ବିଶ୍ରା: ପଶ୍ଚିମ ସିଂହଭୂମ ଜିଲ୍ଲାର ପୁଲିସ ଅଧୀକ୍ଷକ ଅମିତ ରେଣୁ ସରଣ୍ଡା ଜଙ୍ଗଲରେ ସକ୍ରିୟ ଅବଶିଷ୍ଟ ମାଓବାଦୀଙ୍କୁ କଠୋର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ନକ୍ସଲବାଦ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେଣୁ ସରଣ୍ଡା ଜଙ୍ଗଲରେ ଲୁଚି ରହିଥିବା ଅଳ୍ପକିଛି ମାଓବାଦୀଙ୍କ ପାଇଁ ଅସ୍ତ୍ରଛାଡ଼ି ମୁଖ୍ୟଧାରାକୁ ଫେରିଆସିବା ଓ ସରକାରଙ୍କ ଆତ୍ମସମର୍ପଣ ନୀତିର ଲାଭ ଉଠାଇବା ଉଚିତ ପଦକ୍ଷେପ ହେବ। ପ୍ରାୟ ୨୬ ଦିନ ପୂର୍ବରୁ ସରଣ୍ଡା ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଅନଲଦା’ ଅର୍ଥାତ୍‌ ରାମ ମାଝିଙ୍କ ସହିତ ୧୭ ଜଣ ନକ୍ସଲ ନିହତହେବା ପରେ ସରଣ୍ଡା ଜଙ୍ଗଲ ଏକପ୍ରକାର ଶାନ୍ତ ହୋଇପଡ଼ିଛି। ତଥାପି ଏବେ ମଧ୍ୟ ୫୦ ପାଖାପାଖି ମାଓବାଦୀ ଜଙ୍ଗଲରେ ଲୁଚିଥିବା ସୂଚନା ରହିଛି। ଏସ୍‌ପି କହିଛନ୍ତି ଯେ, ସୁରକ୍ଷାବାହିନୀ ସରଣ୍ଡା ଜଙ୍ଗଲର ପ୍ରତ୍ୟେକ କୋଣକୁ ଘେରିରଖିଛନ୍ତି। 

Advertisment

ଆହୁରି ପଢନ୍ତୁ: Man Murder for Goat: ଛେଳି ଗଛ ଖାଇ ଯିବାରୁ ପିଟିପିଟି ମାରିଦେଲେ: ପଞ୍ଜରା ହାଡ଼ ଭାଙ୍ଗି ଯିବାରୁ ରକ୍ତସ୍ରାବ ହୋଇଥିଲା

ନକ୍ସଲଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ଚିହ୍ନଟ କରି ନଷ୍ଟ କରାଯାଉଛି। ସରଣ୍ଡା ଜଙ୍ଗଲରେ ୧ କୋଟି ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ କେନ୍ଦ୍ରୀୟ କମିଟି ସଦସ୍ୟ ମିସିର ବେସରା ଓ ଅସୀମ ମଣ୍ଡଳଙ୍କ ସନ୍ଧାନ ଏବେ ଜୋରଦାର କରାଯାଇଛି। ସୁରକ୍ଷାବାହିନୀଙ୍କ ମଜଭୁତ ଘେରାବନ୍ଦି କାରଣରୁ ଏହି ନକ୍ସଲମାନେ ଓଡ଼ିଶାକୁ ପଳାଇବା ଚେଷ୍ଟାରେ ଥିବା ଖବର ମିଳିଛି। କିନ୍ତୁ ବର୍ତ୍ତମାନ ସେମାନେ ସରଣ୍ଡାର ସୀମିତ ଅଞ୍ଚଳ ମଧ୍ୟରେ ସକ୍ରିୟ ଅଛନ୍ତି। ଏସ୍‌ପି ଆହୁରି କହିଛନ୍ତି ଯେ, ପୂର୍ବରୁ ଚାଲିଥିବା ଅଭିଯାନର ସଫଳ ପରିଣାମ ମିଳିଛି। ପୁରୁଣା କ୍ୟାଡରମାନେ ବୟସ୍କହୋଇ ନିଜ କ୍ଷମତା ହରାଇଛନ୍ତି। ଏବେ ଅସ୍ତ୍ରଛାଡ଼ି ସମାଜର ମୁଖ୍ୟଧାରାକୁ ଫେରିବା ହିଁ ମାଓବାଦୀଙ୍କ ପାଖରେ ଏକମାତ୍ର ବିକଳ୍ପ ରହିଛି ବୋଲି ଶ୍ରୀ ରେଣୁ ଚେତାବନୀ ଦେଇଛନ୍ତି।