ପୋଖରୀକୁ ଓଲଟିଲା ସ୍କୁଲ ଭ୍ୟାନ୍, ସୁରକ୍ଷିତ ଉଦ୍ଧାର ହେଲେ ଛାତ୍ରଛାତ୍ରୀ

ଚାନ୍ଦବାଲି-ଭଦ୍ରକ ମୁଖ୍ୟରାସ୍ତା ନାଲଗୁଣ୍ଡା ଛକ ନିକଟ ରାସ୍ତା କଡ଼ରେ ଥିବା ଏକ ପୋଖରୀକୁ ଶୁକ୍ରବାର ଅପରାହ୍ନରେ ସ୍କୁଲ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ସୂଚନା ମିଳିଛି।

accident

ଚାନ୍ଦବାଲି: ଚାନ୍ଦବାଲି-ଭଦ୍ରକ ମୁଖ୍ୟରାସ୍ତା ନାଲଗୁଣ୍ଡା ଛକ ନିକଟ ରାସ୍ତା କଡ଼ରେ ଥିବା ଏକ ପୋଖରୀକୁ ଶୁକ୍ରବାର ଅପରାହ୍ନରେ ସ୍କୁଲ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ସୂଚନା ମିଳିଛି। ଚାନ୍ଦବାଲି ବ୍ଲକ ଦିଗଛିଆ ନିକଟସ୍ତ ଉତ୍କଳମଣି ଶିଶୁ ବିଦ୍ୟା ମନ୍ଦିରର ୧୧ ଛାତ୍ରଛାତ୍ରୀଙ୍କୁ ନେଇ ଘରକୁ ଫେରୁଥିବା ସମୟରେ ଏମିତି ଅଘଟଣ ଘଟିଛି। ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ବେଳେ ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିବା ୯ ଜଣଙ୍କ ମଧ୍ୟରେ ୨ ଜଣ ଗୁରୁତର ରହିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ୩ ଜଣ ଗୁରୁତର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

ଅନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଘରକୁ ପଠାଯାଇଥିବା ବିଦ୍ୟାଳୟ ଅଧ୍ୟକ୍ଷ ଶରତ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗାଡ଼ି ନମ୍ବର OD22W9375 ଛାତ୍ରଛାତ୍ରୀ ନେଇ ଫେରୁଥିବା ବେଳେ ନାଲଗୁଣ୍ଡା ଛକ ନିକଟରେ ଏକ ପୋଖରୀ ମଧ୍ୟକୁ ଓଲଟି ପଡିଥିଲା। ପାଖରେ ଥିବା ଘରେ ଲୋକେ ପିଲାମାନଙ୍କ ପାଟି ଶୁଣି ତୁରନ୍ତ ଦୌଡ଼ି ଆସି ପୋଖରୀ ଭିତରେ ପଶି ଛୁଆଙ୍କୁ ପାଣିରୁ ଉଦ୍ଧାର କରି ଦୁଇଟି ଆମ୍ବୁଲାନସ ଦ୍ୱାରା ପିଲାଙ୍କୁ ତିହିଡି ମେଡିକାଲ ଓ ଚାନ୍ଦବାଲି ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଘଟଣାସ୍ଥଳରେ ଗଦି ଦମକଳ ବାହିନୀ ଆସି ପହଂଚିଥିଲା ଓ ରେସ୍କୁ ଅପରେସନ କରିଥିଲେ l ଗାଡି ଭିତରେ ଆଉ ପିଲା ନଥିବାର ସୂଚନା ଦେଇଥିଲେ l ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ ଡ୍ରାଇଭର ଜଣକ ଦୃତ ଗତିରେ ଗାଡ଼ିଟି ଚଲାଉଥିବା କାରଣରୁ ଏମିତି ଅଘଟଣ ଘଟିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe