ଝରିଗାଁ ବ୍ଲକରେ ୧୦ ଦିନ ହେବ ବର୍ଷା ଉଭାନ, ତତଲା ଖରାରେ ଜମି ଫାଟି ଆଁ

ଚଳିତ ବର୍ଷ ଝରିଗାଁ ବ୍ଳକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଧାନ ଚାଷୀମାନଙ୍କୁ ଧାନ ଚାଷ ଆରମ୍ଭରୁ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବାବେଳେ ଧାନ ଜମିରେ ଜଳସେଚନ ପାଇଁ କୌଣସି ସୁବିଧା ନାହିଁ।

no rain

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବାବେଳେ ଧାନ ଜମିରେ ଜଳସେଚନ ପାଇଁ କୌଣସି ସୁବିଧା ନାହିଁ। ଚଳିତ ବର୍ଷ ଝରିଗାଁ ବ୍ଳକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଧାନ ଚାଷୀମାନଙ୍କୁ ଧାନ ଚାଷ ଆରମ୍ଭରୁ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡିଛି। ଚଳିତ ବର୍ଷ ଝରିଗାଁ ବ୍ଳକରେ ଆବଶ୍ୟକ ଅନୁଯାୟୀ ବର୍ଷା ହୋଇ ନଥିବା ଯୋଗୁଁ ଜୁନ ଜୁଲାଇ ମାସରେ ସ୍ଥାନୀୟ ଚାଷୀମାନେ ତଳି ଉପାଡ଼ି ନପାରି ରୁଆ ଏବଂ ବେଉଷାଣି କାମ ସଠିକ ସମୟରେ କରିପାରି ନଥିଲେ।

ଝରିଗାଁ ବ୍ଳକରେ ଯେଉଁ ଚାଷୀମାନେ ଧାନ ରୁଆ କରିବା ପାଇଁ ଧାନ ତଳି ପକେଇଥିଲେ ସେମାନଙ୍କ ମଧ୍ୟରୁ କିଛି ଚାଷୀ ତଳି ପାକଳ ହେବା ପରେ ଧାନ ରୁଆ କରିଥିଲେ। ସେହିପରି ଚଳିତ ବର୍ଷ ଅଗଷ୍ଟ ମାସ ଏବଂ ସେପ୍ଟେମ୍ବର ମାସର ଆଜି ପର୍ଯ୍ୟନ୍ତ ଗତ ବର୍ଷ ତୁଳନାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବା ଜଣାପଡିଛି। ଗତ ୧୦ ଦିନ ହେଲା ଝରିଗାଁ ବ୍ଳକରେ ବର୍ଷ ଉଭାନ ହୋଇ ଯାଇଛି।ଫଳରେ ଢେଫ ଧାନ ଜମି ଗୁଡିକ ପାଣି ଅଭାବ ଯୋଗୁଁ ଫାଟି ଆଁ ହୋଇ ଗଲାଣି।

 ଯଦି ୪ ରୁ ୫ ଦିନ ମଧ୍ୟରେ ଝରିଗାଁ ବ୍ଲକରେ ବର୍ଷା ନହୁଏ ତେବେ ଧାନ ଅମଳ କମିଯିବା ନେଇ ଚାଷୀ ଆଶଙ୍କା କରୁଛନ୍ତି। ବିଶେଷ କରି ବ୍ଲକର ପାଳିଆ ଏବଂ ଫୁପୁଗାଁ ଭଳି ବିଭିନ୍ନ ପଞ୍ଚାୟତରେ ଥିବା ଢେଫ ଜମି ଗୁଡି଼କ ବର୍ଷା ଅଭାବ ଯୋଗୁଁ ଫାଟି ଆଁ କରିଥିବା ଜଣାପଡିଛି। ଆଉ କିଛି ଦିନ ବର୍ଷା ନହେଲେ ଖାଲ ଧାନ ଜମିରେ ହୋଇ ଥିବା ଧାନ ଚାଷ ଉପରେ ମଧ୍ୟ ପ୍ରବାହ ପଡିବ ବୋଲି ଆଶଙ୍କା କରୁଛନ୍ତି।

ଝରିଗାଁ ବ୍ଳକରେ ୮୩୬୧ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ୧୭୬୨ ହେକ୍ଟର ଜମିରେ ଧାନ ବୁଣା ହେଉଥିବା ବେଳେ ୬୫୯୯ ହେକ୍ଟର ଜମିରେ ଧାନ ରୁଆ ହୋଇଛି। ସେହିପରି ୪୯୦୦ ହେକ୍ଟର ଖାଲ ଜମିରେ ଧାନ ଚାଷ ହୋଇ ଥିବା ବେଳେ ୩୪୬୧ ହେକ୍ଟର ଢେଫ ଜମିରେ ଧାନ ଚାଷ ହୋଇଥିବା ସୂଚନା ମିଳିଛି।

ଏନେଇ ଝରିଗାଁ ବ୍ଲକ କୃଷି ଅଧିକାରୀ ଗଜାନନ ସାହୁଙ୍କୁ ଯୋଗାଯୋଗ କରିବାରୁ ଗତ ମାସ ଏବଂ ଚଳିତ ମାସରେ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବା କହିବା ସହ ଆଗାମୀ ସପ୍ତାହ ମଧ୍ୟରେ ଝରିଗାଁ ବ୍ଲକରେ ବର୍ଷା ନହେଲେ ଧାନ ଅମଳ କମ ହେବାର ଆଶଙ୍କା ରହିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe