ହୁବଲି: ଜମ୍ମୁ କାଶ୍ମୀର ଓ କର୍ଣ୍ଣାଟକ ମଧ୍ୟରେ ସଂପ୍ରତି ଚାଲିଥିବା ରଣଜୀ ଟ୍ରଫି ଫାଇନାଲ୍‌ର ଦ୍ବିତୀୟ ଦିନରେ ଏକ ଅପ୍ରତ୍ୟାଶିତ ବିବାଦ ଦେଖାଯାଇଛି। ବୁଧବାର ଜାମ୍ମୁ କାଶ୍ମୀର ଅଧିନାୟକ ପାରସ ଡୋଗ୍ରା ନିଜ ଉପରୁ ନିୟନ୍ତ୍ରଣ ହରାଇ ବିପକ୍ଷ ଦଳର ଫିଲ୍ଡର ସହ ମୁଣ୍ଡ ଲଢ଼େଇ କରିଛନ୍ତି। ଏହି ଘଟଣାଟି ଜମ୍ମୁ କାଶ୍ମୀର ପାଳିର ୧୦୧ତମ ଓଭରରେ ଦେଖିବାକୁ ମିଳିଥିଲା। ପ୍ରସିଦ୍ଧ କୃଷ୍ଣଙ୍କ ବଲ୍‌ରୁ ଡୋଗ୍ରା ସ୍ଲିପ୍‌ ନିକଟରେ ଚୌକା ମାରିଥିଲେ। ଏହି ସମୟରେ ଫରୱାର୍ଡ ସଟ୍‌ଲେଗ୍‌ରେ ବଦଳ ଫିଲ୍ଡର କେଭି ଅନୀଶ ଫିଲ୍ଡିଂ କରୁଥିଲେ। ସେଠାରେ ଅନୀଶ ଲଗାତାର ଡୋଗ୍ରାଙ୍କୁ ସ୍ଲେଜିଂ କରିଚାଲିଥିଲେ। ଚୌକା ମାରିବା ପରେ ଡୋଗ୍ରାଙ୍କ ସହ ଅନୀଶଙ୍କ ବାକ୍ୟ ବିନିମୟ ହୋଇଥିଲା। ଏଥିରେ ଡୋଗ୍ରା ଉତ୍‌କ୍ଷୀପ୍ତ ‌ହୋଇଯାଇଥିଲେ। 

Advertisment

ଆହୁରି ପଢନ୍ତୁ: Budget 2026-27: ଭୁବନେଶ୍ବର ମହାନଗର ନିଗମ ପାଇଁ ୧୦୫୦ କୋଟି ଟଙ୍କାର ବଜେଟ୍‌

ମୟଙ୍କ ଅଗ୍ରୱାଲ ଏହା ଦେଖି ମାମଲା ଶାନ୍ତ ‌କରିବାକୁ ଚେଷ୍ଟା କରୁଥିଲା ବେଳେ ଡୋଗ୍ରା ସିଧାସଳଖ ଅନୀଶଙ୍କ ଉପରେ ଆକ୍ରମଣ କରିଥିଲେ। ହେଲ୍‌ମେଟ୍‌ ପିନ୍ଧା ମୁଣ୍ଡରେ ସେ ଅନୀଶ ମୁଣ୍ଡକୁ ପିଟି ଦେଇଥିଲେ। ହେଲେ ଅନୀଶ ହେଲ୍‌ମେଟ୍‌ ପିନ୍ଧିଥିବାରୁ ବଡ଼ ଅଘଟଣ ଟଳିଥିଲା। ମାମଲା ବିଗିଡ଼ିବାରୁ ଅମ୍ପାୟାର ଏଥିରେ ହସ୍ତକ୍ଷେପ କରିଥିଲେ। ଓଭର ଶେଷ ହେବା ପରେ ଡୋଗ୍ରା ଭୁଲ୍‌ ମାଗିଥିଲେ। କିନ୍ତୁ ଅନୀଶ କିଛି ନଶୁଣି ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଏହି ଘଟଣା ପରେ ପାଖରେ ଫିଲ୍ଡିଂ କରୁଥିବା ମୟଙ୍କ ଓ କେଏଲ୍‌ ରାହୁଲ ଲଗାତାର ଡୋଗ୍ରାଙ୍କୁ ଛିଗୁଲେଇ ଚାଲିଥିଲେ। ‌ପ୍ରଥମ ଦିନ ବିଜୟକୁମାର ବୈଶାକଙ୍କ ଏକ ବାଉନ୍‌ସ ବଲ୍‌ ଡୋଗ୍ରାଙ୍କ ଗ୍ଲୋଭ୍ସରେ ବାଜିବାରୁ ସେ ୪୮ ବଲ୍‌ରୁ ୯ ରନ୍‌ କରି ରିଟାୟର୍ଡ ହର୍ଟ ହୋଇଥିଲେ।

ଜମ୍ମୁ କାଶ୍ମୀର ଚମତ୍କାର ବ୍ୟାଟିଂ ଜାରି

ପ୍ରଥମ ଥର ଫାଇନାଲ୍‌ ମ୍ୟାଚ୍‌ ଖେଳୁଥିବା ଜମ୍ମୁ କାଶ୍ମୀର ଘରୋଇ କର୍ଣ୍ଣାଟକ ବିପକ୍ଷରେ ଚମତ୍କାର ବ୍ୟାଟିଂ ଜାରି ରଖିଛି। ଗତ କାଲିର ସ୍କୋର୍‌ ୨୮୪/୨ରୁ ବୁଧବାର ଖେଳ ଆରମ୍ଭ କରିଥିବା ଭ୍ରମଣକାରୀ ଦଳ ଷ୍ଟମ୍ପ୍ସ ବେଳକୁ ୬ ୱିକେଟ୍‌ ହରାଇ ୫୭୬ ରନ୍‌ କରିଛି। ଶୁଭମ ପୁନ୍ଦିର (୧୨୧) ଶତକୀୟ ପାଳି ଖେଳିଥିଲା ବେଳେ ଅନ୍ୟ ୫ ଜଣ ବ୍ୟାଟର୍‌ ଅର୍ଦ୍ଧଶତକ ଅର୍ଜନ କରି ଦଳର ଏହି ବଡ଼ ସ୍କୋର୍‌ରେ ଭାଗୀଦାର ରଖିଛନ୍ତି। ଷ୍ଟମ୍ପ୍ସ ବେଳକୁ ସାହିଲ ଲୋଟ୍ରା ୫୭* ଓ ଅବିଦ ମୁସ୍ତାକ୍‌ ୨୦* ରନ୍‌ରେ ବ୍ୟାଟିଂ କରୁଛନ୍ତି। ଜୱର ହୁସେନ୍‌ ୮୮, ପାରସ ଡୋଗ୍ରା ୭୦, ଅବଦୁଲ ସାମଦ ୬୧, କହ୍ନେୟା ୱାଧୱନ ୭୦ ରନ୍‌ କରିଛନ୍ତି। ପ୍ରସିଦ୍ଧ କୃଷ୍ଣ ୩ ଏବଂ ବିଦ୍ୟାଧର ପାଟିଲ, ଶ୍ରେୟସ ଗୋପାଳ ଓ ଶିଖର ସେଟ୍ଟୀ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।