୧୦ମାସ ପରେ ମିଳିଲା ମାଣ୍ଡିଆ, କାମ କଲାନି ପିଏସଓ ମେସିନ

୧୦ମାସ ପରେ ପୁଣି ବିତରଣ ଆରମ୍ଭ ହୋଇଛି। ତାହା ପୁଣି ଅବ୍ୟବସ୍ଥାରେ। ମାଣ୍ଡିଆ ଷ୍ଟକ ଥିବା ବେଳେ ପିଏସଓ ମେସିନ୍ କାମ କରୁନି। ମେସିନ୍ କାମ କରୁଥିବା ବେଳେ ମାଣ୍ଡିଆ ସରିଯାଉଛି।

Mandia

କୋରାପୁଟ: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗତ ୧୦ମାସ ତଳେ ହିତାଧିକାରୀଙ୍କୁ ଦିଆଯାଇଥିଲା ମାଣ୍ଡିଆ। ୧୦ମାସ ପରେ ପୁଣି ବିତରଣ ଆରମ୍ଭ ହୋଇଛି। ତାହା ପୁଣି ଅବ୍ୟବସ୍ଥାରେ। ମାଣ୍ଡିଆ ଷ୍ଟକ ଥିବା ବେଳେ ପିଏସଓ ମେସିନ୍ କାମ କରୁନି। ମେସିନ୍ କାମ କରୁଥିବା ବେଳେ ମାଣ୍ଡିଆ ସରିଯାଉଛି।  ବହୁ ସମୟରେ ସରଭର ଡାଉନ ରହିବା ଫଳରେ ହିତାଧିକାରୀ ଓ ବିତରଣ କରୁଥିବା କର୍ମଚାରୀଙ୍କ ପାଇଁ ମୁଣ୍ଡବ୍ୟାଥା ପାଲଟୁଛି। ଦିନକରୁ ଦୁଇ ଦିନ ପର୍ଯ୍ୟନ୍ତ ହିତାଧିକାରୀମାନେ ବିତରଣ କେନ୍ଦ୍ରର ଚାରିପଟେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି।

କୋରାପୁଟ ଜିଲ୍ଲାରେ ମାଣ୍ଡିଆ ଉତ୍ପାଦନ ହେଉଥିଲେ ହେଁ ଏଠାକାର ମାଣ୍ଡିଆ ଏଠାରେ ବିତରଣ କରାଯାଉଛି କି ନାହିଁ ତାହା ସ୍ପଷ୍ଟ ନୁହେଁ। ଆଜି ଜିଲ୍ଲାର ସବୁ ବିତରଣ କେନ୍ଦ୍ରରେ ମାଣ୍ଡିଆ ବିତରଣ ଆରମ୍ଭ ହୋଇଥିଲା। ଏହି କ୍ରମରେ କୋରାପୁଟ ପୌରପାଳିକା ଓ ବ୍ଲକର ବିଭିନ୍ନ ବିତରଣ କେନ୍ଦ୍ରରେ ସକାଳ ସାଢ଼େ ୮ଟାରୁ ହିତାଧିକାରୀମାନେ ରାସନ କାର୍ଡ ଧରି ପହଚିଂ ଲାଇନ୍ ଲଗାଇଥିଲେ। ବିତରଣକେନ୍ଦ୍ର ଗୁଡିକ ବିଳମ୍ବରେ ୧୦ଟା ପରେ ଖୋଲିଥିଲା। ହିତାଧିକାରୀଙ୍କ କାର୍ଡ ସଂଗ୍ରହ କରି ପିଏସଓ ମେସିନରେ ହିତାଧିକାରୀଙ୍କ ଅଙ୍ଗୁଳି ଛାପ ନେବା ବେଳେ ଆଉ ମେସିନ୍ କାମ କରି ନଥିଲା। ୩ରୁ ୪ କିଲୋମିଟର ଲେଖାଏଁ ଚାଲି ଚାଲି ଓ ଅଟୋ ଭଡା କରି ବହୁ ହିତାଧିକାରୀ ବୃଦ୍ଧ, ବୃଦ୍ଧା, ଛୋଟ ଛୋଟ ଛୁଆଙ୍କୁ ଧରି ମହିଳାମାନେ ଆସିଥିବାବେଳେ ଦିନ ତମାମ ସେଭଳି କେନ୍ଦ୍ର ନିକଟରେ ଅପେକ୍ଷା କରୁଥିବା ଦେଖିବାକୁ ମିଳିଥିଲା।

୧୦ ଓ ୧୫ନଂ ୱାର୍ଡ ପାଇଁ ହନୁମାନବାଟିକା ପରିସରରେ କରାଯାଇଥିବା ବିତରଣ କେନ୍ଦ୍ରରେ ୪କିଲୋମିଟର ପରିଧିର ଶତାଧିକ ବୃଦ୍ଧ ଓ ବୃଦ୍ଧା ଆସି ସେଭଳି ଅପେକ୍ଷା କରି ରହିଥିଲେ। ସରଭର ସକାଳରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ କାମ କରି ନଥିଲା। ତା ପରେ କେତେବେଳେ ହେଉଥିଲା ତ ଆଉକେତେ ବେଳେ ଜମାରୁ କାମ କରୁନଥିବା ଦେଖିବାକୁ ମିଳିଥିଲା। ଦିନ ତମାମ ଏହି ସ୍ଥିତି ଲାଗି ରହିଥିବା ଦେଖିବାକୁ ମିଳିଥିଲା। ଏହି ସ୍ଥିତିରେ ବହୁ ହିତାଧିକାରୀ ଘରକୁ ଫେରିଯାଇଥିଲେ। କାର୍ଡ ପିଛା ୫୫କିଲୋ ଦେବାକୁ ନିର୍ଦ୍ଦେଶ ରହିଥିବା ବେଳେ କମ୍ ଓଜନ ଦିଆଯାଉଥିବା ଏବଂ ମାଣ୍ଡିଆର ଗୁଣାତ୍ମକ ଭଲ ନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି।

ସେହିପରି କୋରାପୁଟ ବ୍ଲକ ସହ ସେମିଳିଗୁଡା, ଦଶମନ୍ତପୁର, ନନ୍ଦପୁର, ପଟାଙ୍ଗୀ ବ୍ଲକର ବିଭିନ୍ନ ବିତରଣ କେନ୍ଦ୍ରରେ ଏହି ସ୍ଥିତି ଦେଖିବାକୁ ମିଳିଥିଲା।। ସରଭର ସମସ୍ୟା ଯୋଗୁଁ ଆଜି ସଠିକ ଭାବେ ସବୁ ବିତରଣ କେନ୍ଦ୍ରରେ ବିତରଣ ହୋଇ ପାରିନି ବୋଲି କହିଛନ୍ତି ଯୋଗାଣ ନିରୀକ୍ଷକ ପ୍ରଭାସ ଶତପଥୀ। କମ୍ ଷ୍ଟକ ଆସୁଥିବାରୁ ସମସ୍ୟା ଦେଖାଦେଉଛି। ଆସନ୍ତାକାଲି ପୁଣି ଷ୍ଟକ ଥିବା ଯାଏଁ ବିତରଣ କରାଯିବ ବୋଲି କହିଛନ୍ତି ଯୋଗାଣ ନିରୀକ୍ଷକ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe