ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ରସିକିଆ ଅଲ୍ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଏବେ ମଡେଲ ମହିକା ଶର୍ମାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି। ହେଲେ ପୂର୍ବତନ ପତ୍ନୀ ନତାଶା ଷ୍ଟଙ୍କୋଭିକ ଓ ପୁଅ ଅଗସ୍ତ୍ୟାଙ୍କ ପ୍ରତି ଥିବା ନିଜ ସାମାଜିକ ଦାୟିତ୍ବକୁ ସମାନ୍ତରାଳ ଭାବେ ତୁଲାଇବାକୁ ଭୁଲୁନାହାନ୍ତି। ନତାଶାଙ୍କଠାରୁ ଅଲଗା ହୋଇ ଯାଇଥିଲେ ମଧ୍ୟ ଉଭୟ ମିଳିମିଶି ଅଗସ୍ତ୍ୟାର ଲାଳନ ପାଳନ କରୁଛନ୍ତି। ତାଙ୍କ ଉପରେ ପିତାମାତାଙ୍କ ଅଲଗା ହେବାର କାଣିଚାଏ ପ୍ରଭାବ ପଡ଼ିବାକୁ ଦେଉନାହାନ୍ତି। ଏହିକ୍ରମରେ ପାଣ୍ଡ୍ୟା ପୁଅ ଅଗସ୍ତ୍ୟାକୁ ଖୁସି କରିବାକୁ ଯାଇ ନିକଟରେ ନାତାଶା ଓ ତାଙ୍କୁ ୪ କୋଟି ଟଙ୍କା ମୂଲ୍ୟର ଲ୍ୟାଣ୍ଡ ରୋଭର୍ ଡିଫେଣ୍ଡର୍ ଏସ୍ୟୁଭି ଉପହାର ଦେଇଛନ୍ତି। ଏହି ବିଳାଶପୂର୍ଣ୍ଣ କାର୍ର ଡେଲିଭରି ନେଉଥିବାର ଫଟୋ ନତାଶା ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି।
ଏହି ଏସ୍ୟୁଭି କାର୍ଟି ପାଇ ଅଗସ୍ତ୍ୟା ମଧ୍ୟ ବହୁତ ଖୁସି ଖସି ଦେଖିବାକୁ ମିଳୁଛି। ଫଟୋଟିରେ ନାତାଶା କାର୍ ଡିଲରଙ୍କ ଜଣେ କର୍ମଚାରୀଙ୍କଠାରୁ ଏକ ବିଶେଷ ଉପହାର ଗ୍ରହଣ କରୁଥିବା ବେଳେ ଅଗସ୍ତ୍ୟା ଚାବି ନେଉଥିବାର ଦୃଶ୍ୟ ରହିଛି। ଏହି ଉତ୍ସାହବର୍ଦ୍ଧକ ମୁହୂର୍ତ୍ତର ଫଟୋ କାର୍ ଡିଲର୍ ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ବି ପ୍ରକାଶ କରିଛନ୍ତି। ଲେଖିଛନ୍ତି, ଡିିଫେଣ୍ଡର୍ କିଣିବା ଲାଗି ପାଣ୍ଡ୍ୟା ପୁଣି ଥରେ ନବନୀତ ମୋଟର୍ସକୁ ବାଛିଛନ୍ତି।
ବିଶ୍ବାସର ପାହାଡ଼ ଉପରେ ଏହି ସଂପର୍କ ଗଢ଼ି ଉଠିଛି। ପାରଦର୍ଶିତାରେ ପ୍ରେରିତ ନିଷ୍ପତ୍ତି ଅନୁଯାୟୀ ଗାଡ଼ିଟିକୁ ମୁମ୍ବାଇରେ ହସ୍ତାନ୍ତର କରାଯାଇଛି। ଅଗସ୍ତ୍ୟା ପାଣ୍ଡ୍ୟା ଓ ଶ୍ରୀମତି ଷ୍ଟଙ୍କୋଭିକଙ୍କୁ ଚାବି ଦିଆଯାଇଛି। ଆଗରେ ରହି ନେତୃତ୍ବ ନେଉଥିବା ବ୍ୟକ୍ତିଙ୍କ ପାଇଁ ଏହି ଏସ୍ୟୁଭି ଖାସ୍ ଭାବେ ନିର୍ମାଣ କରାଯାଇଛି।
Follow Us