ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ତିନି ବ୍ଲକର ୧୨ଟି ପଂଚାୟତ ସହ ଜିଲ୍ଲା ସଦର ମହକୁମାକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ପଡାଲଗୁଡାଠାରୁ ଦୁଲୁଘାଟି ରାସ୍ତା ପୁନରୁଦ୍ଧାର ଓ ପ୍ରଶସ୍ତିକରଣ କାମ ଆରମ୍ଭ ହୋଇଛି। ଏହି ରାସ୍ତାଟି ନବରଙ୍ଗପୁର, ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକର ୧୨ଟି ପଂଚାୟତର ଶତାଧିକ ଗାଁକୁ ସଂଯୋଗ କରୁଥିବା ପ୍ରମୁଖ ଲାଇଫ୍ ଲାଇନ୍ ରାସ୍ତା। ଧାର୍ଯ୍ୟସମୟ ସରିବାକୁ ଆଉ ୩ମାସ ସମୟ ଥିବା ବେଳେ କାମ ସରିବା ନାଁ ନେଉନଥିବାରୁ ଚିନ୍ତାରେ ପଡ଼ିଛନ୍ତି ଠିକାଦାର ଓ ଏହି ୧୨ଟି ପଂଚାୟତବାସୀ। ସମ୍ବାଦରେ ରିପୋର୍ଟ ପ୍ରକାଶ ପାଇବା ପରେ କାମ ଆରମ୍ଭ ହୋଇଥିଲା। ତେବେ ଏହି ରାସ୍ତା କାମ ପାଇଁ ଏବେ ବାଧକ ସାଜିଛି ପାଣିପାଇପ।

Advertisment

 ପୂର୍ତ୍ତବିଭାଗ ଅଧିନରେ ଥିବା ଏହି ରାସ୍ତାଟି ପଡାଲଗୁଡା ଠାରୁ ଦୁଲୁଘାଟି ଭାୟା ବାଘସିଉନୀ, ଗୁମିଦୋରା, ଜାମଗୁଡା, ବାମୁନିକୋଟ, ଅମଳାଭଟା , ପାତ୍ରପୁଟ ଯାଏଁ ୨୬ କିଲୋମିଟର । ୩୨ କୋଟି ୨୨ ଲକ୍ଷ ୨୬ ହଜାର ୪୭୦ ଟଙ୍କାରେ ଏହି ରାସ୍ତା ନିର୍ମାଣ ପାଇଁ ଠିକାଦାରଙ୍କ ସହ ଚୁକ୍ତି କରାଯାଇଛି। ୨୦୧୪ ମସିହା ଜାନୁଆରୀ ୩୦ତାରିଖରେ ଏହି ଚୁକ୍ତିନାମା କରାଯାଇଥିବା ବେଳେ ଜାନୁଆରୀ ୨୯ ତାରିଖ ୨୦୨୬ ମସିହାରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୧୨ ମିଟର ଓସାରର ରାସ୍ତା ଏବଂ ଅଧ ମିଟର ଲେଖାଏଁ ଉଭୟ ପାର୍ଶ୍ବ ନାଳ ସହ ‌ଛୋଟ ବଡ କଲଭର୍ଟ କାମ କରାଯିବ। ଗ୍ରାମ୍ୟ ଜଳ‌ ଯୋଗାଣ ଓ ମେଗା ‌ଜଳଯୋଗାଣ ପ୍ରକଳ୍ପ ପକ୍ଷରୁ ରାସ୍ତାକୁ କିମ୍ବା ରାସ୍ତା ପାର୍ଶ୍ବକୁ ଖୋଳି ପାଇପଲାଇନ୍ ନିଆଯାଇଛି।

 ଏବେ ରାସ୍ତା ପ୍ରଶସ୍ତିକରଣ ବେଳେ ଏସବୁ ବାଧା ଉପୁଜିଥିବା ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଧପାଣି କହିଛନ୍ତି। ଅପରପକ୍ଷରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ଅବଗତ କରାଯାଇଛି। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦୂରଦୃଷ୍ଟି ରଖି ସ୍ଥାୟୀ ଭାବେ ପାଇପଲାଇନ୍ ଯିବା ରାସ୍ତା ନ କରି ସବୁ ରାସ୍ତା ପାର୍ଶ୍ବରେ ଖୋଳି ଆମକୁ ହଇରାଣ କରିବା ସହ ପାଇପଲାଇନ୍ ଘୁଚାଁଇବାକୁ କ୍ଷତିପୂରଣ ମାଗୁଛି ବୋଲି କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ। ପାଇପଲାଇନ୍ ଘୁଚାଁଇବା ପାଇଁ ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିକଟରେ ଅନୁଦାନ ନଥିବାରୁ ଏହାକୁ ଘୁଚାଁଇବା କଷ୍ଟ ହେଉଛି ବୋଲି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଜଣାଇଥିବା ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି।

ଆହୁରି ପଢନ୍ତୁ: Delhi Red Fort Blast, Odisha Link: ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍ ! ଜେରା ବେଳେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ...!

ସେହିପରି ପାଇପ ଘୁଚାଁଇବା ପାଇଁ ରାସ୍ତା ନିର୍ମାଣ କାମରେ ଅନୁଦାନ ନଥିବାରୁ ପୂର୍ତ୍ତବିଭାଗ କଣ କରିବ ଚିନ୍ତାରେ ପଡିଛି। ଅପରପ‌କ୍ଷରେ ଗତ କିଛି ଦିନ ହେବ ଅଧାପନ୍ତରିଆ ଭାବେ କାମ ରହିବା ପରେ ୧୨ ପଂଚାୟତବାସୀ ଯିବା ଆସିବାରେ ହଇରାଣ ହେଉଛନ୍ତି। ସେହିପରି ଠିକାଦାର ଜଣକ ବି କାମ ଅଧାରେ ରହିଥିବାରୁ କିଭଳି ସାରିବେ ଚିନ୍ତାରେ ପଡିଛନ୍ତି।

ଆହୁରି ପଢନ୍ତୁ: Delhi Blast Pulwama Attack link: ଦିଲ୍ଲୀ ବିସ୍ଫୋରଣର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଲିଙ୍କ୍:ଜୈସ୍ ଦ୍ୱିତୀୟ ଥର ପାଇଁ VBIED ବ୍ୟବହାର କରିଛି

ବାରମ୍ବାର ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ଓ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ପରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା ବୋଲି ଅଭିଯୋଗ କରିଛନ୍ତି ବାଘସିଉନି ସରପଂଚ କୃଷ୍ଣ ଭତରା। ତେବେ ସମ୍ବାଦରେ ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇବା ପରେ କାମ ଆରମ୍ଭ ହୋଇଥିଲା। ତେବେ ପୁଣି କାମ ବନ୍ଦ ହେବା ଆମ ଅଂଚଳବାସୀଙ୍କ ପୁଣି ହଇରାଣ ହେବେ। ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ସରପଂଚ ଓ ଅଂଚଳବାସୀ ଦାବି କରିଛନ୍ତି।