ମୁମ୍ବାଇ: ଗତକାଲି ଭାରତ-ଆମେରିକା ବାଣିଜ୍ୟ ରାଜିନାମା ବିଷୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିବା ପରେ ନିବେଶକମାନେ ଆଶ୍ବସ୍ତ ହୋଇଛନ୍ତି। ସେମାନେ ଆଜି ମନଖୋଲି କାରବାର କରିବାରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨୦୭୨ ପଏଣ୍ଟ ବୃଦ୍ଧି ପାଇ ୮୩,୭୩୯.୧୩ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୬୩୯.୧୫ ପଏଣ୍ଟ ବୃଦ୍ଧି ପାଇ ୨୫,୭୨୭.୫୫ ପଏଣ୍ଟରେ ବନ୍ଦ ହୋଇଛି। ୨୦୨୫ ମେ’ ପରେ ପ୍ରଥମ ଥର ପାଇଁ ନିଫ୍ଟିରେ ଗୋଟିଏ ଦିନରେ ଏଭଳି ବୃଦ୍ଧି ଘଟିଛି।

Advertisment

ଆଜି ଷ୍ଟକ୍‌ ବଜାର ଖୋଲିବା ମାତ୍ରେ ସେନ୍‌ସେକ୍ସ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା। ପ୍ରଥମ ୧୫ ମିନିଟ୍‌ର କାରବାରରେ ନିବେଶକମାନଙ୍କ ସମ୍ପତ୍ତିରେ ୧୩ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଥିଲା। ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି ପରିମାଣ ୪୬୮.୩୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଆଜି ଷ୍ଟକ୍‌ କାରବାର ଉତ୍ସାହଜନକ ରହିବାର ପ୍ରମୁଖ କାରଣ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ହୋଇଥିବା ବେଳେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସୁଧାର ଘଟିବା ମଧ୍ୟ କାରବାର ବୃଦ୍ଧିରେ ସହାୟକ ହୋଇଥିଲା। ଏକ ଡଲାର ମୂଲ୍ୟ ୯୦ ଟଙ୍କା ୨୬ ପଇସା ସ୍ତରରେ ବନ୍ଦ ହୋଇଛି। ଏହା ପୂର୍ବରୁ ଡଲାର ମୂଲ୍ୟ ୯୧ ଟଙ୍କା ୧୫ ପଇସା ଥିଲା।

ଆହୁରି ପଢନ୍ତୁ: Suspend: ସ୍କୁଲ୍ କ୍ୟାମ୍ପସ୍‌ରେ ଜଣ୍ଡିସ୍‌ ଘଟଣା: ନବୋଦୟ ସ୍କୁଲ୍‌ ପ୍ରିନ୍‌ସିପାଲ୍‌ ନିଲମ୍ବିତ

ଡଲାର ଦୁର୍ବଳ ହେବା ଭାରତୀୟ ଷ୍ଟକ୍‌ ବଜାର ପାଇଁ ଖୁସି ଖବର। କାରଣ ଭାରତରୁ ପାଣ୍ଠି ପ୍ରତ୍ୟାହାର କରୁଥିବା ବିଦେଶୀ ନିବେଶକମାନେ ପୁଣି ଥରେ ନିବେଶ ଆରମ୍ଭ କରିବେ। ସେମାନେ ଇକ୍ବିଟି ବଜାରରେ ନିବେଶ ବଢ଼ାଇବେ ଯାହା ସ୍ଥାନୀୟ ମୁଦ୍ରା ଟଙ୍କାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ। ଆଜି ନିବେଶକମାନେ ମୁଖ୍ୟତଃ ବୃହତ୍‌ କମ୍ପାନିଗୁଡ଼ିକର ସେୟାର ଅଧିକ ମାତ୍ରାରେ କିଣିଛନ୍ତି।

ଆହୁରି ପଢନ୍ତୁ: Ukraine Russia Attack: ୟୁକ୍ରେନ୍‌ ଉପରେ ରୁଷ୍‌ର ଭୟଙ୍କର ଆକ୍ରମଣ: ୭୦ରୁ ଅଧିକ କ୍ଷେପଣାସ୍ତ୍ର, ୪୫୦ ଡ୍ରୋନ୍‌ ମାଡ଼

ରପ୍ତାନି ଉପରେ ନିର୍ଭରଶୀଳ କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ସୁଧାର ଘଟିଛି। ବୟନ, ମତ୍ସ୍ୟଚାଷ, ରତ୍ନପଥର ଓ ଗହଣା ଏବଂ ଫାର୍ମାସ୍ୟୁଟିକାଲ୍‌ କମ୍ପାନିର ସେୟାର ଚାହିଦାରେ ଥିଲା। ଆଜିର କାରବାରରେ ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌, ବଜାଜ ଫାଇନାନ୍ସ, ଇଣ୍ଟରଗ୍ଲୋବ ଆଭିଏସନ୍‌ ଲିମିଟେଡ୍‌, ପାୱାର ଗ୍ରିଡ୍‌ କର୍ପୋରେସନ, ସନ୍‌ ଫାର୍ମାସ୍ୟୁଟିକାଲ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ସେୟାର ମୂଲ୍ୟ ୪-୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି। କିନ୍ତୁ ଟେକ୍‌ ମହିନ୍ଦ୍ରା ଓ ଭାରତ ଇଲେକ୍ଟ୍ରୋନିକ୍ସର ସେୟାର ମୂଲ୍ୟ ହ୍ରାସ ପାଇଛି।