ଇଭିଏମ୍‌ ବିରୋଧରେ ବିରୋଧୀ ଦଳ ଏକଜୁଟ୍‌: ପୁଣି ସୁପ୍ରିମ୍‌ କୋର୍ଟ ଯିବାକୁ ପ୍ରସ୍ତୁତି

Advertisment
ଇଭିଏମ୍‌ ବିରୋଧରେ ବିରୋଧୀ ଦଳ ଏକଜୁଟ୍‌: ପୁଣି ସୁପ୍ରିମ୍‌ କୋର୍ଟ ଯିବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ: ଇଭିଏମ୍‌ ବିରୋଧରେ ଆଜି ବିରୋଧୀ ଦଳମାନେ ପୁଣି ଏକଜୁଟ୍‌ ହୋଇଛନ୍ତି। ସେମାନଙ୍କ ଦାବିକୁ ନିର୍ବାଚନ କମିସନ ସଂପୂର୍ଣ୍ଣ ଅଣଦେଖା କରିଥିବା ଅଭିଯୋଗ କରି ପୁଣି ଥରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ବିରୋଧୀ ଦଳମାନେ ପ୍ରସ୍ତୁତ ହେଉଛନ୍ତି। ଆଜି ଦିଲ୍ଲୀରେ ମିଳିତ ବିରୋଧୀ ଦଳର ଏକ ବୈଠକରେ ଇଭିଏମ୍‌ ଏବଂ ଭିଭିପିଏଟିଜନିତ ସମସ୍ୟା ନେଇ ଆଲୋଚନା ହୋଇଛି । ନିର୍ବାଚନ କମିସନ ବିରୋଧୀ ଦଳମାନଙ୍କ ଦାବି ଆଧାରରେ କୌଣସି ପଦକ୍ଷେପ ନେଉନଥିବାରୁ ବ୍ୟାଲଟ୍‌ ପେପର୍‌ରେ ନିର୍ବାଚନ କରାଇବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳଙ୍କ ଏଭଳି ଆଭିମୁଖ୍ୟକୁ ବିଜେପି କଡ଼ା ସମାଲୋଚନା କରିଛି। ସେମାନେ ପରାଜୟ ଭୟରେ କେବଳ ବିଭ୍ରାନ୍ତି ସୃଷ୍ଟି ପାଇଁ ଏଭଳି ନୀତି ଧରିଛନ୍ତି ବୋଲି ବିଜେପି କହିଛି । ବୈଠକ ପରେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ ଏବଂ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ ଆମେ ଇଭିଏମ୍‌ ପ୍ରସଙ୍ଗରେ ପୁଣି ସୁପ୍ରିମ୍‌ କୋର୍ଟ ଯିବୁ। ଗତକାଲି ନାଇଡ଼ୁ ଆନ୍ଧ୍ର ପ୍ରଦେଶରେ ଦେଖାଦେଇଥିବା ଇଭିଏମ୍‌ ସମସ୍ୟା ନେଇ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ତାଙ୍କ ଦାବି ପୂରଣ ନହେଲେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିଲେ। ବିଶ୍ବର କେବଳ କିଛି ହାତ ଗଣତି ରାଷ୍ଟ୍ର ଇଭିଏମ୍‌ ବ୍ୟବହାର କରୁଛନ୍ତି ଏବଂ ଏହା ଭରସାଯୋଗ୍ୟ ନୁହେଁ ବୋଲି ନାଇଡ଼ୁ କହିଛନ୍ତି। ‘ସମ୍ବିଧାନ ବଞ୍ଚାଅ’ ବ୍ୟାନର୍‌ରେ ଅନୁଷ୍ଠିତ ଏହି ଇଭିଏମ୍‌ ବିରୋଧୀ ସମ୍ମିଳନୀରେ କଂଗ୍ରେସ ଟିଡିପିର ଦାବିକୁ ପୂର୍ଣ୍ଣ ସମର୍ଥନ କରିବା ସହ ବ୍ୟାଲଟ୍‌ ପେପରରେ ନିର୍ବାଚନ ହିଁ ଶ୍ରେଷ୍ଠ ପନ୍ଥା ବୋଲି କହିଛି। ଅନ୍ୟପକ୍ଷରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିମ୍‌ରେ ଇଭିଏମ୍‌ ବିଶେଷଜ୍ଞ ଭାବେ ପରିଚିତ ହରିପ୍ରସାଦ ୨୦୧୦ରେ ଇଭିଏମ୍‌ ଚୋରି ଅଭିଯୋଗରେ ଗିରଫ ହୋଇଥିବାରୁ ଏଭଳି ବ୍ୟକ୍ତିଙ୍କୁ ନେଇ ଇଭିଏମ୍‌କୁ ବିରୋଧ କରିବା ହାସ୍ୟାସ୍ପଦ ବୋଲି ବିଜେପି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe