ଶଲାବୁଢ଼ାର ବଦଲା: ଆଉ ଏକ ମାଷ୍ଟରପିସ୍‌

Advertisment
ଶଲାବୁଢ଼ାର ବଦଲା: ଆଉ ଏକ ମାଷ୍ଟରପିସ୍‌

ଭୁବନେଶ୍ବର : ନିୟୁ ଜେନେରେସନ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହୋଇଛି ଅର୍ନ୍ତଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ଫିଲ୍ମ ‘ଶଲାବୁଢାର ବଦଲା’। ଶଲାବୁଢା, ଆଦିମ ବିଚାର ପରେ ଏହି ସିରିଜର ତୃତୀୟ ଚଳଚ୍ଚିତ୍ର ହେଉଛି ଶଲାବୁଢାର ବଦଲା। ସତ୍ୟଜିତ ରାୟଙ୍କ ଅପୁ (୧୯୫୯) ପରେ ବିଗତ ଛଅ ଦଶନ୍ଧି ମଧ୍ୟରେ ଭାରତୀୟ ସିନେମାର ଏହା ହେଉଛି ଏକମାତ୍ର ଟ୍ରାୟୋଲୋଜି । ସଂସ୍କୃତି ସମୃଦ୍ଧ ଓଡିଆ ସିନେମା ଜଗତର ମଧ୍ୟ ଏହା ହେଉଛି ପ୍ରଥମ ଟ୍ରାୟୋଲୋଜି । ଭାରତୀୟ ସିନେମା ଜଗତରେ ଶଲାବୁଢାର ବଦଲା ଏକ ନିଆରା , ହୃଦୟସ୍ପର୍ଶୀ ଏବଂ ବହୁମୂଲ୍ୟ ସିନେମା; ଯାହାକି ଲୁପ୍ତପ୍ରାୟ ଲୋକକଳା, ଲୋକ ସଂସ୍କୃତି ଏବଂ ପ୍ରେମର ଏକ ଶାଶ୍ବତ ପ୍ରବାହକୁ ସୂକ୍ଷ୍ମ ଭାବେ ଗୋଟିଏ ସୂତ୍ରରେ ବାନ୍ଧି ରଖିବାରେ ସମ୍ପୂର୍ଣ୍ଣ ସଫଳ ହୋଇଛି। ଆହୁରି ବି ଯେତେବେଳେ ସମଗ୍ର ବିଶ୍ବ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଛି, ଠିକ୍‌ ସେହି ସମୟରେ ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶକୁ ପୁନଃସ୍ଥାପିତ କରିବାର ପ୍ରୟାସ ଦିଗରେ 'ଶଲାବୁଢାର ବଦଲା' ବିଶେଷ ଗୁରୁତ୍ବ ବହନ କରେ।

ସମାଜରେ ସବୁ ସମୟରେ ବୃଦ୍ଧ ବୟଜ୍ୟୋଷ୍ଠମାନଙ୍କ ଅଭିଜ୍ଞତାର ପ୍ରାସଙ୍ଗିକତା ରହିଆସିଛି। ସମାଜିକ ରୀତିନୀତି, ଚାଲିଚଳନ, ପରମ୍ପରା ସର୍ବୋପରି ସମାଜକୁ ଏକ ସଂସ୍କାରସମ୍ପନ୍ନ ଦିଗରେ ପରିଚାଳିତ କରିବାରେ ଏବଂ ପରବର୍ତ୍ତୀ ପିଢ଼ିକୁ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟିକରିବା ପାଇଁ ଦିଗ୍‌ଦର୍ଶନ ଦେବାରେ ଏମାନଙ୍କ ଭୂମିକା ସର୍ବାଗ୍ରେ । ଏହିପରି ଜଣେ ସମ୍ମାନାସ୍ପଦ ବ୍ୟକ୍ତି ହେଉଛନ୍ତି ଗାଁର ଗୌନ୍ତିଆ, ଯିଏ କି ନିଜର ବିଚାରଶୀଳ ବୁଦ୍ଧି ଏବଂ ବନ୍ଧୁଭାବ, ସରଳ ସ୍ବଭାବ ପାଇଁ ସବୁଠି ଆଦୃତ । କିନ୍ତୁ ଏଭଳି ଜଣେ ସରଳ ବ୍ୟକ୍ତି ଯେତେବେଳେ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନିଏ, ସେହି ପ୍ରତିଶୋଧର ସ୍ବରୂପ ଯେ କଣ ହୋଇପାରେ ତାହା ହିଁ 'ଶଲାବୁଢାର ବଦଲା'ର ପରିଭାଷା।

ସିନେମାଟିରେ କାହାଣୀର ଗତିଶୀଳତା ଖୁବ୍‌ ସାବଳୀଳ । ମଧ୍ୟାନ୍ତର ପରେ ଉତ୍କଣ୍ଠା କମିବା ଅପେକ୍ଷା ଆହୁରି ବଢିଯାଉଛି। ଏହି ଟ୍ରାୟୋଲୋଜିର ପ୍ରଥମ ଦୁଇ ସିନେମା ପରି ଏଥିରେ ବି ରହିଛି ଓଡିଶା ମାଟି, କଳା ଓ ସଂସ୍କୃତିର ବାସ୍ନା ଅଥଚ ଉପସ୍ଥାନ ଶୈଳୀ ଆଗ ଅପେକ୍ଷା ଆହୁରି ନିଖୁଣ ଓ ମାର୍ଜିତ। ଏହି ସିନେମାର କାହାଣୀ ସ୍ବର୍ଗତଃ କପିଳେଶ୍ବର ମହାପାତ୍ର ଲେଖିଥିବାବେଳେ ସଂଳାପ ଲେଖିବା ସହ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ୯୨ ବର୍ଷୀୟ ଅଟଳବିହାରୀ ପଣ୍ଡା। ସିନେମାର ପ୍ରଯୋଜକ, ଡିଓପି ଏବଂ ଏଡିଟର ହେଉଛନ୍ତି କୁମାର ସି. ଦେବ । କଳା ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି ମଣ୍ଟୁ ମହାପାତ୍ର। ସିନେମାର ଅନ୍ୟ ପ୍ରମୂଖ ଚରିତ୍ରରେ ଅଭିନୟ କରିଥିବା ଜଗଦାନନ୍ଦ ଛୁରିଆ, ପ୍ରଦ୍ୟୁମ୍ନ ସାହୁ, ଲୋଚନୀ ବାଗ, ମୁନିଆଁ, ମଣ୍ଟୁ ମହାପାତ୍ର ଏବଂ ନବାଗତ ଜିତ୍‌ ଓ ଚନ୍ଦନା ଆଦିଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ବେଶ୍‌ ସକ୍ଷମ ।

ଶଲାବୁଢାର ବଦଲା ଓଡିଆ ସିନେମାର ଆଉ ଏକ ମାଷ୍ଟରପିସ୍‌, ଏଥିରେ ଦ୍ବିରୁକ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe