ରାଉରକେଲା: ମହାଶିବରାତ୍ରି (ଜାଗର) ଉପଲକ୍ଷେ ଚଳଚଞ୍ଚଳ ହୋଇଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସ। ‘ଓମ୍ ନମଃ ଶିବାୟ’, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଛି ସମଗ୍ର ପରିସର। ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ବିହାରରୁ ବେଦବ୍ୟାସକୁ ଛୁଟିଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଠାକୁର ଦର୍ଶନ ପାଇଁ ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଲାଗିଥିବା ଲମ୍ବାଧାଡ଼ି। ମନ୍ଦିର ଚତୁଃପାର୍ଶ୍ବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପବାସ ରହି ଦୀପ ଜାଳିଥିଲେ। ଦୀପ ଆଲୋକରେ ଝଲସି ଉଠିଥିଲା ଶୈବପୀଠ। ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠିଛି ମେଳାପଡ଼ିଆ। ମହାଦୀପ ଦର୍ଶନ କରିବାକୁ ରାତିରେ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ସମାଗମ ହୋଇଥିଲା। ମହାଦୀପ ଉଠିବା ପର୍ଯ୍ୟନ୍ତ ଲାଗି ରହିଥିଲା ଭିଡ଼। ରାତି ପ୍ରାୟ ୩ଟାରେ ଚନ୍ଦ୍ରଶେଖର ଓ ବାଲୁଙ୍କେଶ୍ବର ମନ୍ଦିରରେ ମହାଦୀପ ଉଠିଥିଲା। ବାଲୁଙ୍କେଶ୍ବର ମନ୍ଦିରରେ ରାଉରକେଲା ଏସ୍ପି ନିତୀଶ ୱାଧୱାନୀ ଓ ଲଠିକଟା ତହସିଲଦାର ମୁରଲୀଧର ରୁମାଲ, ଚନ୍ଦ୍ରଶେଖର ମନ୍ଦିରରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ଆର୍ଏସ୍ପି କାର୍ଯ୍ୟନିର୍ବାହୀ ନିର୍ଦେଶକ ଆଲୋକ ବର୍ମା ମହାଦୀପ ଉଠାଇଥିଲେ। ମହାଦୀପ ଦେଖିବାକୁ ଦୁଇ ମନ୍ଦିର ଚତୁଃପାର୍ଶ୍ବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।
ସେପଟେ ଆଜିଠୁ ଆସନ୍ତା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଐତିହାସିକ ଜାଗର ମେଳା ଆରମ୍ଭ ହୋଇଛି। ପ୍ରତିବର୍ଷ ପରି ଏଥର ମେଳାରେ ଦେଶର ବିଭିନ୍ନ କୋଣଅନୁକୋଣରୁ ୭୦୦ ଅଧିକ ଦୋକାନ ପଡ଼ିଛି। ରାଉରକେଲା ଏସ୍ପି ନିତୀଶ ୱାଧୱାନୀ ସହ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଶୈବପୀଠର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ୧୦ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସହ ୨୮୬ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି। ଏଥିସହ ସୁରକ୍ଷା ଦାୟିତ୍ବରେ ୭ ଡିଏସ୍ପି ଓ ଅତିରିକ୍ତ ଏସ୍ପି, ୧୩ ଇନ୍ସପେକ୍ଟର, ୬୬ ଏସ୍ଆଇ ଓ ଏଏସ୍ଆଇ ମୁତୟନ କରାଯାଇଛି। ଟ୍ରାଫିକ ପରିଚାଳନା ପାଇଁ ୧୩ ଜଣଙ୍କୁ ଦାୟିତ୍ବ ଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମଗ୍ର ମେଳାପଡ଼ିଆକୁ ଓ ମନ୍ଦିର ଚତୁଃପାର୍ଶ୍ବ ସିସିଟିଭି ନଜର ରଖାଯାଇଛି।
ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ରାଉରକେଲା ଅଗ୍ନିଶମ ବିଭାଗ ପକ୍ଷରୁ ମେଳାରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ପ୍ରାୟ ୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କ ସହ କୁଇକ୍ ରେସପନ୍ସ ଟିମ୍ ଏବଂ ରବର ବୋର୍ଟ ମହଜୁଦ ରଖାଯାଇଛି। ମେଳାରେ ୧୦୦ରୁ ଅଧିକ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ନଦୀଘାଟ ଏବଂ ବେଦବ୍ୟାସ ମନ୍ଦିର ନିକଟରେ ବ୍ୟାରିକେଡ୍ କରାଯାଇଛି। ମେଳା ଚାଲିଥିବା ସମୟରେ ମନ୍ଦିରା ଡ୍ୟାମରୁ ବ୍ରାହ୍ମଣୀ ନଦୀକୁ ପାଣି ନଛାଡ଼ିବା ଲାଗି ଅଧିକାରୀମାନଙ୍କୁ କୁହାଯାଇଛି। ବେଦବ୍ୟାସ ମେଳାରେ ଲୋକଙ୍କ ସୁବିଧା ପାଇଁ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ସେହିପରି ନିରବଚ୍ଛିନ୍ନ ବିଦ୍ୟୁତସେବା ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।
Follow Us