କଟକ: ଓଡ଼ିଶା ପ୍ରିମିୟର୍ ଲିଗ୍ (ଓପିଏଲ୍)ର ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ୍ ସାରଜା ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଉଦ୍ଯାପିତ ହୋଇଛି। ପ୍ରଥମ ସଂସ୍କରଣରେ ୧୨ଟି ଓଡ଼ିଆ ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ୍ରେ ସ୍ୟାମ୍ ଏକାଦଶ ଆଜମାନ ୬ ୱିକେଟ୍ରେ ଉତ୍କଳ ରାଇଜିଂ ଷ୍ଟାର୍ସକୁ ହରାଇ ଟ୍ରଫି ହାତେଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଉତ୍କଳ ରାଇଜିଂ ୪ ୱିକେଟ୍ ହରାଇ ୧୩୮ ରନ୍ କରିଥିଲା। ଜବାବରେ ସ୍ୟାମ୍ ଏକାଦଶ ଆଜମାନ ଦଳ ୧୭.୨ ଓଭରରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ସ୍ୟାମ୍ ଏକାଦଶ ପକ୍ଷରୁ ଇମ୍ରାନ୍ ଖାନ (୫୪ ରନ୍) ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ଓ ଶ୍ରେଷ୍ଠ ବ୍ୟାଟର୍ ପୁରସ୍କାର ପାଇଥିଲେ।
ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ପୂର୍ବତନ କ୍ରିକେଟର୍ ସଞ୍ଜୟ ରାଉଳ, ଅଭିନେତ୍ରୀ ସ୍ୱପ୍ନା ପ୍ରିୟଦର୍ଶିନୀ, ଓଡ଼ିଶା ସମାଜ ୟୁଏଇ ଅଧ୍ୟକ୍ଷ ଅମିୟ ମିଶ୍ର, ଶୁଭ୍ରାଂଶୁ ଜାନା, ସୁରେଶ ମିଶ୍ର ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଫାଇନାଲ ମ୍ୟାଚ୍କୁ ଏକହଜାରରୁ ଅଧିକ ଓଡ଼ିଆ ଦର୍ଶକ ଉପଭୋଗ କରିଥିବା ବେଳେ ସମସ୍ତଙ୍କ ପାଇଁ ପ୍ରବେଶ, ଯାତାୟତ ଓ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଓପିଏଲ୍ ସଦସ୍ୟ ଇଲିୟାସ୍ ଖାନ୍, ଦୀପକ ସାହୁ, ସୟଦ ତସୱାର ଅଲୀ, ୱାସିମ୍ ବାରି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।
Follow Us