ ଏନ୍ସିପି ଶରଦ ପାୱାର ଗୋଷ୍ଠୀର ନେତାମାନେ ସାର୍ବଜନୀନ ବିବୃତି ଦେବା ଆରମ୍ଭ କରିଥିଲେ ଯେ, ଅଜିତ ଫେବ୍ରୁଆରିରେ ମିଶ୍ରଣ ଘୋଷଣା କରିବାକୁ ରାଜି ହୋଇଥିଲେ। ଏହା ତାଙ୍କର ଇଚ୍ଛାଥିଲା ଯେ, ଦୁଇ ଗୋଷ୍ଠୀ ଏକାଠି ହୁଅନ୍ତୁ। ନେତାମାନେ ସତର୍କ ଥିଲେ ଯେ ନେତୃତ୍ୱ ପ୍ରସଙ୍ଗରେ ଶରଦ ପାୱାର ଅଜିତଙ୍କ ବିଧାୟକମାନଙ୍କୁ ଦଳ ବିରୋଧୀ କରିବାକୁ ଉଦ୍ୟମ କରିବେ। ପାୱାର ପରିବାରର ସମସ୍ତ ବରିଷ୍ଠ ସଦସ୍ୟ ଏକାଠି ବସି ଦୁଇ ଦଳର ମିଶ୍ରଣ ପ୍ରସଙ୍ଗ ସମେତ ଆଗକୁ ବଢ଼ିବା ପାଇଁ ଆଲୋଚନା କରିବେ ବୋଲି କୁହାଯାଉଥିଲା। ତେବେ ଶରଦ ପାୱାର ଓ ସୁନେତ୍ରାଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇ ନଥିଲା। ଏନସିପିର ରାଜନୈତିକ ରଣନୀତିଜ୍ଞ ନରେଶ ଆରୋରା ଓ ପାର୍ଥ ସୁନେତ୍ରାଙ୍କ ସହ କଥା ହୋଇ କହିଥିଲେ ଯେ, ତାଙ୍କୁ ଅଜିତଙ୍କ ଉତ୍ତରାଧିକାରୀ ଭାବରେ ତୁରନ୍ତ ଦାୟିତ୍ୱ ଗ୍ରହଣ କରିବାକୁ ପଡିବ। ଏହାପରେ ଏନସିପିର ବରିଷ୍ଠ ନେତାମାନେ ତାଙ୍କୁ ଭେଟି ଶପଥ ଗ୍ରହଣ ସମ୍ପର୍କରେ ଆନୁଷ୍ଠାନିକ ନିଷ୍ପତ୍ତି ନେଇଥିଲେ। ଅଧିକାଂଶ ବରିଷ୍ଠ ଏନ୍ସିପି ନେତା କହିଥିଲେ ଯେ, ଶରଦ ପାୱାରଙ୍କ ଦ୍ୱାରା ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରୟାସ ଶୀର୍ଷ ସ୍ତରୀୟ ନେତାଙ୍କ ଦ୍ୱାରା ବିଫଳ ହୋଇଥିଲା। ସେ ଖୁବ୍ ଶୀଘ୍ର ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବାର ସମ୍ଭାବନା ରହିଛି।
ଆହୁରି ପଢନ୍ତୁ: Union Budget 2026: ଯୁବପିଢ଼ିଙ୍କ ପାଇଁ ଅସରନ୍ତି ସୁଯୋଗ, କୃଷକଙ୍କ ପାଇଁ ସୁରକ୍ଷା କବଚ
ଉପମୁଖ୍ୟମନ୍ତ୍ରୀ ହେବା ଅର୍ଥ ହେଉଛି ସୁନେତ୍ରା ଦଳର ଦାୟିତ୍ୱରେ ଅଛନ୍ତି। ଏବେ, ଯେକୌଣସି ମିଶ୍ରଣ ପ୍ରସ୍ତାବ ନେଇ ସୁନେତ୍ରାଙ୍କ ସହିତ ଆଲୋଚନା କରିବାକୁ ପଡିବ। ତେବେ କିଛି ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ଶରଦ ପାୱାର ସୁନେତ୍ରାଙ୍କ ସହ ଦଳର ମିଶ୍ରଣ ସମ୍ପର୍କରେ ଆଲୋଚନା କରିବାକୁ ବସିବେ ନାହିଁ। ଏହାର ଅର୍ଥ ହେଉଛି ମିଶ୍ରଣ ସମ୍ଭାବନା ଏବେ ପଛକୁ ଠେଲିଦିଆଯାଇଛି। ଏହା ସହିତ ଏନସିପିର ବରିଷ୍ଠ ନେତା ପଟେଲ, ତଟକରେ, ମୁଣ୍ଡେ ଓ ଛଗନ ଭୁଜବଳ, ଯେଉଁମାନେ ୨୦୨୩ ମସିହାରେ ଦଳ ବିଭାଜିତ ହେବା ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ସେମାନେ ମିଶ୍ରଣ ଯୋଜନାରେ ଆଗ୍ରହୀ ନାହାନ୍ତି। ବରିଷ୍ଠ ନେତାମାନେ ସୁନେତ୍ରା ଓ ପାର୍ଥଙ୍କୁ ଏହା ମଧ୍ୟ ଦର୍ଶାଇଥିଲେ ଯେ, ଯଦି ଦୁଇଟି ଦଳର ମିଶ୍ରଣ ହୁଏ ତେବେ ସେମାନେ ନିୟନ୍ତ୍ରଣ ବଜାୟ ରଖିପାରିବେ ନାହିଁ। ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ପରେ, ବିଧାୟକମାନେ ତାଙ୍କ ବିରୋଧରେ ଯିବାର ଆଶଙ୍କା ମଧ୍ୟ ରହିବ ନାହିଁ। କାରଣ ବିଧାୟକମାନେ କ୍ଷମତାରେ ରହିବାକୁ ଚାହାନ୍ତି ବୋଲି ନେତା ସୂଚିତ କରିଥିଲେ।।
ଆହୁରି ପଢନ୍ତୁ: India stand about Pakistan Allegation: ବଲୁଚିସ୍ତାନ ଆକ୍ରମଣ ପାଇଁ ଭାରତ ଦାୟୀ: ପାକିସ୍ତାନର ଅଭିଯୋଗ ଭିତ୍ତିହୀନ କହିଲା ଭାରତ
ଅଜିତଙ୍କ ପରେ ଏନସିପି ମୁଖ୍ୟ ନିଯୁକ୍ତ ହେବା ଖବରକୁ ପ୍ରଫୁଲ ପଟେଲଙ୍କ ଖଣ୍ଡନ
ଅଜିତ ପାୱାରଙ୍କ ହଠାତ୍ ଦେହାନ୍ତ ପରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍ସିପି) ନେତୃତ୍ୱକୁ ନେଇ ଅନିଶ୍ଚିତତାର ସମ୍ମୁଖୀନ ହୋଇଛି। ଭବିଷ୍ୟତ ନେତୃତ୍ୱକୁ ନେଇ ବୃଦ୍ଧି ପାଉଥିବା କଳ୍ପନାଜଳ୍ପନା ମଧ୍ୟରେ, କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ ତାଙ୍କୁ ଦଳର ସଭାପତି ପଦରେ ନିଯୁକ୍ତି ଦିଆଯିବା ଖବରକୁ ଅସ୍ୱୀକାର କରିଛନ୍ତି। ପଟେଲ କହିଛନ୍ତି, ଏନ୍ସିପିର ଜାତୀୟ ଅଧ୍ୟକ୍ଷ ଭାବରେ ତାଙ୍କ ନିଯୁକ୍ତି ବିଷୟରେ ଗଣମାଧ୍ୟମ ରିପୋର୍ଟ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏନ୍ସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ମୋର ନିଯୁକ୍ତି ସମ୍ପର୍କରେ ଗଣମାଧ୍ୟମରେ ପ୍ରସାରିତ ହେଉଥିବା କିଛି ରିପୋର୍ଟ ମୁଁ ଦେଖିଛି। ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଏଥିରେ କୌଣସି ସତ୍ୟତା ନାହିଁ। ଆମ ଦଳ ଏକ ଗଣତାନ୍ତ୍ରିକ ଅନୁଷ୍ଠାନ। ଏଭଳି ନିଷ୍ପତ୍ତି କେବଳ ଆମର ବରିଷ୍ଠ ନେତୃତ୍ୱ ଓ ବିଧାୟକମାନଙ୍କ ସହିତ ପରାମର୍ଶ କରିବା ପରେ ସମସ୍ତ ଦଳୀୟ ସଦସ୍ୟଙ୍କ ଭାବନା ଓ ସାମୂହିକ ଇଚ୍ଛାକୁ ସମ୍ମାନ ଜଣାଇ ନିଆଯିବ। ଏକ ଜାତୀୟ ଦଳ ହୋଇଥିବାରୁ, ଆମେ ଏହି ବିଷୟଗୁଡ଼ିକରେ ପ୍ରତିଷ୍ଠିତ ପ୍ରକ୍ରିୟା ଅନୁସରଣ କରିବୁ। ଅଜିତ ପାୱାରଙ୍କ ମୃତ୍ୟୁ ଦୁଇ ଏନ୍ସିପି ଗୋଷ୍ଠୀ ମଧ୍ୟରେ ଚାଲିଥିବା ଆଲୋଚନାକୁ ମଧ୍ୟ ପ୍ରଭାବିତ କରିଛି। ମିଶ୍ରଣ ଆଲୋଚନା ଏକ ଅଗ୍ରଗତି ପର୍ଯ୍ୟାୟରେ ପହଞ୍ଚିଥିଲା। ତେବେ ଏବେ ଏହା ପଛଘୁଞ୍ଚା ଦେଇଛି। ପଟେଲ ଓ ସୁନୀଲ ତତକରେଙ୍କ ଭଳି ବରିଷ୍ଠ ନେତାମାନେ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି। ନରହରି ଜିରୱାଲଙ୍କ ଭଳି ନେତାମାନେ ଦଳ ଭିତରେ ଏକତା ପାଇଁ ଉଦ୍ୟମ କରୁଛନ୍ତି।
Follow Us