କଟକ : ମହାନଦୀରେ ନିଖୋଜ ହୋଇଯାଇଥିବା ୪ଜଣଯାକ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବାର ଖବର ମିଳିଛି। ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ଆଉ ୩ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।
ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନରେ ଏହି ୪ ଜଣ ସାଙ୍ଗ ଗାନ୍ଧୀପଲ୍ଲୀ ବାଲିଗଡାରେ ଦୁଇଟି ସାଇକେଲ ରଖି ପଠାକୁ କୋଳି ତୋଳିବାକୁ ଯାଇଥିବାବେଳେ ନଦୀସ୍ରୋତରେ ଭାସି ଯାଇଥିଲେ। ଭାସି ଯିବା ସମୟରେ ନଦୀ ଭିତରଟି ଅନ୍ଧାରୁଆ ହୋଇ ଯାଇଥିଲା। ଫଳରେ, ଏ ସଂପର୍କରେ କେହି ଜାଣି ପାରି ନଥିଲେ। ବିଳମ୍ବିତ ରାତିରେ କିଛି ଯୁବକ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ସେଠାରେ ଦୁଇଟି ସାଇକେଲ ପଡ଼ିଥିବା ଦେଖି ଆଖପାଖ ଲୋକଙ୍କୁ ଖବର ଦେଇଥିଲେ। ଖବର ଦେବା ପରେ ନୂଆବଜାର ପୋତାପୋଖରୀ ଅଞ୍ଚଳର ଦୁଇ ଜଣ ସ୍କୁଲ ଛାତ୍ର ଘରୁ ନଦୀକୁ କୋଳି ତୋଳିବାକୁ ଯାଉଛନ୍ତି ବୋଲି କହି ଆଉ ଘରକୁ ଫେରି ନଥିବା ଜଣାପଡ଼ିଥିଲା।
ଘର ଲୋକ ଏ ସଂକ୍ରାନ୍ତରେ ଖବର ପାଇବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି କରି ଭଦିମୂଳ ଘାଟ ନିକଟରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହଟି ପୋତାପୋଖରୀ ଅଞ୍ଚଳର ମୁନା ବେହେରାଙ୍କ ପୁଅ ଜଗା ବେହେରା(୧୩)ଙ୍କର ବୋଲି ସ୍ପଷ୍ଟ ହୋଇଥିବା ବେଳେ ଏହି ସାହିର ରବି ସେଠୀଙ୍କ ପୁଅ ଶୁଭମ ସେଠୀ (୧୩), ଅଜୟ ବେହେରାଙ୍କ ପୁଅ ଚନ୍ଦନ ବେହେରା ଏବଂ ଅନ୍ୟଜଣେ ଛାତ୍ରଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି।
Follow Us