କଟକ: ଦୁଷ୍କର୍ମ ଅଭିଯୁକ୍ତ ସିନିଅର୍ ରେସିଡେଣ୍ଟ୍ ଡାକ୍ତର ଦିଲବର୍ ସିଂହ ଠାକୁରଙ୍କୁ ଆଜି ଏସ୍ସିବି ମେଡିକାଲ କଲେଜରୁ ବହିଷ୍କାର କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଯୋଗର ତଦନ୍ତ କରି ଡିଏମ୍ଇଟିଙ୍କ ନେତୃତ୍ବରେ ଗଠିତ ୩ ଜଣିଆ ଟିମ୍ ରିପୋର୍ଟ ଦେବା ସହିତ ଏ ସଂପର୍କରେ ପଦକ୍ଷେପ ନେବାକୁ ଏସ୍ସିବି କର୍ତ୍ତୃପକ୍ଷଙ୍କୁ ଦୁଇଦିନ ତଳେ ଚିଠି ଲେଖିଥିଲେ। ଚିଠି ପାଇବା ପରେ ଆଜି କଲେଜ କାଉନସିଲର ଜରୁରି ବୈଠକ ଡକାଯାଇ ସର୍ବସମ୍ମତିକ୍ରମେ ଅଭିଯୁକ୍ତ ଡାକ୍ତରଙ୍କୁ ବହିଷ୍କାର କରାଯାଇଛି ବୋଲି ଏସ୍ସିବିର ଅଧୀକ୍ଷକ ତଥା ଅଧ୍ୟକ୍ଷ ଦାୟିତ୍ବରେ ଥିବା ପ୍ରଫେସର ଡା.ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ଦିଲବର୍ଙ୍କ ଡାକ୍ତରୀ ଡିଗ୍ରି ସାର୍ଟିଫିକେଟ୍ ରଦ୍ଦ ପାଇଁ ପୁଲିସ ରିପୋର୍ଟ ଦାଖଲ ପରେ କାଉନ୍ସିଲ ଅଫ୍ ମେଡିକାଲ ରେଜିଷ୍ଟ୍ରେସନ୍ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏସ୍ସିବି ହୃଦରୋଗ ବିଭାଗ ଇକୋ ରୁମ୍ରେ ଛୁଟି ଦିନରେ ସିନିଅର୍ ରେସିଡେଣ୍ଟ୍ ଡାକ୍ତର ଦିଲବର ଅନ୍ୟ ଜଣେ ଡାକ୍ତରୀ ଛାତ୍ରଙ୍କ ମା’ ଓ ମାଇଁଙ୍କୁ ଦୁଷ୍କର୍ମ କରିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ରାଜ୍ୟ ସରକାର ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଥିଲେ। ରାଜ୍ୟ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍ଇଟି) ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର, ଏସ୍ସିବି ଅଧ୍ୟକ୍ଷ ଦାୟିତ୍ବରେ ଥିବା ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ଯୁଗ୍ମ ଡିଏମ୍ଇଟି ପ୍ରଫେସର ଡାକ୍ତର ରୋମା ରତନଙ୍କୁ ନେଇ ଗଠିତ ଟିମ୍ ଘଟଣାର ତଦନ୍ତ କରିଥିଲେ।
Follow Us