ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୧୩ତମ ଅଧ୍ୟାୟରେ ଶିଶୁଙ୍କ ପୋଷଣ ଦେଶ ପାଇଁ ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି। ଦେଶରେ ପୋଷଣ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ବାସ୍ଥ୍ୟମେଳା, ସ୍ବାସ୍ଥ୍ୟ ସଚେତନତା ଶିବିର, ସେମିନାର ଏବଂ ୱେବିନାର ସମେତ ବିଭିନ୍ନ ପଦ୍ଧତି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ଏବଂ ଆଗାମୀ ‘ପୋଷଣ ମାସ ’ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଶିଶୁଙ୍କ ପୋଷଣକୁ ଦେଶ ପ୍ରାଥମିକତା ଦେଉଛି। ଶିଶୁଙ୍କ ପୋଷଣ ଉପରେ ବର୍ଷତମାମ ଧ୍ୟାନ ଦିଆଯାଉଥିବା ବେଳେ ଗୋଟିଏ ମାସ ମଧ୍ୟରେ ସମଗ୍ର ଦେଶ ଏହା ଉପରେ ବିଶେଷ ଗୁରୁତ୍ୱ ଦେବାପାଇଁ ପ୍ରସ୍ତୁତ ହେଉଛି। ସେଥିପାଇଁ ପ୍ରତିବର୍ଷ ସେପ୍ଟେମ୍ବର ପହିଲାରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଆମେ ‘ପୋଷଣ ମାସ’ ପାଳନ କରିଥାଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜନୀତିରେ ଯୁବଗୋଷ୍ଠୀଙ୍କ ସକ୍ରିୟ ଅଂଶଗ୍ରହଣ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୈତିକ ପରିବାରରୁ ଆସିନଥିବା ୧ ଲକ୍ଷ ଯୁବକ ରାଜନୈତିକ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ମୁଁ ଲାଲକିଲ୍ଲାରୁ ଅନୁରୋଧ କରିଥିଲି ଏବଂ ଏଥିପାଇଁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି। ଯେଉଁମାନେ ରାଜନୈତିକ ପୃଷ୍ଠଭୂମିରୁ ଆସିନାହାନ୍ତି ସେହି ଯୁବକମାନେ ରାଜନୈତିକ ବ୍ୟବସ୍ଥା ସହ ଯୋଡ଼ି ପାଇଁ ଆହ୍ବାନକୁ ବିପୁଳ ସମର୍ଥନ ମିଳିବା ଏକ ଶୁଭ ସଙ୍କେତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମଧ୍ୟପ୍ରଦେଶର ଝାବୁଆରେ ସଫେଇ କର୍ମଚାରୀମାନେ ‘ବର୍ଜ୍ୟରୁ ସମ୍ପତ୍ତି’ ବାର୍ତ୍ତାକୁ ବାସ୍ତବରେ ପରିଣତ କରିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଛନ୍ତି। ଝାବୁଆସ୍ଥିତ ଏକ ପାର୍କରେ ବର୍ଜ୍ୟବସ୍ତୁରୁ ଚମତ୍କାର କଳାକୃତି ପ୍ରସ୍ତୁତ କରିଛନ୍ତି। ଏହି କାମ ପାଇଁ ସେମାନେ ଆଖପାଖ ଅଞ୍ଚଳରୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ, ବ୍ୟବହୃତ ବୋତଲ, ଟାୟାର ଓ ପାଇପ୍ ସଂଗ୍ରହ କରିଥିଲେ। ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ବେଙ୍ଗାଲୁରୁସ୍ଥିତ ଷ୍ଟାର୍ଟଅପ୍ ‘ଗାଲାକ୍ସ ଆଇ’ର ପାଞ୍ଚ ଜଣ ପ୍ରତିଷ୍ଠାତା ସଦସ୍ୟଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଏହି ଷ୍ଟାର୍ଟଅପ୍ର ପ୍ରତିଷ୍ଠାତାମାନେ ଭାରତର ମହାକାଶ ବିଜ୍ଞାନର ବିକାଶ ଦିଗରେ ସହଯୋଗ କରୁଛନ୍ତି।
Follow Us