ମୁମ୍ବାଇ: ମୁମ୍ବାଇରେ ରିସୋର୍ଟ ରାଜନୀତି ପୁଣିଥରେ ଫେରିଛି। ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବିଜେପି- ଶିବସେନା (ସିନ୍ଦେ)ଙ୍କ ନେତୃତ୍ବାଧୀନ ମହାୟୁତି ମେଣ୍ଟକୁ ବଡ଼ ସଫଳତା ମିଳିବାପରେ ଏବେ ମେୟର ପଦକୁ ନେଇ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି। ବିଜେପି ନା ଏକନାଥ ସିନ୍ଦେଙ୍କ ଶିବସେନା ଦଳରୁ କିଏ ମେୟର ହେବେ ସେନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁମ୍ବାଇରେ ସିନ୍ଦେ ଶିବିର କିଙ୍ଗମେକର ହୋଇଥିବାରୁ ଜଣେ ସେନା କର୍ପୋରେଟରଙ୍କୁ ଏହି ସମ୍ମାନଜନକ ପଦ ମିଳୁ ବୋଲି ସିନ୍ଦେ ଶିବିର ଚାହୁଛି।
ଉକ୍ତ ପଦବି ସେନା ସହ ପାରମ୍ପରିକ ଭାବେ ରହିଛି ଏବଂ କିଛି କର୍ପୋରେଟର ମଧ୍ୟ ସେନା ସହ ଏହି ପଦବି ଜଡ଼ିତ ରଖିବାକୁ ଚାହିଛନ୍ତି। ଏତିକିବେଳେ ପୁଣି ଏକନାଥ ସିନ୍ଦେ ତାଙ୍କ ଦଳର ନିର୍ବାଚିତ ପ୍ରତିନିଧିମାନଙ୍କୁ ଏକ ପଞ୍ଚ ତାରକା ହୋଟେଲକୁ ଡାକିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ମୁମ୍ବାଇ ମହାନଗର ନିଗମରେ ଏବେ କ୍ଷମତାକୁ ନେଇ ଜୋରଦାର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି। ଦଳୀୟ ସୂତ୍ର ଅନୁଯାୟୀ ସିନ୍ଦେ ସେନା ଟିକେଟରେ ନିର୍ବାଚିତ ହୋଇଥିବା ୨୯ କର୍ପୋରେଟରଙ୍କୁ ବୁଧବାର ଅପରାହ୍ନ ୩ଟା ସୁଦ୍ଧା ବାନ୍ଦ୍ରାର ତାଜ ଲାଣ୍ଡ୍ସ ଏଣ୍ଡ ହୋଟେଲରେ ପହଞ୍ଚିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସେଠାରେ ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ରହିବାପାଇଁ କୁହାଯାଇଛି। ମୁମ୍ବାଇ ମହାନଗର ନିଗମରେ ଏବେ ନେତୃତ୍ବକୁ ନେଇ କଥାବାର୍ତ୍ତା ଆରମ୍ଭ ହୋଇଯାଇଥିବାବେଳେ ହର୍ସ ଟ୍ରେଡିଂ ଭୟରେ ସିନ୍ଦେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କୁହାଯାଉଛି।
ଆହୁରି ପଢନ୍ତୁ: Chess: ଖେଳାଳିରୁ ପ୍ରଶାସକ, ଚେସ୍ ଚେହେରା ପାଲଟିଥିବା ରଂଜନଙ୍କୁ ଡାକ ଟିକେଟ୍ରେ ମିଳିଲା ସ୍ଥାନ
ମୁମ୍ବାଇରେ ଦୀର୍ଘ ୨୮ ବର୍ଷ ପରେ ଠାକ୍ରେ ଗଡ଼କୁ ଭାଙ୍ଗି ମହାୟୁତି ମେଣ୍ଟ ବିଜୟ ହାସଲ କରିଛି। ତେବେ କୌଣସି ଗୋଟିଏ ବି ଦଳ ଏଠାରେ ନିଜସ୍ବ ଭାବେ ସଂଖ୍ୟାଗରିଷ୍ଠତା ହାସଲ କରିନାହାନ୍ତି । ସିନ୍ଦେ ତାଙ୍କ ଦଳର ନିର୍ବାଚିତ ପ୍ରତିନିଧିମାନଙ୍କୁ ହୋଟେଲକୁ ଡାକିବାର ୨ଟି କାରଣ ଥାଇପାରେ। ଏଥିମଧ୍ୟରୁ ଗୋଟିଏ କାରଣ ହେଉଛି ସମସ୍ତ ବିରୋଧୀ ଦଳ ଏକାଠି ହାତ ମିଳାଇବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ। । ତେବେ ଏକାଠି ହାତ ମିଳାଇଲେ ମଧ୍ୟ ବିରୋଧୀ ମେଣ୍ଟକୁ ବିଏମ୍ସି ଦଖଲ ପାଇଁ ଆହୁରି ୮ ଜଣ ନିର୍ବାଚିତ ସଦସ୍ୟମାନଙ୍କର ସମର୍ଥନ ଦରକାର। ତେଣୁ ଏଥିପାଇଁ ହର୍ସ ଟ୍ରେଡିଂ ଆରମ୍ଭ ହୋଇପାରେ। ଏହି ଭୟରେ ଏକନାଥ ସିନ୍ଦେ ତାଙ୍କ ଦଳର ନିର୍ବାଚିତ କର୍ପୋରେଟରମାନଙ୍କୁ ହୋଟେଲକୁ ଡାକି ଥାଇପାରନ୍ତି ବୋଲି କୁହାଯାଉଛି। ଅନ୍ୟ କାରଣଟି ହେଉଛି ଦଳରେ ମଧ୍ୟ ମେୟର ପଦକୁ ନେଇ କୌଣସି ପ୍ରକାର ସାଲିସ ନକରିବାପାଇଁ ଚାପ ପଡ଼ୁଛି। ଏକନାଥ ସିନ୍ଦେ ଏବେ ବିଜେପି ସହ କ୍ଷମତାକୁ ନେଇ ବାର୍ଗେନିଂ ଆରମ୍ଭ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଆହୁରି ପଢନ୍ତୁ: Hockey India League: କଳିଙ୍ଗ ଷ୍ଟାଡିୟମ୍ରେ ହକିପ୍ରେମୀଙ୍କୁ ମତୁଆଲା କଲା ହକି ଇଣ୍ଡିଆ ଲିଗ୍
ଉଲ୍ଲେଖଯୋଗ୍ୟ ଯେ ୨୨୭ ୱାର୍ଡ ବିଶିଷ୍ଟ ମୁମ୍ବାଇରେ ମେଜୋରିଟି ମାର୍କ ହେଉଛି ୧୧୪। ବିଜେପି ଏଠାରେ ୮୯ ଆସନରେ ଜିତିଥିବାବେଳେ ସିନ୍ଦେ ସେନା ୨୯ ଆସନରେ ଜିତିଛି। ଉଭୟଙ୍କ ସଂଖ୍ୟା ମିଶିଲେ ୧୧୮। ତେଣୁ ଉଭୟ ଦଳ ସହଜରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ଏହାବାଦ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏନସିପି ୩ଟି ୱାର୍ଡରେ ଜିତିଛି। ଅପରପାର୍ଶ୍ବରେ ଶିବସେନା (ୟୁବିଟି) ଏବଂ ମହାରାଷ୍ଟ୍ର ନିର୍ମାଣ ସେନା (ଏମଏନଏସ) ଏବଂ ଏନ୍ସିପି (ଶରଦ ପାୱାର) ଏକାଠି ନିର୍ବାଚନ ଲଢ଼ିଛନ୍ତି। ସେନା (ୟୁବିଟି) ୬୫ ୱାର୍ଡରେ ଜିତିଥିବାବେଳେ , ଏମଏନଏସ ୬ ଆସନରେ ଏବଂ ଏନ୍ସିପି (ଏସ୍ପି) ଗୋଟିଏ ଆସନରେ ଜିତିଛି। ଏକାଠି ଏମାନଙ୍କ ସଂଖ୍ୟା ୭୨ ରହିଛି।
ପୃଥକ ଭାବେ କଂଗ୍ରେସ ୨୪ ୱାର୍ଡରେ, ଏଆଇଏମ୍ଆଇଏମ୍ ୮ଟି ୱାର୍ଡ ଏବଂ ସମାଜବାଦୀ ପାର୍ଟି ୨ଟି ୱାର୍ଡରେ ଜିତିଛି। ଯଦି ବିଜେପି ନେତୃତ୍ବାଧୀନ ମେଣ୍ଟ ହାତକୁ ବିଏମ୍ସି ନଦେବାପାଇଁ ସମସ୍ତ ବିରୋଧୀ ଦଳ ଏକାଠି ହୁହନ୍ତି ତେବେ ସେମାନଙ୍କ ସଂଖ୍ୟା ୧୦୬ରେ ପହଞ୍ଚିବ। ସଂଖ୍ୟାଗରିଷ୍ଠତା ପାଇଁ ଆହୁରି ୮ଟି ସଂଖ୍ୟା ଦରକାର। ଏଠାରେ ହର୍ସ ଟ୍ରେଡିଂର ଭୟ ଉପୁଜୁଛି। ଯଦି ବିରୋଧୀ ଦଳ ଗୁଡ଼ିକ ମହାୟୁତି ମେଣ୍ଟର ୮ ଜଣ କର୍ପୋରେଟରଙ୍କ ମନାଇବାରେ ସକ୍ଷମ ହୋଇଯିବେ ତେବେ ବାଜି ପୂରା ପଲଟିଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/17/c7286164-265b-4bed-9883-1850a54683b7-2026-01-17-20-39-46.jpg)